crime news: ଭୁବନେଶ୍ୱର (ରିପୋଟର୍ସ ପେନ୍) : ସାହାଯ୍ୟ କରିବା ବାହାନାରେ ଜଣେ ଯୁବତୀଙ୍କୁ ଆରପିଏଫ ବା ରେଳ ସୁରକ୍ଷା ବଳର ଏଏସଆଇ ଅସଦାଚରଣ କରିଛନ୍ତି । ଏନେଇ ଯୁବତୀ ଜଣକ ରେଳବାଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଭୁବନେଶ୍ୱର ଆରପିଏଫ ଏଏସଆଇ ନିରଞ୍ଜନ ଜେନାକୁ ଗିରଫ କରିଛି ।
ଯୁବତୀଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ଘର ଜଗତସିଂପୁରରେ ହୋଇଥିବା ବେଳେ ସେ ଭୁବନେଶ୍ୱରର ଏକ ହଷ୍ଟେଲରେ ରହୁଥିଲେ । ଦୁଇ ଦିନ ତଳେ ଟ୍ରେନ୍ରେ ଆସି ଭୁବନେଶ୍ୱର ଷ୍ଟେସନରେ ଓହ୍ଲାଇଥିଲେ । ମାତ୍ର ହଷ୍ଟେଲ ବନ୍ଦ ଥିବାରୁ ଆରପିଏଫ ଥାନାକୁ ଯାଇଥିଲେ । ସେଠାରେ ଏଏସଆଇ ନିରଞ୍ଜନ ତାଙ୍କୁ ଏକ ରୁମ୍ରେ ରହିବା ପାଇଁ କହିଥିଲେ ।
ଯୁବତୀ ରୁମ୍ ଭିତରକୁ ଯିବାପରେ ତାଙ୍କୁ ଏକୁଟିଆ ପାଇ ନିରଞ୍ଜନ କବାଟ ବନ୍ଦ କରି ଦେଇଥିଲେ ଓ ଯୁବତୀଙ୍କୁ ଅସଦାଚରଣ କରିଥିଲେ । ଏଥିରେ ଭୟଭୀତ ହୋଇ ଯୁବତୀ ଜଣଙ୍କ ପିସିଆରକୁ କଲ୍ କରିଥିଲେ । ତତ୍କ୍ଷଣାତ ପୋଲିସ ପହଂଚି ଉକ୍ତ ରୁମ୍ରୁ ଯୁବତୀଙ୍କୁ ଉଦ୍ଧାର କରିଥିଲା । ଏନେଇ ଯୁବତୀ ଜଣଙ୍କ ରେଳବାଇ ଥାନାରେ ଅଭିଯୋଗ କରିବା ପରେ ଏଏସଆଇ ନିରଞ୍ଜନଙ୍କୁ ଗିରଫ କରିଛି । ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।