କଟକ ଏସସିବିରେ କ୍ରେନ୍ ଖସି ୩ ଆହତ, ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ

Reporterspen

ଭୁବନେଶ୍ୱର, (ରିପୋଟର୍ସ ପେନ୍‌), ୯ ଅଗଷ୍ଟ:  କଟକ ବଡ଼ ମେଡିକାଲରେ ସଂପ୍ରସାରଣ କାମ ସମୟରେ ଏକ ବଡ଼ ଦୁର୍ଘଟଣା ସାମ୍ନାକୁ ଆସିଛି । ନିର୍ମାଣ କାର୍ଯ୍ୟ ଚାଲିଥିବା ସମୟରେ ସେଠାରେ ଲାଗିଥିବା କ୍ରେନ୍‌ ଭାଙ୍ଗିପଡ଼ିବା କାରଣରୁ ୩ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ଆହତ ୩ ଶ୍ରମିକଙ୍କୁ ତୁରନ୍ତ ଏସସିବି କାଜୁଆଲଟି ବିଭାଗରେ ଭର୍ତ୍ତି କରାଯାଇ ଚିକିତ୍ସା ଆରମ୍ଭ କରାଯାଇଛି ।

ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଦୁର୍ଘଟଣାର ଶିକାର ହୋଇଥିବା ୩ଜଣ ଆହତଙ୍କୁ ଆଜି ସନ୍ଧ୍ୟାରେ ରାଜ୍ୟ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଭେଟିବା ସହ ସମସ୍ତଙ୍କୁ ଉଚ୍ଚମାନର ଗୁଣାତ୍ମକ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ମେଡିକାଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ସେ ଦୁର୍ଘଟଣାସ୍ଥଳକୁ ଯାଇ ଘଟଣାର ଅନୁଧ୍ୟାନ କରିଥିଲେ । କେଉଁ ପରିସ୍ଥିତିରେ ଦୁର୍ଘଟଣା ହେଲା ତା’ର ଉଚ୍ଚସ୍ତରୀୟ ତଦନ୍ତ କରି ତୁରନ୍ତ ରିପୋର୍ଟ ଦେବା ପାଇଁ ଓବିସିସିର ପରିଚାଳନା ନିର୍ଦ୍ଦେଶକଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ ନିକଟରେ ଏକ ୧୦ ମହଲା କୋଠାରେ କ୍ରେନ ସାହାଯ୍ୟରେ କାମ ଚାଲିଥିଲା  । ଭାରି ଜିନିଷ କ୍ରେନ ସାହାଯ୍ୟରେ କୋଠା ଉପରକୁ ଉଠାଯାଉଥିବା ସମୟରେ କୌଣସି କାରଣରୁ ହଠାତ କ୍ରେନଟି ମଝିରୁ ବଙ୍କି ଯାଇଥିଲା । କୋଠା ନିକଟରେ କାମ କରୁଥିବା ୩ଜଣ ଶ୍ରମିକ କ୍ରେନ୍ ସଂସ୍ପର୍ଶରେ ଆସିବା କାରଣରୁ ସେମାନେ ଗୁରୁତର ଆହତ ହୋଇଥିଲେ । ସେଠାରେ ଉପସ୍ଥିତ ଅନ୍ୟ ଶ୍ରମିକ ଏହା ଦେଖିବା ପରେ ଠିକାଦାରଙ୍କୁ ଜଣାଇଥିଲେ ।

ଘଟଣାସ୍ଥଳରୁ ଶ୍ରମିକମାନଙ୍କୁ ତୁରନ୍ତ ଉଦ୍ଧାର କରି ଏସସିବିର କାଜୁଆଲଟି ବିଭାଗରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ଶ୍ରମିକଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ସୂଚନା ମିଳିଛି । ତେବେ ଏପରି ଅଘଟଣ କାହିଁକି ଘଟିଲା ସେନେଇ ଖୋଳତାଡ ଆରମ୍ଭ ହୋଇଥିବା ସମୟରେ ଗୁରୁତର ଆହତ ହୋଇଥିବା ଶ୍ରମିକଙ୍କୁ କ୍ଷତିପୂରଣ ଦେବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।


Reporterspen