ପରିବାରର ପ୍ରତ୍ୟେକ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା

Reporterspen

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ସୁଭଦ୍ରା ଯୋଜନା ନେଇ ରାଜ୍ୟ ସରକାର ବଡ଼ ଘୋଷଣା କରିଛନ୍ତି। ସୁଭଦ୍ରା ଯୋଜନାରେ ପରିବାରର ସବୁ ମହିଳା ସାମିଲ କରାଯିବ। ସୁଭଦ୍ରା ଯୋଜନା ନେଇ ଆଜି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଘୋଷଣା କରିଛନ୍ତି। ପରିବାରର ପ୍ରତ୍ୟେକ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା। ପରିବାରରେ ୩ କିମ୍ବା ୪ ମହିଳା ଥିଲେ ବି ପାଇବେ। ଏଥିସହ ବିଧବା କିମ୍ବା ଛାତ୍ରବୃତ୍ତି ପାଉଥିବା ଛାତ୍ରୀଙ୍କୁ ମଧ୍ୟ ମିଳିବ। ଯୋଜନାରେ ସାମିଲ ହେବେ ୧ କୋଟି ୮ ଲକ୍ଷ ମହିଳା।

ସୁଭଦ୍ରା ଯୋଜନାରେ ୫ ବର୍ଷରେ ମହିଳାଙ୍କୁ ମିଳିବ ୫୦ ହଜାର ଟଙ୍କା । ବର୍ଷକୁ ଦୁଇଟି କିସ୍ତିରେ ମିଳିବ ସହାୟତା। ରାଖୀ ଓ ଅନ୍ତର୍ଜାତୀୟ ମହିଳା ଦିବସରେ ମିଳିବ ଅର୍ଥ। ୨୧ ବର୍ଷରୁ ଅଧିକ ଏବଂ ୬୦ ବର୍ଷରୁ କମ ବୟସର ସମସ୍ତ ଯୋଗ୍ୟ ମହିଳା ମହିଳା ସୁଭଦ୍ରାରେ ସାମିଲ ହେବେ।

ବୟସ ପ୍ରମାଣପତ୍ର ପାଇଁ ଆଧାର କାର୍ଡରେ ଥିବା ଜନ୍ମ ତାରିଖକୁ ସଠିକ୍ ବିବେଚନା କରାଯିବ । ୧ ଜୁଲାଇ ୨୦୨୪ ସୁଦ୍ଧା ଯେଉଁ ମହିଳାଙ୍କ ବୟସ ୨୧ରୁ କମ୍‌ ଓ ୬୦ରୁ ଅଧିକ ହୋଇଥିବ ସେମାନେ ସୁଭଦ୍ରା ଯୋଜନାରୁ ବଞ୍ଚିତ ହେବେ ।

ଏଥିସହ ମାସକୁ ୧୫ଶହ ଟଙ୍କା କିମ୍ୱା ୧ ବର୍ଷକୁ ୧୮ ହଜାରରୁ ଅଧିକ ସହାୟତା ପାଉଥିବା ମହିଳାମାନେ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବେନାହିଁ । ବର୍ତ୍ତମାନର କିମ୍ବା ପୂର୍ବର ସାଂସଦ ବିଧାୟକଙ୍କୁ ମଧ୍ୟ ସୁଭଦ୍ରା ଯୋଜନାରେ ସାମିଲ କରାଯିବନି । ଯେଉଁ ମହିଳାମାନେ ଆୟକର ପୈଠ କରୁଛନ୍ତି ସେମାନେ ମଧ୍ୟ ସୁଭଦ୍ରା ସହାୟତାରୁ ବଞ୍ଚିତ ହେବେ ।

ସୁଭଦ୍ରା ଯୋଜନାରେ ସାମିଲ ହେବାକୁ ନିର୍ଦ୍ଧାରିତ ଫର୍ମରେ ୨୧ରୁ ୬୦ ବର୍ଷର ମହିଳାଙ୍କୁ ପ୍ରଥମେ ଆବେଦନ କରିବାକୁ ପଡିବ । ଅଫ୍‌ଲାଇନ୍‌ ଫର୍ମ ପୂରଣ ନହେଲେ ଅନ୍‌ଲାଇନ୍‌ ମାଧ୍ୟମରେ ସୁଭଦ୍ରା ପୋର୍ଟାଲରେ ମହିଳାମାନେ ଆବେଦନ କରିପାରିବେ । ଅଙ୍ଗନବାଡ଼ି କେନ୍ଦ୍ର, ବ୍ଲକ, ମୋ ସେବା କେନ୍ଦ୍ରଗୁଡିକରେ ମହିଳାମାନେ ମାଗଣାରେ ଫର୍ମ ପାଇପାରିବେ । ଆବେଦନକାରୀ ଫର୍ମ ପୂରଣ କରି ମୋ ସେବା କେନ୍ଦ୍ରରେ ଦାଖଲ କରିବା ଆବଶ୍ୟକ । ସୁଭଦ୍ରା ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ସୁଭଦ୍ରା ଏଟିଏମ୍‌ କାର୍ଡ ପ୍ରଦାନ କରାଯିବ ।


Reporterspen