ଭୁବନେଶ୍ୱର, (ରିପୋଟର୍ସ ପେନ୍): ଭୁବନେଶ୍ୱର ଏମ୍ସରେ ଜଣେ ସିକ୍ୟୁରିଟି ଗାର୍ଡ ରୋଗୀଙ୍କ ପତ୍ନୀଙ୍କୁ ସାହାଯ୍ୟ କରିବା ଆଳରେ ତାଙ୍କ ସହିତ ଶାରୀରିକ ସଂପର୍କ ରଖି ଧୋକା ଦେଇଥିବା ଅଭିଯୋଗ ହୋଇଛି । ଏନେଇ ପୀଡ଼ିତା ମହିଳା କମିଶନଙ୍କ ଦ୍ୱାରସ୍ଥ ହେବା ପରେ ଘଟଣା ଲୋକଲୋଚନକୁ ଆସିଛି । ଏହି ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଆଜି ଜଣେ ମହିଳା ରାଜ୍ୟ ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେ ତାଙ୍କ ଅଭିଯୋଗରେ କହିଛନ୍ତି ଯେ, ତାଙ୍କ ସ୍ୱାମୀଙ୍କୁ ବ୍ଳଡ୍ କ୍ୟାନସର ହୋଇଥିଲେ । ଚିକିତ୍ସା ପାଇଁ ସେ ତାଙ୍କୁ ଭୁବନେଶ୍ୱର ଏମ୍ସ ଆଣିଥିଲେ । ସେଠାରେ ତାଙ୍କ ସ୍ୱାମୀଙ୍କ ଚିକିତ୍ସା ଚାଲିଥିବା ବେଳେ ସିକ୍ୟୁରିଟି ଗାର୍ଡ ମନୋଜ ସାହୁଙ୍କ ସଂସ୍ପର୍ଶରେ ଆସିଥିଲେ । ସେ (ସିକ୍ୟୁରିଟି ଗାର୍ଡ) ତାଙ୍କୁ ବିଭିନ୍ନ ପ୍ରକାରର ସାହାଯ୍ୟ କରୁଥିଲେ । ମେଡିସିନ ଠାରୁ ଆରମ୍ଭ କରି ରକ୍ତ ଓ ଅନ୍ୟାନ୍ୟ କାର୍ଯ୍ୟରେ ସେ ତାଙ୍କୁ ସହଯୋଗ କରୁଥିଲେ । ତେଣୁ ଧୀରେ ଧୀରେ ସେମାନଙ୍କ ମଧ୍ୟରେ ସଂପର୍କ ବଢ଼ିଲା ।
ସିକ୍ୟୁରିଟି ଗାର୍ଡ ମନୋଜ ତାଙ୍କୁ ନେଇ ଏକ ରୁମ୍ରେ ନେଇ ରଖିଥିଲେ । ସେଠାରେ ରୋଷେଇ ବାସ କରି ରହିବା ପାଇଁ କହିଥିଲେ । ଆଉ ପରବର୍ତ୍ତୀ ସମୟରେ ସେ (ସିକ୍ୟୁରିଟି ଗାର୍ଡ) ତାଙ୍କ ଇଚ୍ଛା ବିରୋଧରେ ଶାରୀରିକ ସଂପର୍କ ରଖି କରିଥିଲେ । ଭବିଷ୍ୟତରେ ସବୁ ପ୍ରକାର ସାହାଯ୍ୟ କରିବାର ପ୍ରତିଶ୍ରୁତି ଦେଇ ସିକ୍ୟୁରିଟି ଗାର୍ଡ ତାଙ୍କ ସହିତ ସଂପର୍କ ରଖିଥିଲେ । ପ୍ରତିବାଦ କଲେ ବି ସେ ଶୁଣି ନଥିଲେ ।
ଏହି ମହିଳା ଜଣଙ୍କ ଆହୁରି କହିଛନ୍ତି, ମୁଁ ସ୍ୱାମୀଙ୍କୁ ନେଇ ଏହି ହସ୍ପିଟାଲରେ ୩ ବର୍ଷ ରହିଲି । ମଝିରେ ମଝିରେ ଘରକୁ ଫେରିଛି । ପୁଣି ସ୍ୱାମୀ ଆଣି ଭର୍ତ୍ତି କରିଛି । ଶେଷରେ ସ୍ୱାମୀଙ୍କ ମୃତ୍ୟୁ ହୋଇଯାଇଥିଲା । ସ୍ୱାମୀଙ୍କ ମୃତ୍ୟୁ ପରେ ସେ (ସିକ୍ୟୁରିଟି ଗାର୍ଡ) ମୋତେ ମନ୍ଦିରରରେ ବାହା ହୋଇଥିଲା ଓ ମୋ ଛୁଆପିଲାଙ୍କର ବି ଯତ୍ନ ନେବ ବୋଲି ପ୍ରତିଶ୍ରୁତି ଦେଇଥିଲା । ମୁଁ ମଧ୍ୟ ଆଶ୍ରା ଖୋଜୁ ଥିଲି । ତେଣୁ ତା’ ସହିତ ବାହା ହେଲି । ହେଲେ ଏବେ ସେ ଧରାଛୁଆଁ ଦେଉନି । ଫୋନ୍ ଉଠାଉନାହିଁ । ସେ କାହିଁକି ଏମିତି କରୁଛି ଜାଣିନି । ମୁଁ ଚାହୁଁଛି ସେ ପୂର୍ବ ପରି ମୋର ଓ ମୋ ପିଲାଛୁଆଙ୍କ କଥା ବୁଝୁ ।
ଏହି ଘଟଣା ନେଇ ସିକ୍ୟୁରିଟି ଗାର୍ଡ ମନୋଜ କୁମାର ସାହୁଙ୍କୁ ପଚରାଯିବାରେ ସେ ଏହାକୁ ଏଡ଼ାଇ ଯାଇଛନ୍ତି । ଅନ୍ୟପକ୍ଷରେ ଭୁବନେଶ୍ୱର ଏମ୍ସ କର୍ତ୍ତୃପକ୍ଷ ତାଙ୍କୁ ହଟାଇ ଦେଇଛନ୍ତି । ସେ ଏମ୍ସ ପାଇଁ ଅନାବଶ୍ୟକ ବୋଲି କହି ସଂପୃକ୍ତ ସିକ୍ୟୁରିଟି ସଂସ୍ଥାକୁ ଚିଠି ଲେଖିଛନ୍ତି । ଅନ୍ୟପକ୍ଷରେ ଅଭିଯୋଗ ପାଇବା ପରେ ମହିଳା କମିଶନ ସେପ୍ଟେମ୍ବର ୧୩ ତାରିଖରେ ଏହାର ଶୁଣାଣି କରିବାକୁ ଦିନଧାର୍ଯ୍ୟ କରିଛନ୍ତି ।