ଭୁବନେଶ୍ୱର, (ରିପୋଟର୍ସ ପେନ୍): ରାଜଧାନୀ ଭୁବନେଶ୍ୱରର ଏକ କଲ୍ୟାଣମଣ୍ଡପରେ ଚାଲିଥିବା ଜୁଆ ଆଡ୍ଡା ଉପରେ କମିଶନରେଟ ପୁଲିସ ଚଢାଉ କରିଛି । ଚଢାଉ ବେଳେ ପୁଲିସ ୯ ଜଣ ଜୁଆଡିଙ୍କୁ ଗିରଫ କରିଛି । ଏଥିସହ ନଗର ୧୨ ଲକ୍ଷ ଟଙ୍କା, ୩ଟି କାର୍ଡ ଓ ମୋବାଇଲ ଜବତ କରିଛି । ଗିରଫ ଅଭିଯୁକ୍ତମାନେ ଯାଜପୁର, ବାଲେଶ୍ୱର, କେନ୍ଦ୍ରାପଡ଼ା, କଟକ ଅଂଚଳର ବୋଲି ପୁଲିସ କହିଛି ।
ସୂଚନା ଅନୁସାରେ, କଟକ-ପୁରୀ ବାଇପାସ୍ର କେଶୁରା ଛକରେ ଥିବା ଏକ କଲ୍ୟାଣ ମଣ୍ଡପରେ ଦୀର୍ଘ ଦିନ ଧରି ଜୁଆ ଖେଳ ଚାଲିଥିଲା । ଅଭିଯୋଗ ହେଉଥିଲେ ମଧ୍ୟ ପ୍ରମାଣ ଅଭାବରୁ କମିଶନରେଟ୍ ପୁଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁନଥିଲା । ଆଜି ଭୁବନେଶ୍ୱର ଡିସିପିଙ୍କ ନିର୍ଦ୍ଦେଶରେ ବଡଗଡ ଥାନା ପୁଲିସ୍ ଅଚାନକ କଲ୍ୟାଣମଣ୍ଡପରେ ଚଢ଼ଉ କରିଥିଲା । ପୁଲିସ୍କୁ ଦେଖି ଜୁଆଡିମାନେ ଏତେତେଣେ ଦୌଡ଼ିଥିଲା ।
ପୁଲିସ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଥିଲା । କମିଶନରେଟ୍ ପୁଲିସ୍ ସେଠାରୁ ୯ ଜୁଆଡିଙ୍କୁ ଧରିବାରେ ସଫଳ ହୋଇଥିଲା । ଏଥିସହ ନଗର ୧୨ ଲକ୍ଷ ଟଙ୍କା, ୩ଟି କାର୍ଡ ଓ ମୋବାଇଲ ଜବତ କରିଛି । ଜୁଆ ଆଡ୍ଡା ଉପରେ ଚଢ଼ଉ କରି ଏତେ ପରିମାଣର ଟଙ୍କା ଜବତ କରିବା ଭୁବନେଶ୍ୱରର ପ୍ରଥମ ଘଟଣା ବୋଲି ଚର୍ଚ୍ଚା ହେଉଛି । ପୁଲିସ୍ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ କଲ୍ୟାଣମଣ୍ଡପ ମାଲିକଙ୍କ ସହିତ ଯୋଗାଯୋଗ କରିଛି ।
କଲ୍ୟାଣ ମଣ୍ଡପ ମାଲିକ କହିଛନ୍ତି, ବର୍ତ୍ତମାନ ବାହାଘର ସିଜିନ୍ ନାହିଁ । ତେଣୁ ଅନେକ ସମୟରେ କଲ୍ୟାଣମଣ୍ଡପ ଖାଲିପଡ଼ୁଛି । ସେମାନେ ବ୍ୟାଚଲର ଭୋଜି କରିବା ପାଇଁ ମଣ୍ଡପ ଭଡ଼ାରେ ନେଇଥିଲେ । ଜୁଆ ଖେଳ ଚାଲିଥିବା ନେଇ ମୋ ପାଖରେ କୌଣସି ଖବର ନାହିଁ ।