commissionerate police: ଭୁବନେଶ୍ୱର (ରିପୋଟର୍ସ ପେନ୍) : କମିଶନରେଟର ଟ୍ରାଫିକ ପୋଲିସ ଏବେ ଆକ୍ଟିଭ ମୋଡକୁ ଆସିଛି । ସହରରେ ଗାଡି-ମୋଟର ଚଳାଚଳ ଲାଗି ଉର୍ଦ୍ଦିଷ୍ଠ ରାସ୍ତା କଡରେ ବେଆଇନ ପାର୍କିଂ ଉପରେ ପୋଲିସ ଚଢାଉ ଆରମ୍ଭ କରିଛି । ଆଜି ପ୍ରଥମ ଦିନରେ ବରମୁଣ୍ଡା, ଖଣ୍ଡଗିରି, ଏଜି ଓ କଳ୍ପନା ଛକ ଆଦି ଅଞ୍ଚଳରେ ଟ୍ରାଫିକ ପୋଲିସ ପକ୍ଷରୁ ଚଢାଉ କରାଯାଇଥିଲା । ଚଢାଉ ବେଳେ ପ୍ରାୟ ୧୦୦ରୁ ଅଧିକ ବେଆଇନ ପାର୍କିଂ କରାଯାଇଥିବା ଗାଡିକୁ ଜବତ କରାଯାଇଥିବା ବେଳେ ୬୦ରୁ ଅଧିକ ଗାଡିକୁ ଚାଲାଣ କଟାଯାଇଛି ।
ସୂଚନା ଅନୁସାରେ, ସହରର ମୁଖ୍ୟ ରାସ୍ତା କଡରେ ଗଢିଥିବା ଦୋକାନ-ବଜାର ସମ୍ମୁଖରେ ବେଆଇନ ପାର୍କିଂ ଯୋଗୁଁ ସହରରେ ସାଧାରଣ ଲୋକଙ୍କ ଯାତାୟତରେ ଘୋର ଅସୁବିଧା ସୃଷ୍ଟି ହେଉଛି । ଟ୍ରାଫିକ ପୋଲିସ କେତେକ ପ୍ରମୁଖ ସ୍ଥାନରେ ଚଢାଉ କରୁଥିବା ବେଳେ ବାକି ଅଞ୍ଚଳରେ ନାହିଁ ନଥିବା ସମସ୍ୟା ଉପୁଜୁଛି । ଏନେଇ ଟ୍ରାଫିକ ଏସିପି ଉମାକାନ୍ତ ପ୍ରଧାନ ଓ ଡିସିପି (ଟ୍ରାଫିକ) ତପନ କୁମାର ମହାନ୍ତି ଅବଗତ ହେବା ପରେ ଏନେଇ ଏକ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି । ଏହି ଯୋଜନା ଅନୁସାରେ ଆଜି (ଶନିବାର) ସହରର କେତେକ ପ୍ରମୁଖ ସ୍ଥାନରେ ଚଢାଉ କରାଯାଇଛି । ଚଢାଉ ବେଳେ ବେଆଇନ ପାର୍କିଂ କରାଯାଇଥିବା ଗାଡିକୁ ଜୋରାମାନା କରାଯାଇଛି । ଏଥିସହିତ ଯେଉଁ ଦୋକାନ ସମ୍ମୁଖରେ ପାର୍କିଂ କରାଯାଇଛି, ସେହି ଦୋକାନୀକୁ ତାଗିଦ କରାଯାଇଛି । ଯଦି ଆଗରେ ଏଭଳି ପାର୍କିଂ ହୁଏ, ତେବେ ଦୋକାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ଚେତାବନୀ ଦେଇଛି ।
ଅପରପକ୍ଷରେ ମଞ୍ଚେଶ୍ୱର ଶିଳ୍ପାଞ୍ଚଳର ମୁଖ୍ୟରାସ୍ତା ତଥା ଥାନାରୋଡରେ ବେଆଇନ ପାର୍କିଂ ପୋଲିସର ଚିନ୍ତା ବଢାଇ ଦେଇଛି । ଉକ୍ତ ରାସ୍ତାର ଦୁଇ ପାଶ୍ୱର୍ରେ ଦୁଇଟି ମଦ ଦୋକାନ, ଏକାଧିକ ହୋଟେଲ-ଲଜ ଓ ମଦବାର ଥିବାରୁ ସେମାନେ ରାସ୍ତାକୁ ଏକ ପ୍ରକାର ଆବଦ୍ଧ କରିଦେଇଛନ୍ତି । ଫଳସ୍ୱରୂପ ଉକ୍ତ ରାସ୍ତାରେ ଗାଡି ମୋଟର ଚଳାଚଳ ଏକ ପ୍ରକାର ଠପ ହୋଇପଡୁଛି । ସେହିପରି ଥାନା ସମ୍ମୁଖରେ ୫୦ରୁ ଅଧିକ ୪ଚକିଆ ଓ ଟ୍ରକ ରାସ୍ତା ଉପରେ ଏଣେତେଣେ ବିଛାଡି ହୋଇପଡିରହିଛି । ଏନେଇ ଅଭିଯୋଗ ହେବା ପରେ ଡିସିପି ଟ୍ରାଫିକ ଟିମଙ୍କ ସେଠାରେ ପହଞ୍ଚି ଏହାର ଅନୁଧ୍ୟାନ କରିଛନ୍ତି । ଖୁବଶୀଘ୍ର ସେଠାରେ ଚଢାଉ କରାଯାଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି ଶ୍ରୀମହାନ୍ତି କହିଛନ୍ତି ।