weather news: ଭୁବନେଶ୍ୱର (ରିପୋଟର୍ସ ପେନ୍) : ଆଜିଠାରୁ ରାଜ୍ୟରେ ତାତି ବଢିଥିବା ବେଳେ ଆସନ୍ତାକାଲିଠୁ ପଶ୍ଚିମ ଓଡ଼ିଶା ଜଳିବ । ଏନେଇ ପାଣିପାଗ ବିଭାଗ ସପ୍ତାହରେ ୪ ଦିନ ପାଇଁ ହିଟ ୱେଭ୍ ୱାର୍ଣ୍ଣିଂ ବା ଗ୍ରୀଷ୍ମ ପ୍ରବାହ ନେଇ ସତକ କରିଛି । ୧୩,୧୪, ୧୫ ଓ ୧୬ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାରେ ଅସମ୍ଭାଳ ତାତି ଅସ୍ତବ୍ୟସ୍ତ କରିବ ବୋଲି କୁହାଯାଇଛି । ତେବେ ୪ ଦିନ ଯାଏଁ ପ୍ରବଳ ଖରା ନେଇ ୟେଲୋ ସହ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।
ପାଣିପାଗ ବିଭାଗ ଆସନ୍ତାକାଲି ଅର୍ଥାତ ୧୩ ତାରିଖରେ ବଲାଙ୍ଗୀର, ବୌଦ୍ଧ, ସମ୍ବଲପୁର ଓ ଝାରସୁଗୁଡା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ୪ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ସେହିପରି ୧୪ ତାରିଖରେ ପ୍ରବଳ ଖରା ନେଇ ୬ ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବୌଦ୍ଧ, ବଲାଙ୍ଗୀର ଓ ଅନୁଗୁଳକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୧୫ ତାରିଖରେ ପ୍ରବଳ ଖରା ନେଇ ୫ ଜିଲ୍ଲା ସୁନ୍ଦରଗଡ଼, ସୋନପୁର, ଅନୁଗୁଳ ,ବରଗଡ଼ ଓ ମୟୂରଭଞ୍ଜକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅନ୍ୟପଟେ ୧୬ତାରିଖରେ ୬ ଜିଲ୍ଲା ବଲାଙ୍ଗୀର , ବୌଦ୍ଧ, ସୋନପୁର, ବରଗଡ଼, ସୁନ୍ଦରଗଡ ଓ ମୟୂରଭଞ୍ଜକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ସେପଟେ ଦିନରେ ଗ୍ରୀଷ୍ମ ପ୍ରବାହ ସହ ରାତିରେ ଉଷ୍ମ ରାତିର ଅନୁଭବ ହେବ ବୋଲି ବିଭାଗ ପୂର୍ବାନୁମାନ କରିଥିବା ବେଳେ, ଏନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେପଟେ ପଶ୍ଚିମ ଓଡ଼ିଶାରେ ହୋଇପାରେ ନିଆଁବର୍ଷା । ପାରଦ ୪୦ ଡିଗ୍ରୀ ଉପରକୁ ପାର କରିବା ସମ୍ଭାବନା ରହିଛି । ଗତ ୨୪ ଘଂଟାରେ ବୌଦ୍ଧରେ ସର୍ବାଧିକ ୩୯.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଭୁବନେଶ୍ୱର ସର୍ବାଧିକ ୩୫.୪ ଡିଗ୍ରୀ ଓ କଟକରେ ୩୫.୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।