BDA Bhubaneswar: ଭୁବନେଶ୍ୱର (ରିପୋଟର୍ସ ପେନ୍) : ବିଡିଏ ବା ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କ ‘ପ୍ଲାନିଂ ସେକ୍ସନ’ ଏବେ ଦୁର୍ନୀତିର ଗନ୍ତାଘର ପାଲଟିଛି । ପ୍ଲାନିଂ ଅଫିସରଙ୍କ ଠାରୁ ଆରମ୍ଭ କରି ଠିକା କର୍ମଚାରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଏକ ଅସାଧୁ ମେଣ୍ଟକରି ଲୋକଙ୍କୁ ଲୁଟୁଥିବା ଅଭିଯୋଗ ହେଉଛି । ରାଜଧାନୀରେ ଘର ଖଣ୍ଡେ କରିବାକୁ ଲୋକେ ଡହଳବିକଳ ହେଉଥିବା ବେଳେ ବିଡିଏର ଏହି ଅସାଧୁ ମେଣ୍ଟ ସେମାନଙ୍କ ଲହୁ ଶୋଷି ନେଉଛନ୍ତି ।
ଅଭିଯୋଗ ଅନୁସାରେ, ଗତ କିଛିବର୍ଷ ହେଲା ଭୁବନେଶ୍ୱରରେ ଘର ଖଣ୍ଡେ କରିବାକୁ ଲୋକେ ଡହଳବିକଳ ହେଉଛନ୍ତି । ଅଧିକାଂଶ ଲୋକେ ନିଜର ଜୀବନକାଳ ମଧ୍ୟରେ ଅର୍ଜିତ କରିଥିବା ଅର୍ଥରେ ସହର ଓ ଉପକଣ୍ଠରେ ଜମି ଖଣ୍ଡେ କିଣି ଘର କରିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି । ଏହି ଲୋକମାନେ କୌଣସି ମତେ ଜମି ଖଣ୍ଡେ ସିନା କିଣି ଦେଉଛନ୍ତି, ହେଲେ ସେଥିରେ ଘର କରିବାକୁ ନାକେଦମ୍ ହେଉଛନ୍ତି । ଘର ପାଇଁ ବିଏଡିଏର ପ୍ଲାନ ଆବଶ୍ୟକ ଥିବାରୁ ଲୋକେ ସେଠାକୁ ଧାଉଁଛନ୍ତି । ହେଲେ ସେଠାରେ ଥିବା ପ୍ଲାନିଂ ସେକ୍ସନର ଏକ ଅସାଧୁ ମେଣ୍ଟ ଏହି ଲୋକଙ୍କ ଠାରୁ ଅର୍ଥ ଶୋଷି ନେଉଛନ୍ତି ।
ଏଭଳି ଶୋଷଣର ଶୀକାର ହୋଇଥିବା ଜଣେ ବ୍ୟକ୍ତି କହିଛନ୍ତି, ସରକାର ଦୁର୍ନୀତିମୁକ୍ତ କଥା କହୁଛନ୍ତି, ହେଲେ ବିଡିଏରେ ଖୋଲାଖୋଲି ଦୁର୍ନୀତି ଚାଲିଛି । ପୂର୍ବରୁ ଯାହା ଥିଲା ଥିଲା ଏବେ ନୂଆ ଅଫିସର ଆସିବା ପରେ ଦୁର୍ନୀତିର ମାତ୍ରା ବଢିଯାଇଛି । ନିଜକୁ ଦୁର୍ନୀତିମୁକ୍ତ ଦେଖାଇବା ଲାଗି ବାବୁ ଜଣକ ନିଜ ପ୍ୟାଣ୍ଟ-ସାର୍ଟରେ ପକେଟ ରଖିନାହାନ୍ତି । ହେଲେ ଅସାଧୁ ମେଣ୍ଟର ମଙ୍ଗୁଆଳ ସାଜି ମୋଟା ଅଙ୍କର ଅର୍ଥ ଚଳୁ କରୁଛନ୍ତି । ପୂର୍ବରୁ ଏହି ବାବୁ ଜଣକ ବିବାଦୀୟ ହୋଇ ଏଠୁ ବିଦା ହୋଇଥିଲେ । ଏବେ ପୁଣି ସୁପାରିଶ କରି ଆସିଥିବା ଜଣାପଡିଛି । ମୋହନ ସରକାର ଏଦିଗରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ବିଡିଏରେ ମୋର ଅଟକି ଥିବା ସରିବା ପରେ ମୁଁ ଏହି ଭଦ୍ରମୁଖା ପିନ୍ଧା ବାବୁଙ୍କ ମୁଖା ଖୋଲିଦେବି ।
ଅନ୍ୟପକ୍ଷରେ ଏକ ନିର୍ଭରଯୋଗ୍ୟ ସୂତ୍ର ଅନୁସାରେ, ବିଡିଏ ଅଞ୍ଚଳରେ ଥିବା ୧୮ଶହ ବର୍ଗଫୁଟ ଜମିରେ ଘର କରିବାକୁ ପ୍ଲାନ ନେବାକୁ ହେଲେ ଏହି ଅସାଧୁ ମେଣ୍ଟଙ୍କୁ ୫୦ରୁ ୬୦ ହଜାର ଟଙ୍କା ହାତଗୁଞ୍ଜା ଦେବାକୁ ପଡୁଛି । ଏହାବାଦ୍ ସରକାରୀ ଖର୍ଚ୍ଚ ରହିଛି । ମାସକୁ ଅତି କମରେ ୩୦୦ରୁ ୪୦୦ଟି ଜାଗାର ପ୍ଲାନ ଆପ୍ରୁଭ ଲାଗି ଆସୁଛି । ଯଦି ଛୋଟିଆ ପ୍ଲଟରୁ ଏତେ ଟଙ୍କା ହାତଗୁଞ୍ଜା ମିଳୁଛି, ତେବେ ଛୋଟ-ବଡ ମିଶିଲେ ମାସକୁ ଏହି ଅସାଧୁ ମେଣ୍ଟ କେତେ ଟଙ୍କା ନେଉଛନ୍ତି, ତାହା ସହଜରେ ଅନୁମାନ କରାଯାଇପାରେ । ଏହା ବ୍ୟତୀତ ବଡବଡ ଆପର୍ଟମେଣ୍ଟ ଓ ସପିଂ ମଲ ମଧ୍ୟ ରହିଛି । ଏହାକୁ ଆନୁମାନିକ ହିସାବ କଲେ ମାସକୁ ପ୍ଲାନିଂ ସେକ୍ସନକୁ ହାତଗୁଞ୍ଜା ବାବଦ କୋଟିଏରୁ ଅଧିକ ଟଙ୍କା ଆସୁଛି । ଏହି ଟଙ୍କା କେଉଁମାନେ ହଡପ କରୁଛନ୍ତି? ଏଥିରେ ପ୍ଲାନିଂ ଅଫିରସଙ୍କ ଭାଗ କେତେ? ଏବାବଦରେ ବିଡିଏ ଉଚ୍ଚ ଅଧିକାରୀ ଜାଣିଛନ୍ତି ତ ବୋଲି ପ୍ରଶ୍ନ ଉଠୁଛି ।