ଧୋନିଙ୍କ ଉପରେ ବିଷ ଓଗାଳିଲେ ଯୁବରାଜ ସିଂଙ୍କ ବାପା

Reporterspen

ନୂଆଦିଲ୍ଲୀ : ଯୁବରାଜ ସିଂଙ୍କ ବାପା ତଥା ପୂବର୍ତନ କ୍ରିକେଟର ଯୋଗୀରାଜ ସିଂ ପୁଣି ଥରେ ମହେନ୍ଦ୍ର ସିଂ ଧୋନିଙ୍କ ବିରୋଧରେ ବିଷ ଓଗାଳିଛନ୍ତି । ଯୋଗୀରାଜ ସିଂ ପ୍ରାୟତଃ ଧୋନିଙ୍କୁ ଟାର୍ଗେଟ କରନ୍ତି । ସେ ଧୋନିଙ୍କୁ ଯୁବରାଜଙ୍କ କ୍ୟାରିୟର ନଷ୍ଟ କରିଥିବା ଅଭିଯୋଗ କରିଛନ୍ତି । ଧୋନିଙ୍କ ଅଧିନାୟକତ୍ୱରେ ଯୁବରାଜ ସିଂ ଟି-୨୦ ବିଶ୍ୱକପ ୨୦୦୭ ଏବଂ ଦିନିକିଆ ବିଶ୍ୱକପ ୨୦୧୧ ଖେଳିଥିଲେ । ଉଭୟ ଟୁର୍ନାମେଂଟରେ ଯୁବରାଜଙ୍କ ପ୍ରଦର୍ଶନ ଅତ୍ୟନ୍ତ ଭଲ ଥିଲା ।

ମୁଁ ଧୋନିଙ୍କୁ କ୍ଷମା କରିବି ନାହିଁ
ଜି ସୁଇଚ୍ ୟୁଟ୍ୟୁବ୍ ଚ୍ୟାନେଲକୁ ଯୋଗୀରାଜ ସିଂ କହିଛନ୍ତି, “ମୁଁ ଏମଏସ ଧୋନିଙ୍କୁ କ୍ଷମା କରିବି ନାହିଁ । ସେ ଦର୍ପଣରେ ତାଙ୍କ ମୁହଁକୁ ଦେଖିବା ଉଚିତ୍ । ସେ ଜଣେ ବହୁତ ବଡ କ୍ରିକେଟର, କିନ୍ତୁ ମୋ ପୁଅ ବିରୋଧରେ ସେ ଯାହା କରିଛନ୍ତି ତାହା ଏବେ ସାମ୍ନାକୁ ଆସୁଛି । ଏହି ଜୀବନରେ କେବେବି କ୍ଷମା କରାଯିିବ ନାହିଁ । “ମୁଁ ଜୀବନରେ କେବେ ଦୁଇଟି କାମ କରିନାହିଁ । ପ୍ରଥମ ଯିଏ ମୋ ସହ ଖରାପ କାମ କରିଛି, ମୁଁ କେବେ କାହାକୁ କ୍ଷମା କରିନାହିଁ । ଦ୍ୱିତୀୟଟି ମୁଁ ଜୀବନରେ କାହାକୁ ଖରାପରେ ବ୍ୟବହାର କରିନାହିଁ । ସେ ମୋ ପରିବାରର ସଦସ୍ୟ ହ୍ରୁଅନ୍ତୁ ଅଥବା ମୋ ପୁଅ-ଝିଅ ।

ଯୁବରାଜ ଅଧିକ ଖେଳିଥାନ୍ତେ
ଯୋଗୀରାଜ ସିଂ କହିଛନ୍ତି ଯେ, ଯୁବରାଜ ଆହୁରି ୪-୫ ବର୍ଷ ପର୍ଯ୍ୟନ୍ତ ସହଜରେ ଖେଳିଥାନ୍ତେ । ଯୁବରାଜଙ୍କ ଅବସର ପରେ ସେ ଧୋନିଙ୍କୁ ଦାୟୀ କରିଥିଲେ । ଯୋଗରାଜ ସିଂ କହିଛନ୍ତି, “ଧୋନି ମୋ ପୁଅର ଜୀବନକୁ ନଷ୍ଟ କରିଦେଇଛନ୍ତି । ସେ ଆହୁରି ଚାରି ରୁ ପାଂଚ ବର୍ଷ ଖେଳିଥାନ୍ତେ । ମୁଁ ଯୁବରାଜଙ୍କ ପରି ଏକ ପୁତ୍ର ସନ୍ତାନ ଜନ୍ମ ଦେବାକୁ ସମସ୍ତଙ୍କୁ ଆହ୍ୱାନ କରୁଛି । ଏପରିକି ଗୌତମ ଗମ୍ଭୀର ଏବଂ ବିରେନ୍ଦ୍ର ସେହୱାଗ କହିଛନ୍ତି ଯେ ଯୁବରାଜ ସିଂ ଭଳି ଆଉ କେହି ହୋଇପାରିବେ ନାହିଁ ।କର୍କଟ ରୋଗରେ ଖେଳିବା ଏବଂ ଦେଶ ପାଇଁ ବିଶ୍ୱକପ ଜିତିବା ପାଇଁ ତାଙ୍କୁ ଭାରତ ରତ୍ନଙ୍କ ସହ ସମ୍ମାନିତ କରିବା ଉଚିତ୍ ବୋଲି ସେ କହିଛନ୍ତି ।


Reporterspen