Crime News: ତାଜା ହେବ କି ପୁରୁଣା ବିବାଦ! ପାତ୍ରପଡା ଛକରେ ହାଣିଲେ

Reporterspen

Crime News: ଭୁବନେଶ୍ୱର (ରିପୋଟର୍ସ ପେନ୍‌) : ପୂର୍ବ ବିବାଦକୁ ନେଇ ଆଜି ପାତ୍ରପଡାରେ ଦୁଇ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଛନ୍ତି । ଦୁବୃତ୍ତଙ୍କ ଖଣ୍ଡା ଚୋଟରେ ପାତ୍ରପଡାର ଆଲୋକ ସାମନ୍ତରାୟ ଓ ଦିବ୍ୟଜିତ ସାମନ୍ତରାୟ ଗୁରୁତର ଆହତ ହୋଇଛନ୍ତି । ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ଆକ୍ରମଣକାରୀଙ୍କୁ ଚିହ୍ନଟ କରିଥିବା ଜଣାପଡିଛି ।

ସୂଚନା ଅନୁସାରେ, ଗତ ହୋଲି ଦିନ ରଙ୍ଗ ଖେଳ ବେଳେ କମେଣ୍ଟ ମରାକୁ ନେଇ ପାତ୍ରପଡାରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ଆଲୋକ ସାମନ୍ତରାୟଙ୍କ ଗୋଷ୍ଠୀ ବିଜୟ ପାଟଶାଣୀଙ୍କ ସହଯୋଗୀଙ୍କୁ ମାଡ ମାରିଥିଲେ । ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ କରାଯାଇଥିଲା । ହେଲେ ମାମଲା ଥାନାରେ ଏକ ପ୍ରକାର ସମାଧାନ ହୋଇଥିଲା । ମାତ୍ର ମାଡ ଖାଇଥିବା ଗୋଷ୍ଠୀ ଏଥିରେ ସନ୍ତୁଷ୍ଟ ହୋଇନଥିଲେ । ସେମାନେ ପ୍ରତିଶୋଧ ନେବାକୁ ସୁଯୋଗ ଖୋଜୁଥିଲେ ।

ଆଜି ପୂର୍ବାହ୍ଣ ପ୍ରାୟ ସାଡେ ୧୧ଟା ବେଳେ ଆଲୋକ ଓ ଦିବ୍ୟଜିତ ପାତ୍ରପଡାରେ ଛକରେ ବସିଥିଲେ । ଏହି ସମୟରେ ବିଜୟ ପାଟଶାଣୀ, ଲଲାଟ ଦାସ, ଲକି ଜେନା, ରଂଜତ ଦାସ ଓ ସହଯୋଗୀମାନେ ହାତରେ ମାରଣାସ୍ତ୍ର ଧରି ସେଠାରେ ପହଞ୍ଚିଥିଲେ । ଆଲୋକ ଓ ଦିବ୍ୟଙ୍କୁ ଘେରି ଯାଇ ପୁରୁଣା ବିବାଦକୁ ନେଇ ଗାଳିଗୁଲଜ କରିବା ସହ ହଠାତ ଆକ୍ରମଣ କରିଥିଲେ । ଖଣ୍ଡା ଓ ଭୂଜାଲି ଚୋଟରେ ଆଲାକ ଓ ଦିବ୍ୟ ଗୁରୁତର ଆହତ ହୋଇଛନ୍ତି । ଖବରପାଇ ସ୍ଥାନୀୟ ଲୋକେ ଓ ପୁଲିସ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଏମସ୍‌ରେ ଭର୍ତ୍ତି କରିଥିଲେ । ପରେ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଉଲ୍ଲେଖଥାଉ କି, ବେଶ କିଛିବର୍ଷ ହେଲା ପାତ୍ରପଡାରେ ଏକ ଚର୍ଚ୍ଚିତ ଗୋଷ୍ଠୀ ବିବାଦ ତାଜା ହୋଇରହିଛି । ଆଜିର ହାଣାକଟାରେ ମଧ୍ୟ ସେହି ଦୁଇ ଗୋଷ୍ଠୀର ଯୁବକମାନେ ସଂପୃକ୍ତ ଅଛନ୍ତି । ପୁଲିସ ଯଦି ଘଟଣାକୁ ଗମ୍ଭୀରତାର ସହ ନନିଏ, ତେବେ ଏହା ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବା ସମ୍ଭାବନା ରହିଛି ।


Reporterspen
!-- afp header code starts here -->