‘ସୁଭ୍ରଦା’କୁ ନେଇ ଆଜି ପୁଣିଥରେ ଗୃହ ସରଗରମ, ମୁଲତବୀ ଘୋଷଣା

Reporterspen

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ମହିଳା ସଶକ୍ତିକରଣ ପାଇଁ ରାଜ୍ୟ ସରକାରଙ୍କ ନୂଆ ଯୋଜନା ‘ସୁଭ୍ରଦା’କୁ ନେଇ ଆଜି ପୁଣିଥରେ ଗୃହ ସରଗରମ ହୋଇଛି। ବିରୋଧୀ ଦଳ ସଦସ୍ୟ ଆଜି ଗୃହର ମଧ୍ୟଭାଗକୁ ଆସି ବିଭିନ୍ନ ସ୍ଲୋଗାନ ଦେବା ଦ୍ୱାରା ଅଚଳାବସ୍ଥା ସୃଷ୍ଟି  ହୋଇଥିଲା। ଏହାଦ୍ୱାରା ଗୃହର କାର୍ଯ୍ୟକୁ ବାଚସ୍ପତି ମୁଲତବୀ ଘୋଷଣା କରିଥିଲେ। ଫଳରେ ସମ୍ପୂର୍ଣ୍ଣ ପ୍ରଶ୍ନୋତ୍ତର କାଳ ବିଫଳ ହୋଇଛି।

ସୁଭଦ୍ରା ଯୋଜନାରେ ସରକାର ବର୍ଷକୁ ୧୦ ହଜାର ଟଙ୍କା ଲେଖାଏଁ ୫ ବର୍ଷ ଲାଗି ୫୦ ହଜାର ଟଙ୍କା ଦେବାକୁ ଘୋଷଣା କରିଛନ୍ତି। ଏହାକୁ ନେଇ ବିଭିନ୍ନ ସ୍ଥାନରେ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଛି।  ଯୋଗ୍ୟ ମହିଳାମାନେ ନିକଟସ୍ଥ ଅଙ୍ଗନବାଡ଼ି କେନ୍ଦ୍ର ବା ବିଭିନ୍ନ ଚିହ୍ନିତ ପଞ୍ଜିକରଣ କେନ୍ଦ୍ରରେ ନିଜର ଆବଶ୍ୟକ ନଥିପତ୍ର ଦେଖାଇ ପଞ୍ଜିକୃତ ହେବା ଲାଗି ବ୍ୟବସ୍ଥା କରାଯାଇଛି। ହେଲେ ଏହାକୁ ନେଇ ଅସନ୍ତୁଷ୍ଟ ରହିଛନ୍ତି ବିରୋଧୀ ଦଳ। ସୁଭଦ୍ରା ଯୋଜନାରେ କାହିଁକି ସବୁ  ମହିଳାଙ୍କୁ ସାମିଲ୍‍ କରାଯାଇ ନାହିଁ ତାହାକୁ ନେଇ ଆଜି ବିରୋଧୀ ଦଳ ଗୃହରେ ହଟ୍ଟଗୋଳ କରିଥିଲେ। ଏପରିକି ସରକାର ନିର୍ବାଚନ ପ୍ରତିଶୃତିରେ ୫୦ ହଜାର ଟଙ୍କା ଦେବାକୁ କହିଥିଲେ ମଧ୍ୟ ତାହା କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ।

‘ସୁଭଦ୍ରା ଯୋଜନାରେ ସବୁ ମହିଳାଙ୍କୁ ସାମିଲ୍‍ କରିବା ଆମର ଦାବି‘, ୫୦ ହଜାର ଟଙ୍କା ପ୍ରତିଶୃତି କୁଆଡ଼େ ଗଲା’ ବୋଲି ପଚାରି ଆଜି ବିରୋଧୀ ଦଳର ସଦସ୍ୟମାନେ ବାଚସ୍ପତିଙ୍କ ଆସନ ଆଡ଼କୁ ମୁହାଁଇ ପ୍ରତିବାଦ କରିଥିଲେ। ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ନିର୍ବାଚନ ସମୟରେ ସରକାରୀ ଦଳ ଗୋଟିଏ ପ୍ରତିଶୃତି ଦେଇ ସରକାରକୁ ଆସିଲେ ତାହାକୁ ବଦଳାଇବା ମହିଳାଙ୍କ ପ୍ରତି ପ୍ରତାରଣା। ଆମେ ଏହାକୁବିରୋଧ କରୁଛୁ। ସରକାର ଆଲୋଚନାକୁ ଆସନ୍ତୁ ଏବଂ ସବୁ ମିହିଳାଙ୍କୁ ୫୦ ହଜାର ଟଙ୍କା ଦେବାର ବ୍ୟବସ୍ଥା କରନ୍ତୁ ବୋଲି କହିଛନ୍ତି ପ୍ରମିଳା।

ଏହି ସମୟରେ ପ୍ରଶ୍ନୋତ୍ତର କାଳ ଚାଲିଥିବାରୁ ମୁଖ୍ୟମନ୍ତ୍ରୀ ତଥା ଗଗୃହର ନେତା ମେହନ ଚରଣ ମାଝି ବିଭିନ୍ନ ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖୁଥିଲେ। ହେଲେ ଗୃହରେ ବାଧା ଆସୁଥିବାରୁ ବାଚସ୍ପତି ସୁରମା ପାଢ଼ୀ ଆସନରୁ ଠିଆ ହୋଇ ବିଧାୟକଙ୍କୁ ଆସନକୁ ଫେରି ଯିବା ପାଇଁ ଅନୁରୋଧ କରିଥିଲେ। ‘ ଆପଣମାନେ ମୁଲତବୀ ପ୍ରସ୍ତାବ ଏ ସମ୍ବନ୍ଧରେ ରଖିଛନ୍ତି। ତାହା ଆଲଷାଚନା ପାଇଁ ସ୍ୱୀକାର କରାଯାଇଛି। ଏଣୁ ସେ ସମୟରେ ଆଲୋଚନା ବେଳେ ଆପଣଙ୍କ ଦାବି ରଖିବେ ବୋଲି ବାଚସ୍ପତି ବିଧାୟକଙ୍କୁ ନିବେଦନ କରିଥିଲେ। କିନ୍ତୁ ବିଧାୟକମାନେ ଜିଦରେ ଅଟଳ ରହିବାରୁ ଆଜି ଗୃହ କାର୍ଯ୍ୟକୁ ପୂର୍ବାହ୍ଣ ୧୧ଟା ୩୦ ଯାଏ ମୁଲତବୀ କରାଯାଇଛି।  ଏହାଦ୍‍ୱାରା ସମ୍ପୂର୍ଣ୍ଣ ପ୍ରଶ୍ନୋତ୍ତର କାଳ ବାତିଲ ହୋଇଛି।


Reporterspen