rasulgarh murder: ଭୁବନେଶ୍ୱର (ରିପୋଟର୍ସ ପେନ୍) : ସହଦେବ ନାଏକ ହତ୍ୟା ଘଟଣାରେ ୩ ପରିବାର ମେଳି ହେବା ପଛରେ ଭିନ୍ନ ଭିନ୍ନ କାରଣ ରହିଛି । କିନ୍ତୁ ସମସ୍ତଙ୍କର ଗୋଟିଏ ଲକ୍ଷ୍ୟ ଥିଲା ସହଦେବକୁ ରାସ୍ତାରୁ ହଟାଇବା । ତଦନ୍ତ ବେଳେ ପୋଲିସ ଏହା ଜାଣିବାକୁ ପାଇଛି । ସେହିପରି ଏହି ଘଟଣାରେ ଅନ୍ୟତମ ହତ୍ୟାକାରୀ ସୁଶାନ୍ତ ନାଏକ ଓରଫ ସୁଶେଇ ରାଜ୍ୟ ବାହାରକୁ ଚମ୍ପଟ ମାରିଥିବା ଜଣାପଡିଛି । ପୋଲିସ ତାକୁ ଧରିବାକୁ ଉଦ୍ୟମ କରୁଛି ।
ବିଶେଷ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ, ଲକ୍ଷ୍ମୀଧର ନାୟକର ପତ୍ନୀ ଲିପିକା ନାୟକ ବିଏମସିର ସଫେଇ କର୍ମଚାରୀ ଭାବେ କାମ କରୁଥିଲା । ହେଲେ ସ୍ୱାମୀ ଲକ୍ଷ୍ମୀଧର ସହ ନିଶା କାରବାରରେ ଲିପ୍ତ ରହୁଥିଲା । ଇତି ମଧ୍ୟରେ ସହଦେବ ପୋଲିସ ମିତ୍ର ଭାବେ କାମ ଆରମ୍ଭ କରିଥିଲା । ପୋଲିସର ମିତ୍ର ହେବା ପରେ କାମ କରିବା ପରେ ସେ ଲିପିକାକୁ ବାରଣ କରିଥିଲେ । ସେ ନମାନିବାରୁ ତାକୁ କାମରୁ ବାହାର କରିଦେଇଥିଲା । ଏହାକୁ ନେଇ ଦୁଇ ପରିବାର ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ବାଦ-ବିବାଦ ମଧ୍ୟରେ ଗତ ଡିସେମ୍ବର ମାସରେ ସହଦେବର ସୂଚନା ଆଧାରରେ ଅବକାରୀ ବିଭାଗ ଲିପିକାକୁ ଗିରଫ କରିଥିଲା । ଏହାକୁ ନେଇ ଲିପିକା ସହଦେବାକୁ ରାସ୍ତାରୁ ହଟାଇବା ଲାଗି ଧମକ ଦେଇଥିଲା ।
ସେହିପରି ସେହିବସ୍ତିରେ ରହୁଥିବା ଲକି ଓରଫ ଲକ୍ଷ୍ମୀ ନାଏକ ଓ ସ୍ୱାମୀ ରାକେଶ ନାୟକ ଓରଫ ଅଣ୍ଡା ମଧ୍ୟ ନିଶା କାରବାରରେ ସଂପୃକ୍ତ ଥିଲେ । ଏହାକୁ ସହଦେବ ବିରୋଧ କରିବାରୁ ସେ ଆସି ତାଙ୍କ ଘର ପାଖରେ ଗାଳିଗୁଲଜ କରିଥିଲେ । ଏପରିକି ତାଙ୍କ ପରିବାରକୁ ଅଶ୍ଲୀଳ ଭାଷାରେ ଗାଳି ଗୁଲଜ କରିଥିଲେ । ଯାହାକୁ ନେଇ ସହଦେବ ଓ ପୁତୁରାମାନେ ରାଗି ଯାଇଥିଲେ । ଏହାର କିଛିଦିନ ପରେ ସହଦେବର ସହଯୋଗୀ ଓ ପରିବାର ଲୋକେ ଖାରବେଳନଗର ଅଞ୍ଚଳରେ ଲକିକୁ ହାଣିଥିଲେ । ଏନେଇ ତାଙ୍କ ବିରୋଧରେ ସେତେବେଳେ ୩୦୭ ଦଫାରେ ମାମଲା ରୁଜୁ ହୋଇଥିଲା । ଏହାକୁ ନେଇ ଲକି ଓ ଅଣ୍ଡା ସହଦେହ ଓ ତାଙ୍କ ପରିବାର ବିରୋଧୀ ହୋଇଥିଲେ । ସେମାନେ ମଧ୍ୟ ପ୍ରତିଶୋଧ ନେବାକୁ ସୁଯୋଗ ଅପେକ୍ଷାରେ ରହିଥିଲେ ।
ଅନ୍ୟପକ୍ଷରେ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ସୁଶାନ୍ତ ନାଏକ ଓରଫ ସୁସେଇ ସହିତ ମଧ୍ୟ ସହଦେବର ଶତ୍ରୁତା ରହିଥିଲା । ସୁସେଇ ସଫେଇ କର୍ମଚାରୀ ଭାବେ ବିଏମସିରେ କାମ କରୁଥିଲା । ସେ ସଫେଇ କର୍ମଚାରୀ ସଂଘର ନେତା ହେବାକୁ ଇଚ୍ଛା ପ୍ରକାଶ କରିଥିଲା । ହେଲେ ତାର ଆଚରଣ ଓ ଅପରାଧୀକ କାର୍ଯ୍ୟକଳାପକୁ ସହଦେବା ପସନ୍ଦ କରୁନଥିଲା । ଫଳରେ ସହଦେବ ଏକ ରାଜନେତାଙ୍କ ସହାୟତାରେ ତାକୁ ବିଏମସି ସଫେଇ କର୍ମଚାରୀରୁ ବିଦା କରିଥିଲା । ଏପରିକି ଆଉ ସଂଘର ନେତା ହେବାକୁ ଦେଇନଥିଲା । ସେତେବେଳେ ସହଦେବର ରାଜନେତାଙ୍କ ସହ ସମ୍ପର୍କ ଥିବାରୁ ସୁସେଇ ବାଧ୍ୟ ହୋଇ କେଦାରପଲ୍ଲୀ ଛାଡି ଡୁମୁଡୁମା ପଳାଇଯାଇଥିଲା । ହେଲେ ସହଦେବକୁ ପାନେ ଦେବାକୁ ସୁଯୋଗ ଖୋଜୁଥିଲା ।
ଲିପିକା ଜେଲ ଯିବା ପରେ ସହଦେବ ବିରୋଧୀମାନେ ଏକଜୁଟ ହୋଇଥିଲେ । ତାକୁ ରାସ୍ତାରୁ ହଟାଇବା ଲାଗି ଯୋଜନା ଚଳାଇଥିଲେ । ତେବେ ୫ ତାରିଖରେ ଲିପିକା ଜେଲରୁ ବେଲରେ ଆସିବା ପରେ ଏନେଇ ୭ ତାରିଖରେ ସୁସେଇ ଘରେ ଏକ ଗୁପ୍ତ ବୈଠକ ବସିଥିଲା । ୮ ତାରିଖ ସକାଳେ ଯୋଜାନାକୁ ବାସ୍ତବ ରୂପ ଦେଇଥିଲେ । ତଦନ୍ତ ବେଳେ ପୋଲିସ ଏଭଳି ତଥ୍ୟ ହାସଲ କରିବା ସହ ଫେରାର ଅଭିଯୁକ୍ତ ସୁସେଇକୁ ଧରିବାକୁ ଉଦ୍ୟମ କରୁଛି । ତେବେ ସୁସେଇ ପୋଲିସକୁ ଚକମା ଦେଇ ରାଜ୍ୟ ବାହାରକୁ ପଳାଇଥିବା କୁହାଯାଉଛି । ପୋଲିସ ତାକୁ ଧରିବାକୁ ଉଦ୍ୟମ ଚଳାଇଛି ।