Political News: ଦୁଇ ଭାଗ ହେବ ବିଜେଡି!

Reporterspen

Political News: ଭୁବନେଶ୍ୱର, (ରିପୋଟର୍ସ ପେନ୍‌) : ବିଜୁ ଜନତା ଦଳ ବା ବିଜେଡି ଦୁଇଭାଗ ହେବ! ବରିଷ୍ଠ ଓ କନିଷ୍ଠ ନେତାମାନେ ଦୁଇ ଭାଗରେ ବିଭକ୍ତ ହେବେ । ବିଜେଡିର ଭିତିରି ମହଲରୁ ଆସିଥିବା ଏଭଳି କିଛି ଆଭାସ ଏବେ ରାଜନୈତିକ ପାଣିପାଗକୁ ଉଷ୍ମ କରିଦେଇଛି ।

୨୦୨୪ ସାଧାରଣ ନିର୍ବାଚନରେ ପରାଜୟ ବରଣ କରିବା ପରେ ବିଜେଡିରେ ଗୋଷ୍ଠି ବିବାଦ ଆରମ୍ଭ ହୋଇଥିଲା । ବରିଷ୍ଠ ଗୋଷ୍ଠୀ ଭିକେ ପାଣ୍ଡିଆନଙ୍କୁ ବିରୋଧ କରି ମେଳି କରିବା ଆରମ୍ଭ କରିଥିଲେ । ହେଲେ ରାଜନୀତିରୁ ସନ୍ୟାସ ଘୋଷଣା କରିବା ପରେ ମଧ୍ୟ ପାଣ୍ଡିଆନଙ୍କ ନିର୍ଦ୍ଦେଶରେ କନିଷ୍ଠ ଗୋଷ୍ଠୀ ଦଳ ଭିତରେ କାମ କରୁଥିଲେ । ଏପରିକି ପାଣ୍ଡିଆନ ପୁଣି ସକ୍ରିୟ ରାଜନୀତିକୁ ଆସନ୍ତୁ ବୋଲି କନିଷ୍ଠମାନେ ଚାହୁଁଛନ୍ତି । ବରିଷ୍ଠ ଓ କନିଷ୍ଠ ଗୋଷ୍ଠୀ ବିବାଦ ବିଜୁ ଜୟନ୍ତୀ ଠାରୁ ପ୍ରଘଟ ହେବାରେ ଲାଗିଥିଲା ।

ବିଜୁ ଜୟନ୍ତୀ କାର୍ଯ୍ୟକ୍ରମ ଲାଗି କନିଷ୍ଠ ଗୋଷ୍ଠୀ ନବୀନ ନିବାସ ଯାଇ ପାଣ୍ଡିଆନଙ୍କ ସହ ଆଲୋଚନା କରୁଥିଲେ । ଏହି ସମୟରେ ବରିଷ୍ଠ ଗୋଷ୍ଠୀ ପହଞ୍ଚିବାରୁ ହଠାତ ପାଣ୍ଡିଆନ ଚିଇଁକି ଉଠିଥିଲେ । କହିଥିଲେ, ମୁଁ ତୁମ ଦଳରେ ନାହିଁ, ଦଳ କଥା ସଭାପତିଙ୍କୁ ପଚାରନ୍ତୁ । ମୁଁ କେବଳ ନବୀନ ବାବୁ କୁଆଡେ ଯିବେ କି ନଯିବେ, ସେ ସମ୍ପର୍କ କହିପାରିବି । ଏମିତି କିଛି କହି ସେମାନଙ୍କୁ ବିଦା କରିଦେଇଥିଲେ । ଏହି କଥା ସେତେବେଳେ ବେଶ ଚର୍ଚ୍ଚାର ବିଷୟ ପାଲଟିଥିଲା ଏବଂ ଗୋଷ୍ଠୀ ବିବାଦର ଏକ ସ୍ପଷ୍ଟ ମଧ୍ୟ ଆଭାସ ମିଳିଥିଲା ।

ଏବେ ୱାକଫ ବିଲକୁ ସମର୍ଥନ କରିବାକୁ ନେଇ ପୁଣି ବରିଷ୍ଠ ଓ କନିଷ୍ଠଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି । ସାଂସଦ ସସ୍ମିତ ପାତ୍ରଙ୍କ ଟ୍ୱିଟକୁ ବିରୋଧରେ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ପ୍ରଫୁଲ ସାମଲ, ପ୍ରତାପ ଜେନା, ଗଣେଶ୍ୱର ବେହେରା ଓ ଦେବାଶିଷ ସାମନ୍ତରାୟ ପ୍ରତିକ୍ରିୟାଶୀଳ ହୋଇଥିବା ବେଳେ କନିଷ୍ଠ ଗୋଷ୍ଠୀ କିନ୍ତୁ ନିରବ ରହିଛନ୍ତି । ସଂଜୟ ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁ ପ୍ରମୁଖ ଏପର୍ଯ୍ୟନ୍ତ ମୁହଁ ଖୋଲୁନାହାନ୍ତି ।

ବରିଷ୍ଠମାନେ ପ୍ରଶ୍ନ କରିଛନ୍ତି, ଦଳର ସଭାପତି ୱାକଫ ବିଲକୁ ବିରୋଧ କରୁଥିବା ବେଳେ ସମର୍ଥନ କରିବାକୁ ସସ୍ମିତଙ୍କୁ କିଏ ନିର୍ଦ୍ଦେଶ ଦେଇଥିଲା? ହେଲେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଏଥିପାଇଁ ସିଧାସଳକ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି । ସେ ତାଙ୍କ ନାଁ ନନେଇ ପାଣ୍ଡିଆନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ତେବେ ୱାକଫ ବିଲକୁ ନେଇ ବିଜେଡିରେ ଆରମ୍ଭ ହୋଇଥିବା ହଲଚଲ୍ ଦଳକୁ ଦୁଇଭାଗ କରିବା ଏକ ପ୍ରକାର ନିଶ୍ଚିତ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି ।

ଜଣେ ବିଜେଡି ନେତା ନିଜ ନାମ ଗୋପନ ରଖିକହିଛନ୍ତି, ଗୋଟିଏ ଗୋଷ୍ଠୀ ପାଣ୍ଡିଆନ ଓ ତାଙ୍କ ପତ୍ନୀ ଦଳର ମଙ୍ଗ ଧରନ୍ତୁ ବୋଲି ଚାହୁଁଛନ୍ତି । ଏମାନେ ଦଳ ଦଳ ହୋଇ ନବୀନ ପଟ୍ଟନାୟକଙ୍କୁ ଭେଟି ମତ ରଖିବାକୁ ଯୋଜନା ମଧ୍ୟ କରିଛନ୍ତି । ଏଥିରେ ବହୁ ଯୁବ ଓ ଅଭିଜ୍ଞ ନେତାମାନେ ଅଛନ୍ତି । ତେବେ ଦେଖାଯାଉ ସେମାନଙ୍କ ଯୋଜନା ଫଳପ୍ରଦ ହେଉଛି କି ନାହିଁ ।


Reporterspen
!-- afp header code starts here -->