Murder: ଭୁବନେଶ୍ୱର (ରିପୋଟର୍ସ ପେନ୍) : ସାରା ରାଜ୍ୟରେ ରଙ୍ଗର ପର୍ବ ହୋଲି ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଉଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ଅପରାଧୀମାନେ ରକ୍ତର ହୋଲି ଖେଳିଛନ୍ତି । କଟକ, ଭୁବନେଶ୍ୱର, ଗଞ୍ଜାମ, ବ୍ରହ୍ମପୁର ଓ ସମ୍ବଲପୁର ସହରରେ ୬ଟି ମୁଣ୍ଡ ଗଡିଛି । କେବଳ ରାଜଧାନୀ ଭୁବନେଶ୍ୱରରେ ଦୁଇଟି ହତ୍ୟାକାଣ୍ଡ ଘଟିଛି ।
ଭୁବନେଶ୍ୱର ସହିଦନଗର ଥାନା ଶାନ୍ତିପଲ୍ଲୀ ବସ୍ତିରେ ୪ଦୁର୍ବୃତ୍ତ ଜଣେ ଯୁବକଙ୍କୁ ତାଙ୍କ ଭାଇ ଓ ପତ୍ନୀଙ୍କ ସମ୍ମୁଖରେ ଛୁରୀ ଭୂଷି ହତ୍ୟା କରିଛନ୍ତି । ୪ଅଭିଯୁକ୍ତ ଗୋପୀ ନାମକ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି । ହୋଲି ଖେଳରେ ମସଗୁଲ୍ ଥିବା ରାଜଧାନୀର ହାର୍ଟ କୁହାଯାଉଥିବା ସହିଦନଗରରେ ଏଭଳି ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଛି ।
ସେହିପରି ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଜଣେ ଯୁବକଙ୍କୁ ବ୍ଲେଡରେ କାଟି ହତ୍ୟା କରାଯାଇଛି । ମୃତକ ଜଣକ ସମେଇଗାଡିଆ ଅଞ୍ଚଳର ଆୟୁଷ୍ମାନ ପତି (୩୦) ବୋଲି ଜଣାପଡିଛି । ପୂର୍ବ ଶତ୍ରୁତାକୁ ନେଇ ଏଭଳି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି । ଡିସିପି ଓ ପୋଲିସ କମିଶନର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି ।
କେବଳ ରାଜଧାନୀ ନୁହେଁ, ପୂର୍ବ ଶତ୍ରୁତାରୁ ବ୍ରହ୍ମପୁର, ସମ୍ବଲପୁର ଅନୁଗୁଳ ଓ କଟକରେ ମଧ୍ୟ ହତ୍ୟାକାଣ୍ଡ ଘଟିଛି । ସମ୍ବଲପୁର ସାହୁ କଲୋନୀରେ ଆଦିତ୍ୟ ସାଲମା ନାମକ ଜଣେ ଯୁବକଙ୍କୁ ହୋଲି ଖେଳିବାକୁ ଘରୁ ଡାକି ନେଇ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଜଣେ କି ଦୁଇ ଜଣ ନୁହଁନ୍ତି, ଏକାଧିକ ବ୍ୟକ୍ତି ଏହି ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଆଶଙ୍କା କରାଯାଉଛି ।
ସେହିପରି ସିଲକ ସିଟି ବ୍ରହ୍ମପୁରରେ ଜଣେ ଠିକାଦାରଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଛି । ଲୋକେ ହୋଲି ଖେଳରେ ମସଗୁଲ ଥିବା ବେଳେ ଲାଞ୍ଜିପଲ୍ଲୀ ଖଳାସାହିରେ ଟି.ରାମଚନ୍ଦ୍ର ପାତ୍ରଙ୍କୁ ହତ୍ୟା କରାଯାଇଛି । ସେ ବନ୍ଧୁଙ୍କ ସହ ଭୋଜିରେ ମସଗୁଲ୍ ଥବା ବେଳେ ଚନ୍ଦନ ସାବତ ଓରଫ୍ ପପୁନ୍ ପହଂଚିଥିଲା । ମଦ ପିଇବାକୁ ନେଇ କଥା କଟାକଟି ପରେ ରାମଚନ୍ଦ୍ରଙ୍କ ଘରେ ପଶି ପପୁନ ଏକ ଛୁରୀ ଆଣି ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି ।
ସେହିପରି ଅନୁଗୁଳ ନାଖରା ସାହିରେ ଭୁଜାଲି ଚୋଟରେ ଆଜାଦ ହୋସେନ ନାମକ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ମଂଟୁ ସାମନ୍ତରାୟ ଓରଫ ସୁଦୀପ ନାମକ ଜଣେ ଯୁବକ ତାଙ୍କୁ ହାଣି ହତ୍ୟା କରିିଥିବା ପୋଲିସ କହିଛି । ହୋଲି ଖେଳିବାକୁ ନେଇ ମଂଟୁ ଓ ଆଜାଦ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଅପରାହ୍ନରେ ଆଜାଦ ଗାଧୋଇବାକୁ ଯାଉଥିବା ବେଳେ ମଂଟୁ ତାଙ୍କୁ ପଛରୁ ହାଣି ହତ୍ୟା କରିଥିବା ଜଣାପଡ଼ିଛି ।
ଶେଷରେ କଟକ ବୟାଳିଶମୌଜାରେ ଗୁଳି କରି ଜଣକୁ ହତ୍ୟା କରାଯାଇଛି । ମୃତକଙ୍କ ପରିଚୟ ମିଳିନଥିବାବେଳେ ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛିି । ପୋଲିସ ଗୁଳି ଚଳାଇଥିବା ଅଭିଯୁକ୍ତଙ୍କୁ ଅଟକ ରଖିଛି ଏବଂ ହତ୍ୟାରେ ବ୍ୟବହୃତ ବନ୍ଧୁକକୁ ଜବତ କରିଛି । ଅଭିଯୁକ୍ତ ଜଣକ କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ଅଂଚଳର ଓ ସେ ଘରେ ରଙ୍ଗ କାମ କରୁଥିଲେ । ତେଣୁ, ସେ ମୃତକଙ୍କ ସହିତ ପରିଚିତ ଥିଲେ । ଶନିବାର ସେମାନେ ହୋଲି ଖେଳିଥିଲେ ଏବଂ ମଦ୍ୟପାନ କରିଥିଲେ । ଅଭିଯୁକ୍ତ ହଠାତ୍ କୌଣସି କଥାରେ ଉତେ୍ତଜିତ ହୋଇ ଗୁଳି ଚଳାଇଥିଲେ । ଏହି ଦୁଇ ଜଣଙ୍କ ବ୍ୟତୀତ ଘଟଣାସ୍ଥଳେ ଅନ୍ୟ ଲୋକମାନେ ମଧ୍ୟ ଥିଲେ । ପୁଲିସ ସେମାନଙ୍କୁ ପଚରାଉଚରା କରୁଛି ।
ତେବେ ଗୋଟିଏ ଦିନରେ ୬ଟି ମର୍ଡର ଓ ଗୋଟିଏ ଡକାୟତି ଘଟଣା ଓଡ଼ିଶା ପୋଲିସର ନିଦ ହଜାଇ ଦେଇଛି । ଅପରିପକ୍ୱ ପୋଲିସ ଓ ପାଟ୍ରୋଲିଂ ଅଭାବରୁ ରାଜ୍ୟରେ ଏଭଳି ଅପରାଧ ବଢୁଥିବା ଲୋକେ ଅଭିଯୋଗ କରିଛନ୍ତି ।