police commissioner : ପୋଲିସ କମିଶନର ଦୌଡ଼ରେ ଯଶୱନ୍ତ ଜେଠୱା ଓ ଅମିତାଭ ଠାକୁର

Reporterspen

police commissioner : ଭୁବନେଶ୍ୱର (ରିପୋଟର୍ସ ପେନ୍‌): ଭରତପୁର ଥାନା ଘଟଣା ପରେ ରାଜ୍ୟ ସରକାର ତୁରନ୍ତ ଆଇପିଏସ୍ ସ୍ତରରେ ଅଦଳବଦଳ କରିବାକୁ ଯାଉଛନ୍ତି । ଏନେଇ ପ୍ରସ୍ତୁତି ପ୍ରାୟ ଚୁଡାନ୍ତ ପର୍ଯ୍ୟାୟରେ ପହଁଞ୍ଚିଛି । ତେବେ ପୋଲିସ କମିଶନର କିଏ ହେବ, ସେନେଇ ଏବେ ତର୍ଜମା ଚାଲିଥିବା ବେଳେ ଯଶୱନ୍ତ ଜେଠୱା ଓ ଅମିତାଭ ଠାକୁରଙ୍କ ନାଁ ସର୍ବାଗ୍ରେ ରହିଛି ।

ଭରତପୁର ଘଟଣାରେ ପୋଲିସ ଡିଜି ଓ ପୋଲିସ କମିଶନରଙ୍କ ମଧ୍ୟରେ ସମନ୍ୱୟ ନଥିବା ଏକ ପ୍ରକାର ସ୍ପଷ୍ଟ ହୋଇଥିଲା । ଏହା ପରେ ଦୁର୍ଗାପୂଜା ପରେ ହେବାକୁ ଥିବା ଅଦଳବଦଳ ପୂଜା ପୂର୍ବରୁ କରାଯିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ତେବେ ପୋଲିସ କମିଶନର କିଏ ହେବ, ଡିଜିପିଙ୍କ ପରାମର୍ଶ କ୍ରମେ ୫ଜଣଙ୍କ ନାଁ ସଟ୍‌ଲିଷ୍ଟ କରାଯାଇଛି । ସେଥିମଧ୍ୟରେ ଭିଜିଲାନ୍ସ ନିର୍ଦ୍ଦେଶକ ଯଶୱନ୍ତ ଜେଠୱା, ଟ୍ରାନ୍ସପୋର୍ଟ କମିଶନର ଅମିତାଭ ଠାକୁରଙ୍କ ନାଁ ଆଗରେ ଥିବା ବେଳେ ଏହା ପଛକୁ ଦୀପ୍ତେଶ ପଟ୍ଟନାୟକ, ଅସିତ ପାଣିଗ୍ରାହୀ ଓ ଆରପି କୋଚେଙ୍କ ନାଁ ରହିଛି ।

ଏମାନଙ୍କ ମଧ୍ୟରୁ ଯଶୱନ୍ତ ଜେଠୱା କେନ୍ଦ୍ର ସରକାରଙ୍କ ଅଧିନରେ ବେଶ ଭଲ କାମ କରିଥିବାରୁ ତାଙ୍କ ନାଁକୁ ନେଇ ସରକାର ବେଶ ଗଭୀରତାର ସହ ଚିନ୍ତା କରୁଛନ୍ତି । ସେ ଜଣେ ଦକ୍ଷ ଓ ନିଷ୍ଠାବାନ ଅଫିସର ଭାବେ ଜଣାଶୁଣା । ତେଣୁ ସରକାର ତାଙ୍କ ନାଁରେ ମୋହର ମାରିପାରନ୍ତି । ସେପଟେ ଅମିତାଭ ଠାକୁର ପୋଲିସ ଡିଜିଙ୍କ ସହ ବେଶ ସମନ୍ୱୟ ରଖି କାମ କରିବେ ବୋଲି ଆଶା କରାଯାଉଛି । କାରଣ ପୂର୍ବରୁ ଦୁହେଁ ଏକାଠୀ କାମ କରିଥିଲେ ।

ଅମିତାଭ ଠାକୁର ଖୋର୍ଦ୍ଧା ଏସ୍‌ପି ଥିବା ବେଳେ ୱାଇବି ଖୁରାନିଆ ଡିଆଇଜି ଭାବେ ଅବସ୍ଥାପିତ ହୋଇଥିଲେ । ଏହି ସମୟରେ କମିଶନରେଟ ବ୍ୟବସ୍ଥାର ମୂଳଦୁଆ ପଡିଥିଲା । ୱାଇବି ଖୁରାନିଆ ଓ ଅମିତାଭ ଠାକୁର ସମସ୍ତ ରୋଡମ୍ୟାପ ପ୍ରସ୍ତୁତ କରିବା ସହ କମିଶନରେଟ ବିଲଡିଂର ନକ୍ସା ମଧ୍ୟ ପ୍ରସ୍ତୁତ କରିଥିଲେ । ତେବେ ଦୁହିଁଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରହିଥିବାରୁ ଅମିତାଭ ଠକୁରଙ୍କୁ ମଧ୍ୟ କମିଶନର କରିବା ନେଇ ବିଚାର କରାଯାଉଛି । ଆଉ ମାତ୍ର ଦିନେ କିମ୍ବା ଦୁଇଦିନ ମଧ୍ୟରେ ଚୁଡାନ୍ତ ତାଲିକା ପ୍ରକାଶ ବୋଲି ଜଣାପଡିଛି ।

ଉଲ୍ଲେଖଥାଉ କି, ଯଦି ଅମିତାଭ ଠାକୁର ପୋଲିସ କମିଶନର ହୁଅନ୍ତି, ତେବେ ପ୍ରଥମ ଆଇପିଏସ୍ ଅଫିସର ହେବେ, ଯିଏ କି ଡିସିପି ଦାୟିତ୍ୱ ନିର୍ବାହ କରିବା ପରେ ପୋଲିସ କମିଶନର ଭାବେ ଅବସ୍ଥାପିତ ହେବେ ।


Reporterspen