ସୁଭଦ୍ରା ପୋର୍ଟାଲ ଉନ୍ମୋଚନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

Reporterspen

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଆଜି ସୁଭଦ୍ରା ପୋର୍ଟାଲ ଉନ୍ମୋଚନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଉନ୍ମଚିତ ହୋଇଥିବା ସୁଭଦ୍ରା ପୋର୍ଟାଲରେ ସୁଭଦ୍ରା ଯୋଜନା ସମ୍ପର୍କିତ ସମସ୍ତ ସୂଚନା ଉପଲବ୍ଧ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ସୁଭଦ୍ରା ପୋର୍ଟାଲ ଭିଜିଟ୍ କରିବା ପାଇଁ ଆପଣ http://subhadra.odisha.gov.in ଲଗଇନ କରିପାରିବେ ।

ଆପଣଙ୍କୁ କହିରଖୁଛୁ ଯେ,  ସୁଭଦ୍ରା ଯୋଜନା ପାଇଁ ଫର୍ମ ବଣ୍ଟନ ଆରମ୍ଭ ହୋଇସାରିଛି । ୪ତାରିଖରୁ ଫର୍ମ ସଂଗ୍ରହ କରାଯିବ । ଫର୍ମ ପୂରଣ କରିବା ପରେ ଆଧାର କାର୍ଡ ନକଲ ସହିତ ଆବେଦନକାରୀଙ୍କୁ ଦାଖଲ କରିବାକୁ ପଡିବ । ମୋ ସେବା କେନ୍ଦ୍ର ବା ଜନସେବା କେନ୍ଦ୍ରରେ ଆବେଦନକାରୀମାନେ ଫର୍ମ ଦାଖଲ କରିପାରିବେ । ଫର୍ମ ବଣ୍ଟନ ଓ ଦାଖଲ ପ୍ରକ୍ରିୟା ସଂପୂର୍ଣ୍ଣ ମାଗଣାରେ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି  ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ । ରାକ୍ଷୀ ପୂର୍ଣ୍ଣିମାରେ ମିଳିବାକୁ ଥିବା କିସ୍ତି ୧୭ରୁ ଆରମ୍ଭ ହେବ । ସବୁ ଯୋଗ୍ୟ ମହିଳାଙ୍କୁ ମିଳିବା ପର୍ଯ୍ୟନ୍ତ ଏହା ଚାଲୁ ରହିବ ବୋଲି ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ,  ମହିଳା ସଶକ୍ତିକରଣ ପାଇଁ ରାଜ୍ୟ ସରକାରଙ୍କ ନୂଆ ଯୋଜନା ‘ସୁଭ୍ରଦା’କୁ ନେଇ ଆଜି ପୁଣିଥରେ ଗୃହ ସରଗରମ ହୋଇଛି। ବିରୋଧୀ ଦଳ ସଦସ୍ୟ ଆଜି ଗୃହର ମଧ୍ୟଭାଗକୁ ଆସି ବିଭିନ୍ନ ସ୍ଲୋଗାନ ଦେବା ଦ୍ୱାରା ଅଚଳାବସ୍ଥା ସୃଷ୍ଟି  ହୋଇଥିଲା। ଏହାଦ୍ୱାରା ଗୃହର କାର୍ଯ୍ୟକୁ ବାଚସ୍ପତି ମୁଲତବୀ ଘୋଷଣା କରିଥିଲେ। ଫଳରେ ସମ୍ପୂର୍ଣ୍ଣ ପ୍ରଶ୍ନୋତ୍ତର କାଳ ବିଫଳ ହୋଇଛି।

ସୁଭଦ୍ରା ଯୋଜନାରେ ସରକାର ବର୍ଷକୁ ୧୦ ହଜାର ଟଙ୍କା ଲେଖାଏଁ ୫ ବର୍ଷ ଲାଗି ୫୦ ହଜାର ଟଙ୍କା ଦେବାକୁ ଘୋଷଣା କରିଛନ୍ତି। ଏହାକୁ ନେଇ ବିଭିନ୍ନ ସ୍ଥାନରେ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଛି।  ଯୋଗ୍ୟ ମହିଳାମାନେ ନିକଟସ୍ଥ ଅଙ୍ଗନବାଡ଼ି କେନ୍ଦ୍ର ବା ବିଭିନ୍ନ ଚିହ୍ନିତ ପଞ୍ଜିକରଣ କେନ୍ଦ୍ରରେ ନିଜର ଆବଶ୍ୟକ ନଥିପତ୍ର ଦେଖାଇ ପଞ୍ଜିକୃତ ହେବା ଲାଗି ବ୍ୟବସ୍ଥା କରାଯାଇଛି। ହେଲେ ଏହାକୁ ନେଇ ଅସନ୍ତୁଷ୍ଟ ରହିଛନ୍ତି ବିରୋଧୀ ଦଳ। ସୁଭଦ୍ରା ଯୋଜନାରେ କାହିଁକି ସବୁ  ମହିଳାଙ୍କୁ ସାମିଲ୍‍ କରାଯାଇ ନାହିଁ ତାହାକୁ ନେଇ ଆଜି ବିରୋଧୀ ଦଳ ଗୃହରେ ହଟ୍ଟଗୋଳ କରିଥିଲେ। ଏପରିକି ସରକାର ନିର୍ବାଚନ ପ୍ରତିଶୃତିରେ ୫୦ ହଜାର ଟଙ୍କା ଦେବାକୁ କହିଥିଲେ ମଧ୍ୟ ତାହା କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ।

‘ସୁଭଦ୍ରା ଯୋଜନାରେ ସବୁ ମହିଳାଙ୍କୁ ସାମିଲ୍‍ କରିବା ଆମର ଦାବି‘, ୫୦ ହଜାର ଟଙ୍କା ପ୍ରତିଶୃତି କୁଆଡ଼େ ଗଲା’ ବୋଲି ପଚାରି ଆଜି ବିରୋଧୀ ଦଳର ସଦସ୍ୟମାନେ ବାଚସ୍ପତିଙ୍କ ଆସନ ଆଡ଼କୁ ମୁହାଁଇ ପ୍ରତିବାଦ କରିଥିଲେ। ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ନିର୍ବାଚନ ସମୟରେ ସରକାରୀ ଦଳ ଗୋଟିଏ ପ୍ରତିଶୃତି ଦେଇ ସରକାରକୁ ଆସିଲେ ତାହାକୁ ବଦଳାଇବା ମହିଳାଙ୍କ ପ୍ରତି ପ୍ରତାରଣା। ଆମେ ଏହାକୁବିରୋଧ କରୁଛୁ। ସରକାର ଆଲୋଚନାକୁ ଆସନ୍ତୁ ଏବଂ ସବୁ ମିହିଳାଙ୍କୁ ୫୦ ହଜାର ଟଙ୍କା ଦେବାର ବ୍ୟବସ୍ଥା କରନ୍ତୁ ବୋଲି କହିଛନ୍ତି ପ୍ରମିଳା।


Reporterspen