Unit-1 Marcket: ୧୯ବର୍ଷ ପରେ ଗାଦିରୁ ହଟିଲେ ଗୟାଧର, କବିରାଜଙ୍କ କବ୍ଚାକୁ ଆସିଲା ଏକ ନମ୍ବର ହାଟ!

Reporterspen

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଦୀର୍ଘ ୧୯ବର୍ଷ ଧରି ନିରବଚ୍ଛିନ୍ନ ଭାବେ ଏକ ନମ୍ବର ହାଟରେ (Unit-1 Marcket) ଆଧିପତ୍ୟ ଜାହିର କରୁଥିବା ଗୟାଧର ସ୍ୱାଇଁ (Gayadhar Swain)ଙ୍କୁ ପଦରୁ ବିଦା କରାଯାଇଛି । ଖାଲି ଗୟଧର ନୁହଁନ୍ତି ବରଂ ରାଜଧାନୀ ଦୈନିକ ହାଟ ବ୍ୟବସାୟୀ ସଂଘ (ଏକ ନମ୍ବର ହାଟ ସଂଘ)ର ସମସ୍ତ କର୍ମକର୍ତ୍ତାଙ୍କୁ ପଦରୁ ବହିଷ୍କାର କରାଯାଇଛି । ନୂଆ କର୍ମକର୍ତ୍ତା ନିର୍ବାଚିତ କରାଯିବା ସହ ୧୯ବର୍ଷ ପରେ ଏକ ନମ୍ବର ହାଟ ପୁଣି ଥର କବିରାଜ ସ୍ୱାଇଁଙ୍କ କବ୍ଚାକୁ ଆସିଛି ।

୨୦୦୫ ମସିହାରୁ ରାଜଧାନୀର ସର୍ବପୁରାତନ ଏକନମ୍ବର ହାଟ ବ୍ୟବସାୟ ସଂଘ ଗୟାଧର ସ୍ୱାଇଁଙ୍କ ଦଖଲରେ ରହିଥିଲା । କେବଳ ହାଟ ନୁହେଁ ବରଂ ହାଟରେ ଥିବା ଗଣେଷ ମନ୍ଦିର ମଧ୍ୟ ଗୟାଧରଙ୍କ କବ୍ଚାରେ ରହିଥିଲା । କବିରାଜ ଏକ ନମ୍ବର ହାଟର ସମସ୍ତ ଦାୟିତ୍ୱରୁ ମୁକ୍ତ ହୋଇ କଞ୍ଚା ପରିବା ମହାସଂଘର ସଭାପତି ଭାବେ କାର୍ଯ୍ୟ ତୁଲାଉଥିଲେ । ତେବେ ଗତକିଛି ତଳେ ହାଟର ପିଣ୍ଡି ବିକ୍ରି ଘଟଣାର ଷ୍ଟିଙ୍ଗ ଅପରେସନରେ ଗୟାଧର ଧରାପଡିବା ପରେ ବିବାଦ ସୃଷ୍ଟି ହୋଇଥିଲା । ଏହା ପରେ ବିଏମସି ଘଟଣାରେ ହସ୍ତକ୍ଷେପ କରି ଗଣେଷ ମନ୍ଦିରକୁ ଦଖଲକୁ ନେଇଯାଇଥିଲା । ସେହିଦିନ ଠାରୁ ଗୟାଧର ଆଉ ସକ୍ର୍ରିୟ ହୋଇ ହାଟର ଉନ୍ନତି କାମ କରୁନଥିଲେ ।

ହାଟର ସମସ୍ୟା ବଢିବା ସହ ଗୟାଧରଙ୍କ କାର୍ଯ୍ୟରେ ଅବହେଳାରେ ବ୍ୟବସାୟୀମାନେ ଅତିଷ୍ଠ ହୋଇପଡିଥିଲେ । ପରେ ବ୍ୟବସାୟୀମାନଙ୍କ ନିଷ୍ପତ୍ତି ଅନୁସାରେ ଆଜି (ଶୁକ୍ରବାର) ସାଧାରଣ ପରିଷଦ ବୈଠକ ବସିଥିଲା । ବୈଠକକୁ ରାଜଧାନୀ କଞ୍ଚ ପରିବା ବ୍ୟବସାୟୀ ସଂଘର ସଭାପତି ତଥା ଏକ ନମ୍ବର ହାଟର ପୂର୍ବତନ ସମ୍ପାଦକ କବିରାଜ ସ୍ୱାଇଁଙ୍କୁ ନିମନ୍ତ୍ରଣ କରାଯାଇଥିଲା । ବୈଠକରେ ସର୍ବସମ୍ମତି କ୍ରମେ ଗୟାଧର ଓ ତାଙ୍କ ଟିମକୁ ତୁରନ୍ତ ଇସ୍ତଫା ଦେବାକୁ କୁହାଯାଇଥିଲା । ମାତ୍ର ସେମାନେ ଇସ୍ତଫା ନଦେବାରୁ ସାଧାରଣ ପରିଷଦର ସଦସ୍ୟମାନେ ତାଙ୍କୁ ବହିଷ୍କାର କରିଥିଲେ ।

ଏହା ପରେ ତୁରନ୍ତ ନିର୍ବାଚନ କରାଯାଇ ନୂତନ କର୍ମକର୍ତ୍ତର ଚୟନ କରାଯାଇଥିଲା । ରଘନାଥ ବେହେରାଙ୍କୁ ସଭାପତି ଓ ମୃତ୍ୟୁଞ୍ଜୟ ସାହୁ ସମ୍ପାଦକ ସମେତ ୯ ଜଣଙ୍କୁ ଭାବେ ନିର୍ବାଚିତ କରାଯାଇଛି । ଏହି ନୂଆଟିମ ଆସନ୍ତା ରବିବାର ଦିନ ଠାରୁ କାର୍ଯ୍ୟଭାର ସମ୍ଭାଳିବେ । ନୂଆ ଟିମ ଦାୟିତ୍ୱ ନେବା ପରେ ହାଟରେ ଥିବା ବିଭିନ୍ନ ସମସ୍ୟାର ତୁରନ୍ତ ସମାଧାନ କରାଯିବ ବୋଲି କବିରାଜ ସ୍ୱାଇଁ ସୂଚନା ଦେଇଛନ୍ତି । ତେବେ ଦୀର୍ଘ ୧୯ ବର୍ଷ ପରେ ଏକ ନମ୍ବର ହାଟ କବିରାଜଙ୍କ କବ୍ଚାକୁ ଆସିବା ପରେ ବ୍ୟବସାୟୀମାନେ ଖୁସି ପ୍ରକଟ କରିଛନ୍ତି ।


Reporterspen