balijatra: ଚଳିତବର୍ଷ ଆରମ୍ଭ ହେବ ‘ଏକାମ୍ର ବାଲିଯାତ୍ରା’ ମହୋତ୍ସବ

Reporterspen

balijatra: ଭୁବନେଶ୍ୱର (ରିପୋଟର୍ସ ପେନ୍‌) : ଚଳିତ ବର୍ଷ ଭୁବନେଶ୍ୱର ଉପକଣ୍ଠ ବାଙ୍କୁଆଳ ନଦୀ ପଠାରେ ନୂଆ କରି ‘ଏକାମ୍ର ବାଲିଯାତ୍ରା ଓ ବୋଇତ ବନ୍ଧାଣ ଉତ୍ସବ’ ଅନୁଷ୍ଠିତ ହେବାକୁ ଯାଉଛି । ଏହାକୁ ବାଙ୍କୁଆଳ ଗ୍ରାମ୍ୟ କମିଟି ପକ୍ଷରୁ ଆୟୋଜନ କରାଯାଉଛି । ଏହାକୁ ସଫଳ କରିବା ଲାଗି କମିଟି ଜନସାଧାରଣଙ୍କୁ ଅନୁରୋଧ କରିଛି ।

ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କମିଟିର ସଭାପତି କବିରାଜ ସ୍ୱାଇଁ କହିଛନ୍ତି ଯେ, ଦୀର୍ଘଦିନ ହେଲା ବାଙ୍କୁଆଳ ସମେତ ଆଖପାଖ ଗାଁ ଲୋକେ କୂଆଖାଇର ବାଙ୍କୁଆଳ ନଦୀପଠାରେ ଏକ ବାଲିଯାତ୍ରାର ଆୟୋଜନ କରିବାକୁ ପ୍ରସ୍ତାବ ଦେଉଥିଲେ । ମାତ୍ର କୌଣସି ନା କୋଣସି କାରଣ ବସତଃ ଏହା ସମ୍ଭବ ହୋଇପାରୁନଥିଲା । ଚଳିତ ବର୍ଷ କିନ୍ତୁ, ଏକାମ୍ର ବାଲିଯାତ୍ରା ମହୋତ୍ସବ ହେବାକୁ ନିଷ୍ପତ୍ତି ନିଆଯାଇଛି ।

ଚଳିତ ବର୍ଷ ଏହି ବାଲିଯାତ୍ରା ପ୍ରଥମ କରି ଆରମ୍ଭ ହେଉଛି । ଆସନ୍ତା ୧୫ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବାଲିଯାତ୍ରାରେ ଏଥର ୩୦୦ରୁ ଉର୍ଦ୍ଧ୍ୱ ଷ୍ଟଲ ଖୋଲାଯିବାକୁ ଲକ୍ଷ୍ୟ ରଖାଯାଇଛି । ବିଭିନ୍ନ ସାମଗ୍ରୀ ସହ ମୀନାବଜାର, ରାମଦୋଳିର ବ୍ୟବସ୍ଥା ରହିଛି । ବିଶେଷ କରି ଆଦିବାସୀ ଅଞ୍ଚଳର ସାମଗ୍ରୀ ଓ ଏସଏଚଜି ଗ୍ରୁପର ହାତ ତିଆରି ଜିନିଷର ଷ୍ଟଲ ଖୋଲାଯିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିସହିତ ଲୋକଙ୍କ ମନୋରଂଜନ ଲାଗି ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସାଙ୍ଗକୁ ସେଲିବ୍ରେଟିମାନଙ୍କୁ ଆମନ୍ତ୍ରଣ କରାଯିବ । ଯାହା ଲୋକଙ୍କ ମୁଖ୍ୟ ଆକର୍ଷଣ ପାଲଟିବ । ଏଥିସହିତ ପିଲାମାନେ ବାଲି ଉପରେ ଓଟ ପିଠିରେ ବସିବାର ମଜା ମଧ୍ୟ ନେଇପାରିବେ ।

ତେବେ ବାଲିଯାତ୍ରା ଲାଗି ଅନେକ ଲୋକଙ୍କ ସମାଗମ ହେବାକୁ ଥିବାରୁ ଏଥିପାଇଁ କମିଟି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଗାଡି ପାର୍କିଂ ଠାରୁ ଆରମ୍ଭ କରି ଲୋକଙ୍କ ସୁରକ୍ଷା ଲାଗି କମିଟି ସମସ୍ୟଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯିବ । କମିଟିର ସଦସ୍ୟମାନେ ପୋଲିସ ପ୍ରଶାସନକୁ ସହଯୋଗ କରିବେ । ଏଥିସହିତ ଟ୍ରାଫିକ ସମସ୍ୟା ଉପୁଜିବା ସମ୍ଭାବନା ଥିବାରୁ ପୋଲିସ ସହଯୋଗ ଲୋଡିବୁ ଓ ସେମାନଙ୍କୁ କମିଟି ପକ୍ଷରୁ ସମସ୍ତ ସହଯୋଗ ଯୋଗାଇଦିଆଯିବ । ଏହି ବାଲିଯାତ୍ରା ଯେପରି ସାରା ରାଜ୍ୟରେ ପ୍ରସିଦ୍ଧଲାଭ କରିବ, ସେନେଇ ବିଶେଷ ଗୁରୁତ୍ୱ ଦିଆଯିବ ବୋଲି ଶ୍ରୀସ୍ୱାଇଁ କହିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ଆନନ୍ଦ ବିଶ୍ୱାଳ, ଉପ-ସଭାପତି ନିରୋଧ ସ୍ୱାଇଁ, ସାଧାରଣ ସମ୍ପାଦକ ହାଡିବନ୍ଧୁ ସ୍ୱାଇଁଙ୍କ ସମେତ ବାଙ୍କୁଆଳ ଗ୍ରାମ୍ୟ କମିଟିର ସମସ୍ତ ସଦସ୍ୟ ଓ ଏକାମ୍ର ବାଲିଯାତ୍ରା କମିଟିର ମୁଖ୍ୟ ଉପଦେଷ୍ଠା ପ୍ରମୁଖ ଉପସ୍ଥିତ ଥିଲେ ।


Reporterspen