ration card: ଅକ୍ଟୋବରରୁ ରାସନ କାର୍ଡରେ ମିଳିବ ଗହମ

Reporterspen

ଭୁବନେଶ୍ୱର(ରିପୋଟର୍ସପେନ୍‌) : (ration card)ଆସନ୍ତା ମାସରୁ ପୁଣିଥରେ ରାଜ୍ୟରେ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ଗହମ ମିଳିବ। ସେମାନଙ୍କ ସମୁଦାୟ ପ୍ରାପ୍ୟର ୨୦ ପ୍ରତିଶତ ଅର୍ଥାତ୍‍ ଏକ ପଞ୍ଚମାଂଶ ଗହମ ସେମାନେ ପାଇବେ ବୋଲି ଖାଦ୍ୟ ଓ ଖଉଟୀ କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି। ଗଣମାଧ୍ୟମକୁ ଏ ବାବଦରେ ସୂଚନା ଦେଇ ସେ କହିଛନ୍ତି ‘ ‘ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମୋତେ କଥା ଦେଇଥିଲେ ଯେ ତୁରନ୍ତ ଗହମ ଦେବା ପାଇଁ। ସେ କଥା ରଖିଛନ୍ତି। ଏବେ ପୁଣିଥରେ ଗହମ ଆସିବା ଆରମ୍ଭ ହେବ। ଅକ୍ଟୋବରରୁ ସମସ୍ତ କାର୍ଡଧାରୀଙ୍କୁ ମିଳିବ ଗହମ। ଗତକାଲି ଏ ନେଇ ଆଦେଶ ଆସିଛି। ମୁଣ୍ଡପିଛା ୨୦ ପ୍ରତିଶତ ଅର୍ଥାତ ଏକ ପଞ୍ଚମାଂଶ ଗହମ ହିତାଧିକାରୀଙ୍କୁ ପ୍ରଦାନ କରାଯିବ।’

ଏବେ ଜଣେ ସାଧାରଣ ହିତାଧିକାରୀଙ୍କୁ ମାସିକ ୨୫ କିଲୋ ଚାଉଳ ସାଧାରଣ ବଣ୍ଟନ ନିୟମ ଅଧିନରେ ପ୍ରାପ୍ତ ହେଉଛି । ଏଏଥିରେ ଆନୁପାତିକ ଭାବେ ଏବେ ଗହମ ଉପଲବ୍ଧ କରାଯିବ। ତେବେ ଖାଉଟି ତଥା ହିତାଧିକାରୀ ଚାହିଁଲେ ଏହି ଅନୁପାତକୁ କମ୍‍ ବେଶୀ କରିପାରିବେ ବୋଲି ମନ୍ତ୍ରୀ କହିଛନ୍ତି।

ଆଗରୁ ରାଜ୍ୟବାସୀଙ୍କୁ ଚାଉଳ ସହ ଗହମ ମିଳୁଥିଲା। କିନ୍ତୁ ବିଜୁ ଜନତା ଦଳର ସରକାର କେନ୍ଦ୍ର ଆଗରେ ଓଡ଼ିଶାକୁ ଏକ ଚାଉଳ ଖାଉଟି ରାଜ୍ୟ ଭାବେ ଅଭିହିତ କରି ଗହମ ବନ୍ଦ କରିଦେଇଥିଲେ। ହେଲେ ବିଧାନସଭାରେ ଗହମ ପ୍ରଦାନ ପାଇଁ ବିଧାୟକ ମାନେ ଦାବି କରିଥିଲେ। ରାଜ୍ୟରେ ବଢ଼ୁଥିବା ମେଦ ବହୁଳତା ତଥା ମଧୁ ମେହକୁ ଆଖି ଆଗରେ ରଖି ପିଡିଏସ୍‍ରେ ଗହମ ପ୍ରଦାନ ପାଇଁ ଦାବି ହୋଇଥିଲା। ଏହାକୁ ଭିତ୍ତିକରି ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଗୁରୁବାରଦିନ କେନ୍ଦ୍ର ସରକାର ଏନେଇ ଚିଠି ଲେଖି ଓଡ଼ିଶା ସମେତ ୯ ରାଜ୍ୟକୁ ଗହମ ପ୍ରଦାନ ପାଇଁ ନିଷ୍ପତ୍ତି ନେଇଥିବା ଜଣାଇଛନ୍ତି।

ରାଜ୍ୟରେ ଏବେ ଇ କେଓ୍ୱାସି ପ୍ରକ୍ରିୟା ଚାଲିଛି। ଏହା ମାଧ୍ୟମରେ ହିତାଧିକାରୀଙ୍କୁ ପୁଣିଥରେ ଚିହ୍ନଟ କରାଯାଉଛି। ରାଜ୍ୟ ବାହାରେ ଥିବା ହିତାଧିକାରୀ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ଏଥିପଲାଗି କୌଣସି ଅନ୍ତିମ ତାରିଖ ଦିଆଯାଇ ନାହିଁ। ଯେ କୌଣସି ସମୟରେ ହିତାଧିକାରୀ ସେମାନଙ୍କ ଆଧାର ମାଧ୍ୟମରେ ଏହି ପ୍ରକ୍ରିୟାରେ ଭାଗ ନେଉଛନ୍ତି ବୋଲି ଶ୍ରୀ ପାତ୍ର କହିଛନ୍ତି। ଏହି ପକ୍ରିୟାରେ ଜାଲ ହିତାଧିକାରୀଙ୍କୁ ଚିହ୍ଟ କରାଯାଇପାରୁଛି। ଏହି ପ୍ରକ୍ରିୟା ଶେଷ ହେବା ପରେ ନୂଆ ହିତାଧିକାରୀ ସାମିଲ ହେବେ ବୋଲି ଶ୍ରୀ ପାତ୍ର କହିଛନ୍ତି।


Reporterspen