odisha news ଭୁବନେଶ୍ୱର (ରିପୋଟର୍ସ ପେନ୍) : ସମୟର ସ୍ରୋତରେ ଉଜୁଡି ଯାଉଥିବା ଆମ ସଂସ୍କୃତି, ପ୍ରକୃତି, ପରମ୍ପରା ଓ ବଣ-ପାହାଡକୁ ସାଇତି ରଖିବା ସକାଶେ ସରକାରୀ ସ୍ତରରେ କାହିଁଯେ କେତେ ପଦକ୍ଷେପ ନିଆଯାଉଛି । ହେଲେ ଏଥିରୁ କେତେ ସୁଫଳ ମିଳୁଛି… ତାହାର ମୂଲ୍ୟାଙ୍କନ କରିବା ପରକଥା । ମାତ୍ର ଏଭଳି ଏକ ଆହ୍ୱାନ ଓ ଅଭିଳାଷକୁ ସାକାର ରୂପ ଦେବାର ଦୃଢ଼ ସଂକଳ୍ପ ନେଇ ପରଦାକୁ ଆସିଛି ଚଳଚ୍ଚିତ୍ର ‘ରଙ୍ଗଶୁର’ ।
ସଚ୍ଚିକାନ୍ତ ଜେନା ଓ ପ୍ରଶାନ୍ତ ବେହେରା ପ୍ରଯୋଜିତ ତଥା ପ୍ରତାପ ରାଉତଙ୍କ ନିର୍ଦ୍ଧେଶିତ ରଙ୍ଗଶୁର’ ଫିଲ୍ମ ଲୁପ୍ତପ୍ରାୟ ଲୋକାନୃତ୍ୟ ବାଘ ନୃତ୍ୟକୁ ନେଇ ଗତିଶୀଳ ହୋଇଛି । ଓଡ଼ିଶାର ଗଞ୍ଜାମର ଦିଗପହଣ୍ଡି ଓ ସୋନପୁରର ବିନିକା ଅଞ୍ଚଳରେ ଦେଖା ଯାଉଠିଥିବା ଚିତିରା ବାଘ ନୃତ୍ୟକୁ ବଞ୍ଚାଇ ରଖିବାନେଇ ଫିଲ୍ମରେ ପ୍ରୟାସ ହୋଇଛି । ହେଲେ….. ଏଥିରେ ସମାଜ ସଂସ୍କାର ପାଇଁ ଭରପୁର ବାର୍ତ୍ତା ରହିଛି । ଯେମିତି ଜଙ୍ଗଲ ସୁରକ୍ଷା, ପୁଅଝିଅର ତାରତମ୍ୟକୁ ଦୂର କରିବା, ମାସିକ ଧର୍ମବେଳେ ମହିଳାଙ୍କୁ ପୂଜାପାର୍ବଣରୁ ଦୁରେଇ ରଖିବା ଆଦି ଅନେକ ସଂସ୍କାରଧର୍ମୀ ବାର୍ତ୍ତା ରହିଛି l ଯାହାକୁ ଶାସ୍ତ୍ରାନୁମୋଦିତ ଭାବରେ ଫିଲ୍ମର ଚରିତ୍ର ମାଧ୍ୟମରେ ବୁଝାଇ ଦିଆଯାଇଛି। ବାଘ ବଞ୍ଚିଲେ ଜଙ୍ଗଲ ବଞ୍ଚିବ… ଜଙ୍ଗଲ ବଞ୍ଚିଲେ… ଆମେ ବଞ୍ଚିବା ପାଇଁ ସ୍ଲୋଗାନ ଦିଆଯାଇଛି ।
ଘଞ୍ଚ ଜଙ୍ଗଲରେ ରହୁଥିବା ଏକ ପରିବାର ବାଘ ନୃତ୍ୟକୁ କୌଳିକ ବୃତ୍ତି ଭାବରେ ଧରିନେଇ ଗୁଜୁରାଣ ମେଣ୍ଟାଣ୍ଟି । ଫିଲ୍ମର ନାୟିକା ଚିତ୍ରା (ସୂର୍ଯ୍ୟମୟୀ) ଜନ୍ମରୁ ମା’ କୁ ହରାଇଛି l ମା’ ମରିଯିବାପରେ ବାପକୁ ମା-ବାପା ଭାବରେ ଧରି ବଢ଼ିବାରେ ଲାଗିଛି । ବିଶ୍ୱାସ ଅନୁସାରେ ପୁଅମାନେ ବାଘ ନାଚ କରନ୍ତି । ଜଙ୍ଗଲ ଓ ପାହାଡ଼ ଫାଙ୍କରେ ଅଙ୍କାବଙ୍କା ହୋଇ ଗଡି ଆସୁଥିବା ଝରଣାର ନାଦରେ ବଢ଼ି ଚାଲିଥିବା ଚିତ୍ରା ବାପ ପାଖରୁ ବାଘ ନାଚ ଶିଖି କୌଳିକ ବୃତିକୁ ବଞ୍ଚାଇ ରଖିବା ପାଇଁ ସଂକଳ୍ପ ନେଇଛି । ଗାଁ ଲୋକଙ୍କ ବିରୋଧସତ୍ୱେ ସେ ନାଚିଛି ଆଉ ପ୍ରଶଂସା ବି ସାଉଁଟିଛି । ନିଜର ଆଦର୍ଶଗତ ଜୀବନ ଓ ନିଶାବେପାରୀଙ୍କୁ ବିରୋଧ ଯୋଗୁଁ ସେମାନଙ୍କ କୋପ ଦୃଷ୍ଟିରେ ପଡିଛି ଚିତ୍ରା । ପାଇଛି ନିର୍ଯାତନା…. ଜୀବନରୁ ମାରି ଦେବାକୁ ହୋଇଛି ଏକାଧିକଥର ଆକ୍ରମଣ । ଏମିତି ଅନେକ ଘଟଣା ଘଟିଛି ଫିଲ୍ମରେ…।
ଫିଲ୍ମରେ ରହିଛି ରହସ୍ୟ, ରୋମାଞ୍ଚ, ରୋମାନ୍ସ ଓ ସଂଗୀତର ପ୍ରାବଲ୍ୟ । ଓଡ଼ିଶାର ମାଟି, ପାଣି, ପବନର ବାସ୍ନା ରହିଛି ରଙ୍ଗଶୁର’ରେ । ତେବେ ରାଜନୀରଞ୍ଜନଙ୍କ ପାଟ୍ରୋପଯୋଗୀ ସଂଳାପ ଚରିତ୍ର ଗୁଡିକୁ କରିଛି ଜୀବନ୍ତ କରିଛି। ଏହାର ବିଭିନ୍ନ ଭୂମିକାରେ ସୂର୍ଯ୍ୟମୟୀ, ସମରେଶ, ଚୌଧୁରୀ ବିକାଶ ଦାସ, ଚୌଧୁରୀ ଜୟପ୍ରକାଶ ଦାସ, ସମରେଶ, ଦୀପାନ୍ୱିତଙ୍କ ଅଭିନୟ ଚିତ୍ରକୁ କରିଛି ପ୍ରାଣବନ୍ତ । ତେବେ ନିର୍ଦେଶକଙ୍କ ନିର୍ଦେଶନା ଓ ସୂର୍ଯ୍ୟମୟୀ ଅଭିନୟ ଦର୍ଶକଙ୍କୁ ବାନ୍ଧି ରଖିବାରେ ସହାୟକ ହେବ ।
ଫିଲ୍ମରେ କୁସଂସ୍କାରକୁ ସମାଜରୁ ଦୂର କରିବା ଏବଂ ବାଘନାଚ ଓ ଜଙ୍ଗଲ ସୁରକ୍ଷା ଭଳି ଭାବେ ମୂଲ୍ୟବାନ ବାର୍ତ୍ତା ରହିଥିବାରୁ ରାଜ୍ୟ ସରକାର ଏହାକୁ ଟିକସ ମୁକ୍ତ କଲେ ରାଜ୍ୟବାସୀ ଫିଲ୍ମଟିକୁ ଦେଖିବାର ସୁଯୋଗ ପାଇପାରନ୍ତେ । ତେଣୁ ସରକାର ଏହା ଉପରେ ବିଚାର କରିବା ଉଚିତ ।