Bhaba Das arrested: ଭୁବନେଶ୍ୱର (ରିପୋଟର୍ସ ପେନ୍) : ବିଜେଡିର ଟାଣୁଆ ନେତା ପ୍ରଣବ ପ୍ରକାଶ ଦାସ ଓରଫ ବବିଙ୍କ ଭାଇ ଲଲ ଓରଫ ଭବ ପ୍ରସାଦ ଦାସ ଗିରଫ ପରେ ଜାମିନ ଆବେଦନ କଲେନାହିଁ । ଜାମିନ ମିଳିବାର ସମ୍ଭାବନା ଥିବା ସତ୍ୱେ ସେ ନିଜ ସମର୍ଥକଙ୍କ ବିରୋଧରେ ଥିବା ମାମଲା ପ୍ରତ୍ୟାହାର ନହେବା ଯାଏ ସେ ଜେଲରେ ରହିବେ ବୋଲି ରୋକଠୋକ୍ ଶୁଣାଇଥିଲେ । ତେବେ ଲଲଙ୍କ ଏଭଳି ମହାନତାକୁ ନେଇ ଯାଜପୁର ବିଜେଡି ଶିବିରରେ ଶିହରଣ ଖେଳିଯାଇଛି ।
ଅଭିଯୋଗ ଅନୁସାରେ, ମା’ ବିରଜା ପ୍ରକଳ୍ପ ଲାଗି ହାଟକୁ ଅନ୍ୟତ୍ର ଉଠାଇ ନେବାକୁ କୁହାଯାଇଛି । ନୂଆ ଜାଗାରେ ମଧ୍ୟ କେତେକ ବ୍ୟବସାୟୀ ବସି ବେପାର କରୁଛନ୍ତି । ହେଲେ ଏହି ହାଟକୁ ନେଇ ବିବାଦ ଲାଗି ରହିଛି । ତେବେ ଗୁରୁବାର ସକାଳେ ପୁରୁଣା ମା’ ବିରଜା ହାଟକୁ ମଦନ ନାୟକ ନାମକ ଜଣଙ୍କ ପରିବା ବ୍ୟବସାୟୀ ପରିବାପତ୍ର ବିକ୍ରି କରିବାକୁ ଆସିଥିଲେ । ସେଠାରେ ବ୍ୟବସାୟ କରୁଥିବା ବେଳେ ଲଲ ଦାସଙ୍କ ନେତୃତ୍ୱରେ ୫୦ରୁ ଊର୍ଦ୍ଧ୍ୱ୍ୱ ଲୋକ ଆସି ତାଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିଲେ ।
ଏପରି ତୁରନ୍ତ ପରିବା ଧରି ହାଟରୁ ପଳାଇବାକୁ ସେମାନେ ଧମକ ଦେଇଥିଲେ । କିନ୍ତୁ ସେ ରାଜି ନହେବାରୁ ଭବଙ୍କ ଲୋକମାନେ ତାଙ୍କୁ ମାଡ ମାରି ପରିବା ନଷ୍ଟ କରି ଦେଇଥିଲେ । ଏମିତିକି ତାଙ୍କ ପକେଟରେ ଥିବା ୧୨,୦୦୦ ଟଙ୍କା ନେଇ ଯାଇଥିଲେ । ଏନେଇ ଥାନାରେ ଅଭିଯୋଗ ହେବା ପରେ ସମସ୍ତଙ୍କ ନାଁରେ ଭାରତୀୟ ନ୍ୟାୟ ସଂହିତା (BNS)ରେ ଥିବା ଧାରା ୧୧୫(୨), ୨୯୬, ୩(୫), ୩୦୩ (୨), ୩୨୪(୪)ରେ ମାମଲା ରୁଜୁ ହୋଇଥିଲା ।
ତେବେ ବବି ଦାସଙ୍କ ଭାଇକୁ ଗିରଫ କରି ହଲଚଲ ସୃଷ୍ଟି କରିବାକୁ ପୋଲିସ ଉପର ଅଦୃଶ୍ୟ ଚାପ ପଡିଥିଲା । ବବିଙ୍କ ଲୋକପ୍ରିୟତା ଓ ଲଲ ସଂଗଠନ ଯୋଗୁଁ ତାଙ୍କୁ ଗିରଫ କରିବା ପୋଲିସ ପାଇଁ ବଢିଥିଲା । ପରେ ଗତକାଲି ବିଳମ୍ବିତ ରାତିରେ ପୋଲିସ ଡିଆଇଜି, ବରିଷ୍ଠ ଅଧିକାରୀ ସମେତ ପ୍ରାୟ ୧୨ପ୍ଲାଟୁନ ପୋଲିସ ଭବଙ୍କ ଘରେ ପହଞ୍ଚି ତାଙ୍କୁ ଉଠାଇ ଆଣି କଳିଙ୍ଗ ନଗର ଥାନାରେ ଅଟକ ରଖିଥିଲେ । ପରେ ଆଜି ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତାଙ୍କ ବିରୋଧରେ ଥିବା ସମସ୍ତ ଦଫା ଜାମିନ ଯୁକ୍ତ ଥିବା ବେଳେ ସେ ବେଲ ଆବେଦନ କରିନଥିଲେ । ସେ କହିଥିଲେ, ଏହି ଘଟଣାରେ ଅନେକ ଲୋକଙ୍କୁ ମିଛ ମାମଲାରେ ଗିରଫ କରାଯାଇଛି । ସେମାନଙ୍କୁ ଜାମିନ ନମିଳିବା ଯାଏ, ସେ ଜେଲରେ ରହିବେ । ଲଲଙ୍କ ଏଭଳି ମହାନତାକୁ ନେଇ ଯାଜପୁରରେ ଚର୍ଚ୍ଚା ଜୋର ଧରିଛି ।