ସର୍ତକ କଲା ପୋଲିସ: ନକଲି ତାନ୍ତ୍ରୀକଙ୍କ ଠାରୁ ଦୂରେଇ ରୁହ

Reporterspen

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଆଜିର ଡିଜିଟାଲ ଯୁଗରେ ବି ଲୋକେ ଗୁଣିଗାରେଡି ଭଳି ଅନ୍ଧବିଶ୍ୱାସରେ ଫସୁଛନ୍ତି । ତନ୍ତ୍ରବଳରେ ଅସାଧ୍ୟ ରୋଗ ଭଲ ହେବା ଆଶାରେ କେଉଁଠି ଲୋକେ ଜୀବନ ହରାଉଛନ୍ତି ତ ଆଉ କେଉଁଠି ମୃତ୍ୟୁ ସହ ସଂଗ୍ରାମ କରି ହସପିଟାଲକୁ ଯାଉଛନ୍ତି । ଏଭଳି ଘଟଣା ନଜରକୁ ଆସିବା ପରେ ଓଡ଼ିଶା ପୋଲିସ ଲୋକଙ୍କୁ ସତର୍କ କରିଛି ।

ଓଡ଼ିଶା ପୋଲିସ ସୋସିଆଲ ମିଡ଼ିଆ ‘ଏକ୍ସ’ରେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ନହେବାକୁ ପରାମର୍ଶ ଦେଇଛି । ପୋଲିସ କହିଛି, ଅନ୍ଧବିଶ୍ୱାସର ବଶବତ୍ତୀ ହୁଅନ୍ତୁ ନାହିଁ । ତନ୍ତ୍ର ଶକ୍ତି ମାଧ୍ୟମରେ ଅସୁସ୍ଥ ରୋଗୀଙ୍କୁ ସୁସ୍ଥ କରିଦେବାର ଦାବି କରୁଥିବା ନକଲି ତାନ୍ତ୍ରୀକଙ୍କ ଠାରୁ ଦୂରେଇ ରୁହନ୍ତୁ । ନଚେତ ଆପଣଙ୍କ ଦୁର୍ବଳତାର ଫାଇଦା ଉଠାଇବା ସହ ଜୀବନକୁ ବିପଦରେ ପକାଇ ପାରନ୍ତି । ଯେ କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ପୋଲିସର ଏଭଳି ପରାମର୍ଶକୁ ସାଧାରଣରେ ପ୍ରସଂଶା କରାଯାଉଛି ।

ଉଲ୍ଲେଖଥାଉ କି, ଗତ କିଛିଦିନ ତଳେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଅଞ୍ଚଳର ରେସ୍ମା ବେହେରା ଏଭଳି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଏବେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ସୂଚନା ଅନୁସାରେ, ୨୦୨୧ ମସିହାରେ ସିନ୍ଧେକେଲା ଥାନା ଇଚ୍ ଗାଁର ଜଣେ ଯୁବତୀ ରେସ୍ମାଙ୍କୁ ତେଜରାଜ ରଣା ଚିକିତ୍ସା କରିଥିଲେ । ମା’ର ମୃତ୍ୟୁ ପରେ ଯୁବତୀ ଜଣକ ବିଭିନ୍ନ ସମୟରେ ହଠାତ୍ ଚମକି ଭୟଭୀତ ହୋଇପଡ଼ୁଥିବାରୁ ପରିବାର ଲୋକେ ତାଙ୍କୁ ଡାକ୍ତରଖାନାକୁ ନେଇ ଚିକିତ୍ସା କରାଇଥିଲେ । ବିଭିନ୍ନ ପ୍ରକାର ପରୀକ୍ଷା କରାଯିବା ପରେ ମଧ୍ୟ ଯୁବତୀ ଜଣକ ସୁସ୍ଥ ହୋଇନଥିଲେ । ପରେ ଲୋକଙ୍କ କଥାରେ ପଡ଼ି ପରିବାର ଲୋକେ ଗୁଣିଗାରେଡ଼ି କଲେ ହିଁ ଠିକ୍ ହେବ ବୋଲି ମନସ୍ଥ କରିଥିଲେ । ଗୁଣିଆ ସାଜିଥିବା ଜାମୁଟଝୁଲା ଗାଁର ତାନ୍ତ୍ରୀକ ବାବା ତେଜରାଜଙ୍କ ନିକଟକୁ ଯୁବତୀଙ୍କୁ ନେଇଥିଲେ । ସେଠାରେ ଥିବା ଏକ ମନ୍ଦିରରେ ପ୍ରାୟ ଘଂଟାଏ ଧରି ପୂଜା କରିଥିଲେ ।

ପୂଜା ସମୟରେ ତାନ୍ତ୍ରୀକ ଜଣକ ଯୁବତୀଙ୍କ ମୁଣ୍ଡ ଓ ହାତରେ ଅନେକ ଛୁଞ୍ଚିି ପୂରାଇଥିବାରୁ ରକ୍ତସ୍ରାବ ହୋଇଥିଲା । ସେହିପରି ଶରୀରର ଅନେକ ସ୍ଥାନରେ କ୍ଷତ ମଧ୍ୟ ରହିଥିବା ପରିବାର ଲୋକେ କହିଛନ୍ତି । ପରେ ମୁଣ୍ଡରୁ ୮ରୁ ଅଧିକ ଛୁଞ୍ଚିି ବାହାର କରିସାରିଥିବା ଯୁବତୀଙ୍କ ବାପା ବିଷ୍ଣୁ ବେହେରା କହୁଥିବା ବେଳେ ସିଟି ସ୍କାନ୍ କରିବାରୁ ଆହୁରି ପ୍ରାୟ ୩୦ରୁ ଅଧିକ ଛୁଞ୍ଚିି ଥିବା ଜଣାପଡ଼ୁଥିବା ସେ କହିଛନ୍ତି । ତେବେ ୪ ବର୍ଷ ତଳେ ଏଭଳି ଚିକିତ୍ସା କରି ଯୁବତୀଙ୍କୁ ଏକ ପ୍ରକାରର ମାରି ଦେବା ପାଇଁ ପ୍ରାୟସ କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।

ଚିକିତ୍ସା ସମୟରେ ତାନ୍ତ୍ରୀକ ତେଜରାଜଙ୍କୁ ଲକ୍ଷାଧିକ ଟଙ୍କା ଦିଆଯାଇଥିଲା । ତେବେ ଯୁବତୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ପରିବାର ଲୋକ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତ୍ତି କରିଛନ୍ତି । ଏ ନେଇ କଂଟାବାଞ୍ଜି ଥାନାରେ ଅଭିଯୋଗ ପରେ ପୋଲିସ ତେଜରାଜକୁ ଗିରଫ କରିଛି ।


Reporterspen

Leave a Reply