ଟଙ୍କା ବୁହା ଗାଡିରୁ ୮୦ କିଲୋ ସୁନା ଜବତ!

Reporterspen

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ରାଜଧାନୀ ଭୁବନେଶ୍ୱରରୁ ଆଜି ବିପୁଳ ପରିମାଣର ସୁନା ଓ ରୂପା ଗହଣା ଜବତ ହୋଇଛି । ଏକ ଟଙ୍କା ବୁହା ଗାଡିରୁ ପ୍ରାୟ ୮୦ କିଲୋ ସୁନା ଓ କୁଇଣ୍ଟାଲରୁ ଅଧିକ ରୂପା ଅଳଙ୍କାର ଜବତ ହୋଇଛି । ସିଟି ଜିଏସଟି ଗାଡିକୁ ଜବତ କରି ତଦନ୍ତ କରୁଥିବା ବେଳେ ଏହା କାହାର ଓ କେଉଁ ଆଡେ ଯାଉଥିଲା, ତାହା ଜଣାପଡିନହିଁ ।

ସୂଚନା ଅନୁସାରେ, ଆଜି ଅପରାହ୍ଣରେ ଏଟିଏମରେ ଟଙ୍କା ଭର୍ତ୍ତି କରୁଥିବା ଦୁଇଟି ଗାଡି ବିମାନ ବନ୍ଦର ପାଖରେ ଠିଆ ହୋଇଥିଲା । କୌଣସି ସୂତ୍ରରୁ ଖବରପାଇ ସିଟି ଜିଏସ୍‌ଟି ଟିମ ସେଠାରେ ଚଢାଉ କରିଥିଲା । ଚଢାଉ ବେଳେ ଗାଡିରୁ ବିପୁଳ ପରିମାଣର ସୁନା-ରୂପା ଗହଣା ଠାବ ହୋଇଥିଲା । ଆବଶ୍ୟକ କାଗଜ ପତ୍ର ଦାଖଲ କରି ନପାରିବାରୁ ଜିଏସଟି ଟିମ ଗାଡିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

କେହି ସୁନା ବ୍ୟବସାୟୀ ନିକସ ଫାଙ୍କିବା ଲାଗି ଏଭଳି ପ୍ରୟାସ କରିଥିବା ସନ୍ଦେହ କରାଯାଉଛି । କାରଣ ଏଟିଏମରେ ଟଙ୍କା ଭର୍ତ୍ତି ଗାଡିକୁ ପ୍ରାୟ କେହି ସନ୍ଦେହ କରନ୍ତି ନାହିଁ । ସେ ପୋଲିସ ହେଉ ଅବା ଆୟକର ବିଭାଗ । ତେଣୁ ସହଜରେ ଖସି ଯିବାକୁ କେହି ବ୍ୟବସାୟୀ ଏଭଳି ଉଦ୍ୟମ କରୁଥିବା କୁହାଯାଉଛି । ତେବେ ତଦନ୍ତ ପରେ ଏହି ଅଳଙ୍କାର କାହାର ଓ କେତେ ପରିମାଣର ଅଛି, ତାହା ସ୍ପଷ୍ଟ ହେବ ବୋଲି ଜିଏସଟି ଅଧିକାରୀ ସୂଚନା ଦେଇଛନ୍ତି । କୁହାଯାଉଛି ଯେ, ଜବତ ସୁନା ଏବଂ ରୁପା ପାଖାପାଖି ୩୦ କୋଟି ଟଙ୍କାରୁ ଅଧିକ ହେବ ।


Reporterspen