ସିମ୍ ବକ୍ସର ଗୁମର ଖୋଲୁଛି: ଝାଡଖଣ୍ଡ ଯାଏ ବ୍ୟାପିଛି ଚେର

Reporterspen

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଧିରେ ଧିରେ ସିମ୍ ବକ୍ସର ଗୁମର ଖୋଲିବାରେ ଲାଗିଛି । ପ୍ରଥମେ ଭୁବନେଶ୍ୱର, ପରେ କଟକ ଓ ଏବେ ଝାଡଖଣ୍ଡ ଯାଏ ଏହାର ଚେର ଲମ୍ବିଥିବା କମିଶନରେଟ ପୋଲିସ ଜାଣିବାକୁ ପାଇଛି । ଏହା ଜଣାପଡିବା ପରେ କମିଶନରେଟ ପୋଲିସର ଏକ ସ୍ୱତନ୍ତ୍ର ଟିମ ଝାଡଖଣ୍ଡ ଅଭିମୁଖେ ବାହାରିଛି ବୋଲି ପୋଲିସ କମିଶନର ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି ।

ସାମ୍ବାଦିକମାନଙ୍କୁ ସୂଚନା ଦେଇ ଶ୍ରୀ ପଣ୍ଡା କହିଛନ୍ତି, ଓଡିଶାରେ ଦୁଇଟି ରାକେଟ ଠାବ କରାଯାଇଥିବା ବେଳେ ତୃତୀୟଟି ପଡୋଶୀ ରାଜ୍ୟରେ ସକ୍ରିୟ ଥିବା ଜଣାଯାଇଛି । ଆମର ଏକ ସ୍ୱତନ୍ତ୍ର ଟିମ ସେଠାକୁ ଯାଇ ଚଢାଉକୁ ଜୋରଦାର କରିବେ । ସେହିପରି ବାଂଲାଦେଶୀ ଅସଦ୍ଦୁର ଜମାନ ଭୁବନେଶ୍ୱର କଟକରୋଡରେ ଥିବା ଲିଙ୍ଗରାଜ ହୋଟେଲରେ ରହୁଥିଲା ଜେରା ବେଳେ ରାଜୁ ମଣ୍ଡଳ ଏହା କହିବା ପରେ ପୋଲିସ ଉକ୍ତ ହୋଟେଲରେ ଚଢାଉ କରିଥିଲା । ସିସିଟିଭି ଫୁଟେଜ ସହ ରେଜିଷ୍ଟାରକୁ ତନ୍ନ ତନ୍ନ କରି ଯାଞ୍ଚ କରିଥିଲା ।

କଟକ ଏବଂ ଭୁବନେଶ୍ୱରରେ ହୋଇଥିବା ଚଢାଉ ସମୟରେ ଆମେ ସମୁଦାୟ ୧୨ଟି ସିମ୍ ବକ୍ସ ଏବଂ ୪୮୧ଟି ସିମ୍ କାଡ ଜବତ କରିଛୁ । ଏଥିସହ ଆମେ ଅଭିଯୁକ୍ତଙ୍କ ଅଧୀନରେ ୮୧୦ ଷ୍ଟାଣ୍ଡବାଇ ସିମ୍ କାର୍ଡ ପାଇଛୁ । ଏହି ମାମଲାରେ ବିଭିନ୍ନ ହୋଟେଲରେ ମଧ୍ୟ ଚଢାଉ ଚାଲିଛି, ଯେଉଁଠାରେ ମୁଖ୍ୟ ଅଭିଯୁକ୍ତ ଅସଦୁର ଜମାନ ଓଡିଶା ଗସ୍ତ ସମୟରେ ରହିଥିଲେ । ତେବେ ଏହି ଉପକରଣ ଆନ୍ତର୍ଜାତୀୟ ତଥା ଜାତୀୟ କଲ କରିବା ପାଇଁ ବ୍ୟବହୃତ ହୋଇଥିଲା । ଏହି ଉପକରଣଗୁଡ଼ିକ ଆତଙ୍କବାଦୀ କାର୍ଯ୍ୟକଳାପ ସମେତ ବିଭିନ୍ନ ଅପରାଧ ସହିତ ସଂଯୁକ୍ତ ଥିଲା ।

ଅନ୍ୟପକ୍ଷରେ ବିଶେଷ ସୁତ୍ରରୁ ମିଳିଥିବା ତଥ୍ୟ ଅନୁସାରେ, ମାଷ୍ଟରମାଇଣ୍ଡ ବାଂଲାଦେଶୀ ଅସଦ୍ଦୁର ଜମାନ ପାକିସ୍ତାନ ଆଇଏସଆଇ ଓ ଚୀନ ଗୁପ୍ତଚର ସଂସ୍ଥା ପାଇଁ କାମ କରୁଥିଲା । ଦୁବାଇର ଦାଉଦ ଗ୍ୟାଙ୍ଗରୁ କଲ ଆସୁଥିବା ବୋଲି ସୂଚନା ମିଳିଛି । ଜମାନର ରାଜୁ ଭଳି ପ୍ରାୟ୨୫ ଅପରେଟିଭ ଓଡ଼ିଶା ସମେତ ସାରା ଭାରତରେ ରହିଥିବା କୁହାଯାଉଛି । ରାଜୁ ଏକାଧିକ ଥର ବାଂଲାଦେଶ ଯାଇଛି । ସେ ମାସକୁ ପ୍ରାୟ ଦୁଇ ଲକ୍ଷ ଟଙ୍କା ପାଉଥିଲା । ତାର ରହିବା, ଖାଇବା, ଘର ଭଡ଼ା, ଟ୍ରାଭେଲ୍ ସବୁ ଅସଦ୍ଦୁର୍ର ଜମାନ୍ ଦେଉଥିଲା । ଆଜି ରିମାଣ୍ଡର ଦ୍ୱିତୀୟ ଦିନରେ ତାକୁ ମାରାଥନ ଜେରା କରାଯାଉଛି ।

ସିମବକ୍ସକୁ ଆତଙ୍କବାଦୀ କାର୍ଯ୍ୟକଳାପ, ସାଇବର ଅପରାଧ ନା ଫେକ ଟେଲିଫୋନ ଏକ୍ସଚେଞ୍ଜ କାମରେ ଲଗାଯାଇଥିଲା ସ୍ୱତନ୍ତ୍ର ଟିମ ତାର ତଦନ୍ତ କରିବ । ଭୁବନେଶ୍ୱର ଝାରପଡ଼ା ଅଂଚଳରୁ ଠାବ ହୋଇଥିବା ବେଆଇନ ସିମ ବକ୍ସକୁ ବେଆଇନ ଭାବେ ଦେଶ ବାହାରୁ ଅଣାଯାଇଥିଲା । ପାକିସ୍ତାନ, ଚୀନ ଓ ମଧ୍ୟପ୍ରାଚ୍ୟରୁ ଆସୁଥିବା କଲକୁ ଡାଇଭର୍ଟ କରି ଦେଶର ବିଭିନ୍ନ ସ୍ଥାନକୁ ଫରୱାର୍ଡ କରାଯାଉଥିଲା । କିଛି ଫୋନ କଲ ଓଡ଼ିଶାରୁ ଅନ୍ୟ ରାଜ୍ୟଙ୍କୁ ମଧ୍ୟ କରାଯାଉଥିଲା ବୋଲି ଜଣାପଡ଼ିଛି ।


Reporterspen