ଭୁବନେଶ୍ୱର, (ରିପୋଟର୍ସ ପେନ୍): ରଜାଧାନୀରୁ ନଖୋଜ ବିଲଡର ନବଘନ ପାଟ୍ଟଶାଣୀ ଓରଫ ବଙ୍କାର ମୃତ ଦେହ ନିଆଳି ନିକଟସ୍ଥ ଏକ ନଦୀପଠାରୁ ମିଳିବା ପରେ କମିଶନରେଟ ପୋଲିସ ଏହାର ପର୍ଦ୍ଦାଫାସ କରିଛି । ଦରମା ଟଙ୍କା ନଦେବାରୁ ଜଣେ କର୍ମଚାରୀ ତାଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିବା ପୋଲିସ ସ୍ପଷ୍ଟ ହୋଇଛି । ଏହି ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସହ ଦୁଇ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ସୋନପୁର ବୀରମହାରାଜପୁର ନିକଟସ୍ଥ ମୁରୁସୁଣ୍ଡିର ବଣ୍ଟି ଦିଗାଲ ଓରଫ ନୀତେଶ ଚୌଧୁରୀ (୨୭) ଓ ଖଣ୍ଡଗିରି ଡୁମୁଡୁମାରେ ରହୁଥିବା କନ୍ଧମାଳର ବିଜୟ ନାୟକ (୩୭) । ପୋଲିସ ଏମାନଙ୍କ ବିରୋଧରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ।
ପୋଲିସ କମିଶନର ସଞ୍ଜୀବ ପଣ୍ଡାଙ୍କ ସୂଚନା ଅନୁସାରେ, ଗତ ଜୁଲାଇ ୧୯ ତାରିଖ ସକାଳ ପ୍ରାୟ ସାଡେ ୮ଟା ବେଳେ ବିଲଡର ନବଘନ ପାଟ୍ଟଶାଣୀ ଓରଫ ବଙ୍କା ତାଙ୍କ ବରମୁଣ୍ଡାସ୍ଥିତ ଘରୁ ନିଜ ଫଚ୍ୟୁନର ଗାଡି (ଓଡି୦୨-ସିଇ-୫୦୫୦) ଯୋଗେ ଘରୁ ବାହାରି ଯାଇଥିଲେ । ସେ ଘରୁ ଯିବା ପୂର୍ବରୁ ତାଙ୍କୁ ଅଭିଯୁକ୍ତ ବଣ୍ଟି ଫୋନ କରିଥିଲା । ପରେ ସେ ଆଉ ଘରକୁ ଫେରିନଥିଲେ । ତାଙ୍କ ମୋବାଇଲ ମଧ୍ୟ ସୁଇଚ ଅଫ ଆସିଥିଲା । କିଛି ଖୋଜ ଖବର ନମିଳିବାରୁ ତାଙ୍କ ପତ୍ନୀ ସୁଲୋଚନା ଭରତପୁର ଥାନାରେ ଏକ ଅଭିଯୋଗ ଦାୟର କରିଥିଲେ ।
ପୋଲିସ ଘଟଣାର ତଦନ୍ତ ଚଳାଇଥିବା ବେଳେ ୨୯ ତାରିଖରେ ଗୋବିନ୍ଦପୁର ଥାନା ପୋଲିସ ଠାରୁ ଏକ ଅଜଣା ମୃତ ଦେହ ମିଳିବା ନେଇ ସୂଚନା ପାଇଥିଲେ । ପରେ ଫଟୋ ଦେଖିବା ସହ ବଙ୍କାଙ୍କ ପରିବାର ଲୋକଙ୍କୁ ମଧ୍ୟ ଚିହ୍ନଟ କରାଇଥିଲେ । ପରିବାର ଲୋକେ ମୃତକଙ୍କୁ ଚିହ୍ନଟ କରିବା ପରେ ପୋଲିସ ତଦନ୍ତକୁ ଜୋରଦାର କରିଥିଲା । ପ୍ରଥମେ ବଣ୍ଟିକୁ ସନ୍ଦେହ ଘେରକୁ ନେଇ ପୋଲିସ ଛାନଭିନ ଆରମ୍ଭ କରିଥିଲା । ସିସିଟିଭି ଫୁଟେଜ, ସାଇଣ୍ଟିଫିକ ଟିମ ଓ ମୋବାଇଲ କଲ ରେକର୍ଡକୁ ଯାଞ୍ଚ କରିଥିଲା । ଇତି ମଧ୍ୟରେ ମୃତକଙ୍କ ଗାଡିକୁ ଭୁବନେଶ୍ୱରରୁ ଠାବ କରିଥିଲା । ଯାହାକୁ ଅଭିଯୁକ୍ତମାନେ ବନ୍ଧା ରଖି ଟଙ୍କା ନେଇଥିଲେ । ଏହା ପରେ ପୋଲିସ ତଦନ୍ତକୁ ତ୍ୱରାନ୍ୱିତ କରିବା ସହ ଅଭିଯୁକ୍ତକୁ ଗିରଫ କରିଥିଲା । ଅଭିଯୁକ୍ତ ନିଜର ଦୋଷ ସ୍ୱିକାର କରିବା ସହ ହତ୍ୟାର କାରଣ ବଖାଣିଥିଲା । ପୋଲିସ ଅଭିଯୁକ୍ତଙ୍କୁ ନେଇ ଘଟଣାସ୍ଥଳର ଡେମୋ ଦେଖିବା ସହ ହତ୍ୟାର ବ୍ୟବହୃତ ସାମଗ୍ରୀକୁ ଜବତ କରିଛି ।
ହତ୍ୟାକାଣ୍ଡର ଅନ୍ତରାଳେ…
ଅଭିଯୁକ୍ତ ବଣ୍ଟି ସୋନପୁର ଜିଲ୍ଲାରୁ ଆସି ଗତ ୧୩ ବର୍ଷ ଧରି ଭୁବନେଶ୍ୱରରେ ରହୁଛନ୍ତି । ସେ ବିଭିନ୍ନ ହୋଟେଲ୍, ଦୋକାନରେ କାମ କରି ନିଜର ଜୀବିକା ଚଳାଇଥିଲେ । ଗତ ୪ ବର୍ଷ ଧରି ସେ ମୃତକଙ୍କ ସହ ପରିଚିତ ହୋଇଥିଲେ ଓ ତାଙ୍କ ସହ ଘନିଷ୍ଠ ହୋଇ ଯାଇଥିଲେ । ଅଭିଯୁକ୍ତ ଜଣକ ମୃତ ବଙ୍କାଙ୍କ କାମ ଯଥା ଜେସିବି, ଫର୍ଚ୍ୟୁନର, ଟ୍ରାକ୍ଟର ଓ ଅନ୍ୟାନ୍ୟ ଯାନବାହନର ଦେଖାଶୁଣା କରୁଥିଲେ ଓ ମୃତକଙ୍କ ଜମି ବ୍ୟବସାୟରେ ସକ୍ରିୟ ଭାଗ ନେଉଥିଲେ । ମୃତକ ତାଙ୍କୁ ମାସିକ ଦରମାରେ ତଙ୍କ କାମର ରଖିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ପ୍ରତିଶ୍ରୁତି ପାଳନ କରିନଥିଲେ ।
ଗତ ୭ ମାସ ଧରି ଅଭିଯୁକ୍ତ ଘାଟିକିଆର ଶ୍ରୀସାଇ ଲଜରେ ରହୁଥିଲେ । ଅଭିଯୁକ୍ତ ଭୁବନେଶ୍ୱରରେ ଏକ ରେସ୍ତୁରାଣ୍ଟ ଖୋଲିବାକୁ ଯୋଜନା କରୁଥିଲେ ଯେଉଁଥି ପାଇଁ ତାଙ୍କର ଟଙ୍କା ଆବଶ୍ୟକ ଥିଲା । ଏଥିସହିତ ସେ କିଛି ଲୋକଙ୍କ ଠାରୁ ୩.୫ ଲକ୍ଷ ଧାର ଆଣିଥିଲେ, ସେମାନେ ମଧ୍ୟ ତାଙ୍କୁ ଟଙ୍କା ମାଗୁଥିଲେ । ଏହାକୁ ନେଇ ସେ ଚାପରେ ଥିଲେ । ଅନେକ ଥର ବଣ୍ଟି ମୃତକଙ୍କୁ ଦରମା ଟଙ୍କା ମାଗିଥିଲେ, କିନ୍ତୁ ବଙ୍କା ତାଙ୍କୁ ସାହାଯ୍ୟ କରିନଥିଲେ ବରଂ ଦୁଇ ମାସ ପୂର୍ବେ ତାଙ୍କୁ ସର୍ବସାଧାରଣରେ ଥାପଡ଼ ମାରିଥିଲେ । ଏହାକୁ ନେଇ ବଣ୍ଟି ପ୍ରତିଶୋଧ ପରାୟଣ ହୋଇପଡିଥିଲା ।
ଯୋଜନା ଏବଂ ପୂର୍ବ ପ୍ରସ୍ତୁତି ଅନୁଯାୟୀ, ଅଭିଯୁକ୍ତ ବଣ୍ଟିି ଏକ ରୋଷେଇ ଛୁରୀ କିଣିଥିଲେ ଓ ଘଟଣା ଦିନ, ଅର୍ଥାତ ୧୯ତାରିଖରେ ବଙ୍କାକୁ ତାଙ୍କ ଲଜକୁ ଡାକିଥିଲେ । ବଙ୍କା ଆସିବା ପରେ ଦୁହେଁ ସେଠାରେ ମଦପାନ କରିଥିଲେ । ଏହି ସମୟରେ ବଣ୍ଟି ତାଙ୍କୁ ଟଙ୍କା ମାଗିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ନିଶାସକ୍ତ ଅବସ୍ଥାରେ ଥିବା ବଣ୍ଟି ଏକ ବିୟର ବୋତଲରେ ବଙ୍କାଙ୍କ ମୁଣ୍ଡରେ ଗୁରୁତର ଆଘାତ ଦେଇଥିଲେ । ସେ ପଡିଯିବା ପରେ ଛୁରୀରେ ତାଙ୍କ ବେକକୁ କାଟି ଦେଇଥିଲେ । ଫଳରେ ଘଟଣାସ୍ଥଳରେ ବଙ୍କାର ମୃତ୍ୟୁ ଘଟିଥିଲା । ଏହା ପରେ ରୁମକୁ ବନ୍ଦ କରି ସେ ଓ ମୃତକଙ୍କ ଗାଡ଼ି ନେଇ ବାହାରି ଗଲେ । ଚନ୍ଦ୍ରଶେଖରପୁର ପେଟ୍ରୋଲ୍ ପମ୍ପ ନିକଟରେ ଗାଡିକୁ ସୁବ୍ରତ ନାମକ ଜଣେ ଯୁବକକୁ ବନ୍ଧା ଦେଇ ଟଙ୍କା ନେଇ ଆସିଥିଲେ ।
ତାହା ପରେ ସେ ଘଟଣାସ୍ଥଳକୁ ଫେରି ଅନ୍ୟ ଅଭିଯୁକ୍ତ ବିଜୟଙ୍କୁ ଡାକିଲେ, ଯିଏ ଭାଡ଼ାରେ ଇନୋଭା ଚାଳକ ଥିଲେ, ଖଣ୍ଡଗିରି ଛକରୁ ଗୋଟିଏ ପଲିଥିନ୍ ସିଟ୍ କିଣି, ମୃତ ଦେହକୁ ଗୁଡାଇ, ଇନୋଭା ଗାଡିରେ ଶବକୁ ଗୋବିନ୍ଦପୁର ନିକଟରେ କଣ୍ଡଲା ବ୍ରିଜକୁ ଯାଇ, ମୃତ ଦେହକୁ ନଦୀରେ ଫିଙ୍ଗି ଦେଇଥିଲେ । ତାଙ୍କର ପୋଷାକ, ଅସ୍ତ୍ର ଏବଂ ଅନ୍ୟାନ୍ୟ ପ୍ରମାଣ ସାମାଗ୍ରୀକୁ ଏକ ବ୍ୟାଗରେ ପ୍ୟାକ୍ କରି ଫେରିବା ବେଳେ ହଂସପାଳ କେନାଲରେ ଫିଙ୍ଗିଦେଇଥିଲେ । ଗତ ୨୦ ତାରିଖରେ ଗୋବିନ୍ଦପୁର ପୋଲିସ ନଦୀରୁ ମୃତ ଦେହ ଉଦ୍ଧାର କରିଥିଲେ ।