Jatra: ଭୁବନେଶ୍ୱର (ରିପୋଟର୍ସ ପେନ୍) : ନରୀ ପଣ୍ଡାଙ୍କୁ ନେଇ ଯାତ୍ରା ଜଗତରେ ସୃଷ୍ଟି ବିବାଦ ଏବେ ଉଗ୍ରରୂପ ଧାରଣ କରିଛି । ନରୀ ପଣ୍ଡାଙ୍କୁ ମାଡ଼ ମରାଯିବା ଘଟଣାକୁ ନେଇ ଏବେ ଯାତ୍ରା କଳାକାର ସଂଘ ଓ ମାଲିକ ସଂଘ ମୁହାଁମୁହିଁ ହୋଇଛନ୍ତି । ଯାତ୍ରା ସଂଘ ସମ୍ପାଦକ ବାପି ପଣ୍ଡା କହିଛନ୍ତି, ନରୀ ପଣ୍ଡା ସମେତ ସମସ୍ତ କଳାକାରଙ୍କୁ ନ୍ୟାୟ ନମିଳିଲେ ଆମେ ଯାତ୍ରା ବନ୍ଦ କରିଦେବୁ । ଏହାର ଜବାବରେ ରାଜଧାନୀ ଅପେରାର ମାଲିକ ପବିତ୍ର ପାତ୍ର କହିଛନ୍ତି, ଦମ୍ ଅଛି ତ ଯାତ୍ରା ବନ୍ଦ କରି କି ଦେଖାଅ । ଯାହାକୁ ନେଇ କଳାକାର ସଂଘ ଓ ମାଲିକ ସଂଘ ଏବେ ମୁହାଁ ମୁହିଁ ସ୍ଥିତିକୁ ଆସିଛନ୍ତି ।
ହାସ୍ୟଅଭିନେତା ନରି ପଣ୍ଡାଙ୍କୁ ତୁଳସୀ ଗଣନାଟ୍ୟ ମାଲିକ ମାଡ ମାରିବା ପ୍ରସଂଙ୍ଗରେ ମାଲିକ୍ ସଂଘ ନରିଙ୍କ ସମେତ ଏକାଧିକ କଳାକାରଙ୍କୁ ଯାତ୍ରାରୁ ବ୍ୟାନ କରିଛନ୍ତି । ଏହି ଘଟଣାକୁ ନେଇ ଆଜି ଭୁବନେଶ୍ୱର ଠାରେ କଳାକାର ସଂଘ ପକ୍ଷରୁ ଏକ ବୈଠକ ବସିଥିଲା । ବୈଠକ ପରେ ସଂଘର ସମ୍ପାଦକ ବାପି ପଣ୍ଡା ଗଣମାଧ୍ୟମକୁ କହିଥିଲେ, ନରୀ ପଣ୍ଡାଙ୍କୁ ଯେପରି ଭାବେ ମାଡ ମରାଗଲା, ତାହା ଅତ୍ୟନ୍ତ ନିନ୍ଦନୀୟ । ଏହି ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ନରୀ ପଣ୍ଡାଙ୍କୁ ନ୍ୟାୟ ପ୍ରଦାନ କରାଯାଉ । ନରୀଙ୍କ ଅଭିଯୋଗ ଅନୁସାରେ, ତାଙ୍କୁ ତୁଳସୀ ଗଣନାଟ୍ୟର ମାଲିକ ନାଣ୍ଡୁ ବାବୁ ଢାବାକୁ ଡାକିଥିଲେ । ସେ ଯିବା ପରେ ତାଙ୍କୁ ଏକ କଳାକାଚ ଲଗାଯାଇଥିବା ଘରକୁ ନେଇ ମାଡ ମାରିଥିଲା । ଏପରିକି ତାଙ୍କୁ ପ୍ୟାଣ୍ଟ-ସାର୍ଟ ଖୋଲି ଗୋଇଠା ମାରିବା ସହ ଜୋରଜବରଦସ୍ତ କୋର୍ଟ ପେପରରେ ହସ୍ତଖତ କରାଇନେଇଥିଲେ ।
ସେତେବେଳେ ମାଲିକ ନାଣ୍ଡୁ ବାବୁ କହିଲେ, ସମସ୍ତ ଘଟଣାର ସିସିଟିଭି ଫୁଟେଜ ଅଛି । ହେଲେ ତଦନ୍ତ ବେଳେ ଘର ଭିତରର ସିସିଟିଭି ଫୁଟେଜ ନଥିବା ସେ ପୋଲିସ କହିଛନ୍ତି । ଏପରିକି କଳାକାଚ ଘର ହଠାତ ଧଳା କାଚରେ ପରିଣତ ହୋଇଯାଇଥିଲା । ତେଣୁ ନିରପେକ୍ଷ ତଦନ୍ତ ଲାଗି ସମସ୍ତର ପଲ୍ଲୀଗ୍ରାଫ ଟେଷ୍ଟ କରାଯାଉ । ସେହିପରି ନରୀଙ୍କ ସପକ୍ଷରେ ବାହାରିଥିବା ଜଣେ ମହିଳା କଳାକାର ଓ ପ୍ରତାପ ମହାନ୍ତିଙ୍କୁ ମଧ୍ୟ ଯାତ୍ରାରୁ ବ୍ୟାନ କରାଯାଇଛି । ନରୀ ପଣ୍ଡାଙ୍କ ସମେତ ସମସ୍ତ କଳାକାରଙ୍କ ଉପରୁ ମାଲିକ ସଂଘ ବ୍ୟାନ ଉଠାଇବା ଉଚିତ । ନହେଲେ ସଂଘର ସମସ୍ତ କଳାକାର ଅଭିନୟରୁ ଦୂରେଇ ରହିବା ସହ ଯାତ୍ରାକୁ ବନ୍ଦ କରିଦେବେ ।
ବାପି ପଣ୍ଡାଙ୍କ ଏଭଳି ରଣ ହୁଙ୍କାର ପରେ ରାଜଧାନୀ ଅପେରା ମାଲିକ ପବିତ୍ର ପାତ୍ର ତାଙ୍କୁ ମୁହଁ ତୋଡ ଜବାବ ଦେଇଛନ୍ତି । ସେ କହିଛନ୍ତି, ଯଦି କଳାକାର ସଂଘ ଅଛି ଓ ସମସ୍ତ କଳାକାର ଏକାଠି ଅଛନ୍ତି, ତେବେ ଆଜିଠାରୁ ଯାତ୍ରା ବନ୍ଦ କରିକି ଦେଖାଅ । ଯଦି ତମର କଥା ଗୋଟାଏ ଓ ବାପା ଗୋଟାଏ ତେବେ ଯାତ୍ରା ବନ୍ଦ କରିକି ଦେଖାଅ । ଏଥିସହିତ ୨୦୨୫-୨୬ ପାଇଁ ନେଇଥିବା ଅଗ୍ରିମ ଫେରସ୍ତ ଘରି ଘରେ ବସ, ଆମେ ଦେଖିବୁ ।
ଏଥିସହିତ ସେ କହିଛନ୍ତି, ଯାତ୍ରା ବନ୍ଦ କରିବାକୁ ତମେ କିଏ? ତମ ପାଖରେ କେତେ କଳାକାର ଅଛନ୍ତି? ଅଯଥା ତମେ ବିବାଦ ସୃଷ୍ଟି କରୁଛ । ମୋର ଦୁଇଟି ପାର୍ଟି ଅଛି,ସେଥିରେ ଥିବା କଳାକାର କେହି ତମ ସଂଘରେ ନାହାଁନ୍ତି । ତମେ ଲେବର ମାନଙ୍କୁ ରଖି ସଂଘ କରିଛ । ଯାତ୍ରା ବନ୍ଦ ହୋଇଲେ ଶହଶହ କଳାକାର ଜୀବିକା ହରାଇବେ । କିଏ ତାଙ୍କ ପରିବାରକୁ ପୋଷିବ ବୋଲି ପ୍ରଶ୍ନ କରିଛନ୍ତି । ଏପରିକି ସେ ପ୍ରଶ୍ନ କହିଛନ୍ତି ନରୀ ପଣ୍ଡାଙ୍କୁ ମାଡ ହୋଇଛି କିଏ ଦେଖିଛ କି? ସେ ମେଡିକାଲ ଯାଇଥିଲେ କି? ତାଙ୍କ ଦେହରୁ ରକ୍ତ ବାହାରିଛି କି? ମାମଲା ଏବେ ପୋଲିସ ପାଖରେ ଅଛି. ତଦନ୍ତରେ ଯିଏ ଦୋଷୀ ସିଏ ଦଣ୍ଡ ପାଇବ । ଅଯଥା ଘଟଣାକୁ ବିବାଦୀୟ କରନାହିଁ, ନହେଲେ ପରିସ୍ଥିତ ଭଲ ହେବ ନାହିଁ ବୋଲି ସେ ଚେତାବନୀ ଦେଇଛନ୍ତି ।