Custodial misconduct case : ବଦଳିଲେ ଭରତପୁର ଥାନା ଅଧିକାରୀ

Reporterspen

ଭୁବନେଶ୍ୱର (ରିପୋଟର୍ସ ପେନ୍‌) Custodial misconduct case: ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ର୍ଦୁବ୍ୟବହାର ଏବଂ ମାଡ ଘଟଣାରେ ବିବାଦୀୟ ହୋଇଥିବା ଭରତପୁର ଥାନା ଅଧିକାରୀ ଦିନକୃଷ୍ଣ ମିଶ୍ରଙ୍କୁ ବଦଳି କରାଯାଇଛି । ତାଙ୍କୁ ଡିସିପି ଅଫିସକୁ ବଦଳି କରାଯାଇଛି । ତାଙ୍କୁ ତୁରନ୍ତ ଥାନା ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ତାଙ୍କ ସ୍ଥାନରେ କମିଶନରେଟ ମୁଖ୍ୟାଳୟରେ ଥିବା ଦୀପକ ଖଣ୍ଡାୟତରାୟଙ୍କୁ ଭରତପୁର ଥାନା ଅଧିକାରୀ ଭାବେ ଅବସ୍ଥାପିତ କରାଯାଇଛି ।

ସେହିପରି ଥାନାର ଏଏସଆଇ ସଲିଳମୟୀ ସାହୁ ଓ କନଷ୍ଟେବଲ ବଳରାମ ହାଂସଦାଙ୍କୁ ମଧ୍ୟ ବଦଳି କରାଯାଇଛି । ଏମାନେ ମଧ୍ୟ ଉକ୍ତ ଘଟଣାରେ ବିବାଦୀୟ ହୋଇଥିଲେ । ଘଟଣାର କ୍ରାଇମବ୍ରଞ୍ଚ ତଦନ୍ତ ଆରମ୍ଭ ହୋଇଥିବାରୁ ଏମାନଙ୍କୁ ତୁରନ୍ତ ଥାନା ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ତଦନ୍ତରେ ସ୍ୱଚ୍ଛତା ଓ ନିରପେକ୍ଷତା ଯୋଗୁଁ ଏମାନଙ୍କୁ ବଦଳି କରାଯାଇଥିବା ଜଣାପଡିଛି ।

ଉଲ୍ଲେଖଥାଉ କି, ଗତ ଶନିବାର ରାତିରେ ମେଜର ଗୁରବଂଶ ସିଂହ ଏବଂ ତାଙ୍କ ବାନ୍ଧବୀ କାରରେ ଯାଉଥିବା ବେଳେ କିଛି ଦୁର୍ବୃତ୍ତ ସେମାନଙ୍କ ଗାଡ଼ିକୁ ଅଟକାଇ ଦୁର୍ବ୍ୟବାହର କରିଥିଲେ । ଏହାକୁ ନେଇ ସଂପୃକ୍ତ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀ ଅଭିଯୋଗ କରିବାକୁ ଭରତପୁର ଥାନାକୁ ଯାଇଥିଲେ । ତେବେ ସେଠାରେ ପୋଲିସ ଅଭିଯୋଗ ରଖିବା ବଦଳରେ ସେନା ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ସହ ମାଡ଼ ମାରିଥିଲା । ଏଭଳିକି ସେନା ଅଧିକାରୀଙ୍କୁ ଲକ୍‌ଅପରେ ରାତିତମାମ ରଖିଥିବା ଅଭିଯୋଗରେ ଉଲ୍ଲେଖ ରହିଛି ।

ଏହାକୁ ତାଙ୍କ ବାନ୍ଧବୀ ପ୍ରତିବାଦ କରିବାରୁ ସେଠାରେ ଉପସ୍ଥିତ ଥିବା ପୋଲିସ ଅଧିକାରୀ ତାଙ୍କୁ ଅଦ୍ଧନଗ୍ନ କରି ପ୍ରବଳ ପିଟିଥିଲେ । ଯୁବତୀ ଜଣଙ୍କ ପୋଲିସ ମାଡ଼ରେ ଲହୁଲୁହାଣ ହୋଇଯାଇଥିବା ବେଳେ ପୋଲିସ ଗିରଫ କରି ମେଡିକାଲ ଚେକଅପ୍ ପାଇଁ ପଠାଇଥିଲା । ପ୍ରଥମେ ଘରୋଇ ହସ୍ପିଟାଲରେ ହୋଇଥିବା ପରୀକ୍ଷାରେ ସେନା ଅଧିକାରୀଙ୍କ ବାନ୍ଧବୀଙ୍କୁ ପ୍ରବଳ ମାଡ଼ ମରାଯାଇଥିବା ଜଣାପଡ଼ିଥିଲା । ତେବେ ପୋଲିସ ପୁଣି ଅଲଗା ମେଡିକାଲକୁ ଯାଇ ରିପୋର୍ଟ ବଦଳାଇଥିବା ଅଭିଯୋଗ ହୋଇଛି । ପରେ ତାଙ୍କୁ ଝାରପଡ଼ା ଜେଲ୍‌କୁ ପଠାଇ ଦେଇଥିଲା ।

ଘଟଣା ସଂପର୍କରେ ଖବରପାଇ କିଛି ସେନା ଅଧିକାରୀ ଭରତପୁର ଥାନାରେ ପହଂଚି ପ୍ରତିବାଦ କରିଥିଲେ । ପରେ ପୋଲିସ ମେଜର ଗୁରୁବଂଶ ସିଂହଙ୍କୁ ଛାଡ଼ିଦେବାରୁ ସେନା ଅଧିକାରୀମାନେ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ଏହି ଘଟଣାକୁ ସେନା ଗୁରୁତର ସହ ନେଇଛି । ସେନାର ସେଂଟ୍ରାଲ କମାଣ୍ଡ ପକ୍ଷରୁ ସୋଶାଲ ମିଡିଆରେ ଟ୍ୱିଟ୍ କରି ପୋଲିସ ଡିଜିଙ୍କୁ ଅବଗତ କରିଥିଲେ । ପରେ ପୋଲିସ ଡିଜି ଘଟଣାର ଗୁରୁତ୍ୱକୁ ଦେଖି କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ଅପରପକ୍ଷେ, ଭରତପୁର ଥାନା ପୋଲିସ ବିରୋଧରେ ସାଂଘାତିକ ଅଭିଯୋଗ ଆସିଥିବା ବେଳେ ପୋଲିସ ଓଲଟା ଅଭିଯୋଗ ଆଣିଛି । ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀ ପୋଲିସକୁ ଖରାପ ବ୍ୟବହାର କରିଥିଲେ ବୋଲି ଭୁବନେଶ୍ୱର ଅତିରିକ୍ତ ଡିସିପି ସୁରେଶ ଚନ୍ଦ୍ର ପାତ୍ର କହିଛନ୍ତି । ହେଲେ ମଡେଲ ଥାନାରେ ସିସିଟିଭି କାହିଁକି ନାହିଁ ବୋଲି କେହି କିଛି କହିବାକୁ ପ୍ରସ୍ତୁତ ନୁହଁନ୍ତି ।


Reporterspen