Unit-1 Market: ‘ଷ୍ଟ୍ରିଟ୍ ପାର୍କିଂ ନହେଲେ ହାଟ ବ୍ୟବସାୟ ଉପରେ ପ୍ରଭାବ ପଡିବ’

Reporterspen

Unit-1 Market: ଭୁବନେଶ୍ୱର (ରିପୋଟର୍ସ ପେନ୍‌) : ରାଜଧାନୀର ସର୍ବପୁରାତନ ଏକ ନମ୍ବର ହାଟ ସାମ୍ନା ଅର୍ଥାତ ରାଜମହଲରୁ ଏଜି ଯିବା ରାସ୍ତାର ବାମପାର୍ଶ୍ୱରେ ବାଇକ୍ ପାର୍କିଂ ପାଇଁ ନିଷ୍ପତି ନେଇଛି । ଏକାମ୍ର ବିଧାୟକ ବାବୁ ସିଂ, ବିଜେପି ନେତା ଜଗନ୍ନାଥ ପ୍ରଧାନ, ମେୟର ସୁଲୋଚନା ଦାସ ଓ ହାଟ ବ୍ୟବସାୟୀ ସଂଘର ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଏକ ନମ୍ବର ହାଟ ସାମ୍ନାରେ ଷ୍ଟ୍ରିଟ ପାର୍କିଂ ଯୋଗୁଁ ବିଶେଷ ଟ୍ରାଫିକ ସମସ୍ୟା ଉପୁଜିବ ନାହିଁ । ହେଲେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଏହି ପାର୍କିଂକୁ ଉଠାଇବା ଲାଗି ହୀନ ଉଦ୍ୟମ ଆରମ୍ଭ କରିଛନ୍ତି । ଯଦି ବିଏମସି ସେମାନଙ୍କ କଥାରେ ପାର୍କିଂକୁ ବନ୍ଦ କରିଦିଲ, ତେବେ ହାଟ ଉପରେ ଏହା ଗୁରୁତର ପ୍ରଭାବ ପକାଇବ ବୋଲି ଏକନମ୍ବର ହାଟ ବ୍ୟବସାୟୀ ସଂଘ କହିଛି ।

ପୂର୍ବରୁ ଏକ ନମ୍ବର ହାଟ ସାମ୍ନାର ଦୁଇଟି ଲେନରେ ପାର୍କିଂ ଯୋଗୁଁ ପ୍ରବଳ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଥିଲା । ଏହାକୁ ନଜରରେ ରଖି ରାସ୍ତାର ଅପରପାର୍ଶ୍ୱ ତଥା ମାର୍କେଟ ବିଲଡିଂ ନିକଟରେ ଏକ ବହୁତଳ କାର ପାର୍କିିଂ ନିର୍ମାଣ କରାଯାଇଥିଲା । ଏହି କାର ପାର୍କିଂ ବା ଏମ୍‌ଏଲ୍‌ସିପି ନିର୍ମାଣ କରାଯିବା ପରେ ଏହି ପାର୍କିଂ ବନ୍ଦ କରାଯାଇଥିଲା । ପାର୍କିଂ ବନ୍ଦ ଯୋଗୁଁ ହାଟର ବ୍ୟବସାୟ ଉପରେ ଏହାର ପ୍ରଭାବ ପଡିଥିଲା । ଗ୍ରାହକମାନେ ହାଟକୁ ଆସିବାକୁ ଅନିଛା ପ୍ରକାଶ କରିଥିଲେ । ବ୍ୟବସାୟୀ ଓ ଗ୍ରାହକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସେଠାରେ ପାର୍କିଂ କରାଯିବା ନେଇ ଏକ ବୈଠକ ବସିଥିଲା । ଏକାମ୍ର ବିଧାୟକ, ମେୟର ଓ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ଉପସ୍ଥିତିରେ ସେଠାରେ ପୁନଃଶ୍ଚ ପାର୍କିଂ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ପ୍ରାୟ ଦୁଇ ବର୍ଷ ବନ୍ଦ ରହିବା ପରେ ପୁଣି ଥରେ ବିଧିବଦ୍ଧ ଭାବରେ ଏଠାରେ ପାକିଂ ଆରମ୍ଭ ହେବ ।

ତେବେ ବିଏମସିର ଏହି ନିଷ୍ପତ୍ତି ପରେ କିଛି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ହାଟ ନାଁରେ ରାଜନୀତି କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ବିଧିବଦ୍ଧ ପାର୍କିଂ ପୂର୍ବରୁ ସେମାନେ ସ୍ମାଟସିଟି ଓ ବିଏମସି ଅଧିକାରୀଙ୍କ ଉପର ଚାପ ପକାଇବା ଆରମ୍ଭ କରିଛନ୍ତି । ଟ୍ରାଫିକ ସମସ୍ୟାର ଦ୍ୱାହୀ ଦେଇ ସେମାନେ ବ୍ୟବସାୟୀ ଓ ଗ୍ରାହକଙ୍କ ସ୍ୱାର୍ଥରେ ବାଧା ଦେବାକୁ ଉଦ୍ୟମ କରୁଛନ୍ତି । ଏହି କୁଚକ୍ରୀ ଗୋଷ୍ଠୀଙ୍କ କଥାକୁ କର୍ଣ୍ଣପାତ ନକରିବାକୁ ହାଟ ବ୍ୟବସାୟୀ ସଂଘ କହିଛି ।

ରାଜଧାନୀ କଞ୍ଚା ପରିବା ବ୍ୟବସାୟୀ ସଂଘ ସଭାପତି କବିରାଜ ସ୍ୱାଇଁ କହିଛନ୍ତି, ପାର୍କିଂ ପାଇଁ ମଞ୍ଜୁରୀ ମିଳିବା ପରେ ହାଟରେ ଗ୍ରାହକଙ୍କ ସଂଖ୍ୟା ବଢ଼ିଛି । ପାର୍କିଂ ଅନ୍ୟପଟେ ଜବରଦଖଲ ଯୋଗୁଁ ମାର୍କେଟକୁ ରାସ୍ତା ସଙ୍କୁଚିତ ହୋଇଯାଇଛି । ମାର୍କେଟକୁ ପ୍ରବେଶ ଓ ପ୍ରସ୍ଥାନ ପାଇଁ ଥିବା ୨୦ଫୁଟିଆ ରାସ୍ତାରେ ବହୁ ବ୍ୟବସାୟୀ ବେଆଇନ ଭାବରେ ପସରା ମେଲାଇଥିବାରୁ ସମସ୍ୟା ହେଉଛି ଏଣୁ ଏହାକୁ ଜବରଦଖଳ ମୁକ୍ତ କରାଯାଉ । ସବୁ ସମସ୍ୟାର ସମାଧାନ ହୋଇଯିବ ।

ବ୍ୟବସାୟୀ ସଂଘ କହିଛି, ପାର୍କିଂ ପାଇଁ ଯେଉଁ ଜାଗା ଅଛି ସେଠାରେ ପ୍ରାୟ ୫ଶହ ଗାଡ଼ି ପାଇଁ ବ୍ୟବସ୍ଥା ଅଛି । ମାର୍କେଟରେ ୧୪୦୦ବ୍ୟବସାୟୀ ଅଛନ୍ତି । ପ୍ରତିଦିନ ଶହ ଶହ ଗ୍ରାହକ ଆସନ୍ତି ।ଏଣୁ ଏହି ଜାଗା ଯଥେଷ୍ଟ ହେଉ ନାହିଁ ।

ଉଲ୍ଲେଖଥାଉ କି, ରାଜଧାନୀର ସବୁଠାରୁ ବଡ ଓ ପୁରାତନ ହାଟ ଭାବେ ପରିଚିତ ୧ ନମ୍ବର ହାଟରେ ପ୍ରବଳ ଭିଡ଼ ହୁଏ । ଗ୍ରାହକଙ୍କ ସହ ବେପାରୀଙ୍କର ସାରା ଦିନ ଯିବା ଅସିବା ଲାଗି ରହିଥାଏ । ଏଥିପାଇଁ ହାଟକୁ ଲାଗି ଏକ ବଡ଼ ପାର୍କିଂ ଜାଗା ରହିଛି । ବଏମସି ଏହାକୁ ନିଲାମ ଦେଇଥିବାରୁ ଏଠାରେ ବିଧିବଦ୍ଧ ଭାବରେ ପାର୍କିଂ ହେଉଛି । ଏଠାରେ ପ୍ରାୟ ୪ଶହରୁ ୫ଶହ ଗାଡ଼ି ରହିବା ଭଳି ବ୍ୟବସ୍ଥା ରହିଛି । ହେଲେ ତାହା ପ୍ରର୍ଯ୍ୟାପ୍ତ ହେଉନାହିଁ । ଏଥିପାଇଁ ଷ୍ଟ୍ରିଟ ପାର୍କିଂର ଆବଶ୍ୟକତା ରହିଛି ।


Reporterspen