ପୋଲିସ ଡିଜି ଭାବେ ଦାୟିତ୍ୱ ନେଲେ ୱାବି ଖୁରାନିଆ

Reporterspen

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ୧୯୯୦ ବ୍ୟାଚ୍ ଆଇପିଏସ୍ ଅଫିସର ଯୋଗେଶ ବାହାଦୂର ଖୁରାନିଆ ଓଡ଼ିଶାର ନୂଆ ପୁଲିସ ଡିଜି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଶୁକ୍ରବାର ଅପରାହ୍ଣରେ କଟକସ୍ଥିତ ପୋଲିସ ମୁଖ୍ୟାଳୟରେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବତନ ପୋଲିସ ଡିଜି ଅରୁଣ ଷଢଙ୍ଗୀଙ୍କ ଠାରୁ ସେ ଦାୟିତ୍ୱ ନେଇଛନ୍ତି । ଏହି ଅବସରରେ ସେ କହିଛନ୍ତି, ଅପରାଧ ନିୟନ୍ତ୍ରଣ, ଆଇନ ଶୃଙ୍ଖଳା ପରିସ୍ଥିତି ଓ ବିଶେଷ କରି ଓଡ଼ିଶା ପୋଲିସ ‘ଲୋକଙ୍କ ପୋଲିସ’ ଭାବେ କିପରି କାମ କରିବ, ସେ ଦିଗରେ ବିଶେଷ ଧ୍ୟାନ ଦିଆଯିବ ।

ଉଲ୍ଲେଖଥାଉ କି, ଆଜି ପୂର୍ବାହ୍ଣରେ ନୂଆ ପୋଲିସ ଡିଜି ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପରେ ଅପରାହ୍ନରେ ଶ୍ରୀ ଖୁରାନିଆ ସ୍ଥାୟୀ ଡିଜି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀ ଖୁରାନିଆ ଭୁବନେଶ୍ୱର-କଟକ କମିଶନରେଟ ପୋଲିସର କମିଶନର ଓ ନୟାଗଡ଼, ରାଉରକେଲା, ଯାଜପୁର, ମୟୂରଭଞ୍ଜ ଓ ଗଞ୍ଜାମ ଜିଲ୍ଲାର ପୋଲିସ ଏସପି ଭାବେ କାର୍ଯ୍ୟ କରିଛନ୍ତି । ସେ ଉତ୍ତରାଂଚଳ ଓ ଦକ୍ଷିଣାଞ୍ଚଳ ଡିଆଇଜି ଏବଂ ବିଜୁ ପଟ୍ଟନାୟକ ପୋଲିସ ପ୍ରଶିକ୍ଷଣ ଏକାଡେମୀର ମଧ୍ୟ ନିର୍ଦ୍ଦେଶକ ଦାୟିତ୍ୱ ତୁଲାଇଥିଲେ । ପରେ ସେ କେନ୍ଦ୍ରକୁ ଯାଇ ବିଏସଏଫ ସ୍ପେଶାଲ ଡିଜି ମଧ୍ୟ ହୋଇଥିଲେ ।

ଅଗଷ୍ଟ ୨ ତାରିଖରେ କ୍ୟାବିନେଟ୍ କମିଟି ଶ୍ରୀ ଖୁରାନିଆଙ୍କ ଡେପୁଟେସନ ଅବଧିକୁ ଆଗୁଆ ସମାପ୍ତ କରି ଓଡ଼ିଶା କ୍ୟାଡ଼ରକୁ ଫେରାଇ ଆଣିଥିଲା । କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଜୁଲାଇ ୨୬ ତାରିଖର ପ୍ରସ୍ତାବ ଆଧାରରେ ବିଏସଏଫ ସ୍ପେଶାଲ ଡିଜି ୧୯୯୦ ବ୍ୟାଚ୍ ଆଇପିଏସ୍ ଶ୍ରୀ ଖୁରାନିଆଙ୍କୁ ତତ୍କାଳ ପ୍ରଭାବରୁ ନିଜ କ୍ୟାଡ଼ର(ଓଡ଼ିଶା)କୁ ଫେରାଇ ଦେବା ପାଇଁ କେନ୍ଦ୍ର ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଅନୁମୋଦନ କରିଥିଲା ।

ସୂଚନାଯୋଗ୍ୟ, ଏବେ ରାଜ୍ୟରେ ୧୯୯୦ ବ୍ୟାଚ୍ ଆଇପିଏସ୍ ଅରୁଣ କୁମାର ଷଡ଼ଙ୍ଗୀ ଅସ୍ଥାୟୀ ଡିଜି ଭାବେ କାର୍ଯ୍ୟ କରୁଥିଲେ । ସେ ଏବେ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀର ନିର୍ଦ୍ଦେଶକ ଭାବେ ଅବସ୍ଥାପିତ ଅଛନ୍ତି ।


Reporterspen