baripada murder: ବାପା ମାଡର ପ୍ରତିଶୋଧ; ଘରେ ପଶି ଗଳା କାଟିଦେଲା

Reporterspen

baripada murder: ଭୁବନେଶ୍ୱର (ରିପୋଟର୍ସ ପେନ୍‌) : ବର୍ଷକ ତଳେ ବାପାକୁ ଦିଆଯାଇଥିବା ଅପମାନର ପ୍ରତିଶୋଧ ନେଇଛି ପୁଅ । ବାପାଙ୍କୁ ମାଡ ମରାଯାଇଥିବା ବେଳେ ପୁଅ ଘରେ ପଶି ବ୍ୟବସାୟୀଙ୍କ ଗଳା କାଟି ଦେଇଛି । ଏଭଳି ଏକ ଅଭାବନୀୟ ଘଟଣା ବାରିପଦା ସହରର ଭଞ୍ଜପୁର ଫରେଷ୍ଟ କଲୋନୀରେ ଘଟିଛି । ଏଥିରେ ବ୍ୟବସାୟୀ ତଥା ରାଜନେତା ସ୍ନେହଶିଷ ପଣ୍ଡା ଓରଫ ଟୁକୁଲଙ୍କର ମୃତ୍ୟୁ ଘଟିଥିବା ବେଳେ ପୋଲିସ ଅଭିଯୁକ୍ତ ହିଂମାଂଶୁ ମହାକୁଡକୁ ଗିରଫ କରିଛି ।

ସୂଚନା ଅନୁସାରେ, ବାରିପଦା ସହର ଭଞ୍ଜପୁର ଥାନା ଅଧିନ ଫରେଷ୍ଟ କଲୋନୀରେ ଜଣାଶୁଣା ବ୍ୟବସାୟୀ ସ୍ନେହଶିଷ ପଣ୍ଡା ପରିବାର ରହୁଛନ୍ତି । ତାଙ୍କର ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରଭାବ ରହିଥିଲା । ସେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ନେତା ଭାବେ ମଧ୍ୟ କାମ କରୁଥିଲେ । ସବୁଦିନ ପରି ଆଜି ସକାଳେ ସେ ଘରେ ଥିଲେ । ଘର ପାଖରେ ଅଷ୍ଟପ୍ରହରି ଅନୁଷ୍ଠିତ ହେଉଥିଲା । ସେ ରାତିରେ ଅଷ୍ଟପ୍ରହରି ପାଖରେ ଥିଲେ ଓ ସକାଳୁ ଘରକୁ ଫେରିଥିଲେ । ଏହାର କିଛି ସମୟ ପରେ ଜଣେ ଯୁବକ ତାଙ୍କ ଘରକୁ ଆସିଥିଲା । ସ୍ନେହଶିଷଙ୍କୁ ଭେଟିବାକୁ କହିବାରୁ ଘର ଲୋକେ ତାକୁ ତାଙ୍କ ରୁମକୁ ଯିବାକୁ କହିଥିଲେ ।

କିଛି ସମୟରେ ଯୁବକ ଜଣକ ବାହାରକୁ ଆସି ତାଙ୍କ ଝିଅକୁ କହିଥିଲା ‘ତୋ ବାପା ମୋ ବାପାକୁ ମାଡ ମାରିଥିଲା, ଯା ତା’ ଅବସ୍ଥା ଦେଖିବୁ’ । ପରେ ସେ ସେଠାରେ ଚମ୍ପଟ ମାରିଥିଲା । ପରିବାର ଲୋକେ ଯାଇ ଦେଖିବା ବେଳକୁ ସ୍ନେହଶିଷଙ୍କ ବେଗ କଟା ଯାଇଛି ଓ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଛନ୍ତି । ତୁରନ୍ତ ପୋଲିସକୁ ଅବଗତ କରିବା ସହ ତାଙ୍କୁ ବାରିପଦା ମେଡିକାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଏକ ମାମଲା ରୁଜୁ କରିବା ସହ ଘଟଣାର ଛାନଭିନ୍ ଆରମ୍ଭ କରିଥିଲା । ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ ଅଭିଯୁକ୍ତ ହିଂମାଂଶୁ ମହାକୁଡକୁ ଚିହ୍ନଟ କରିଥିଲା । ପରେ ପୋଲିସ ଅଭିଯୁକ୍ତକୁ ହେପାଜତକୁ ନେଇଥିଲା ।

ଜେରା ବେଳେ ଅଭିଯୁକ୍ତ ପ୍ରତିଶୋଧ ନେବାକୁ ଯାଇ ଏଭଳି କାଣ୍ଡ ଭିଆଇଥିବା କହିଛି । ଅଭିଯୁକ୍ତ କହିବା ଅନୁସାରେ, ଗତବର୍ଷ ହୋଲିରେ କୌଣସି କଥାକୁ ନେଇ ମୃତ ସ୍ନେହଶିଷ ଓ ଅଭିଯୁକ୍ତ ବାପାଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସ୍ନେହଶିଷ ତାଙ୍କୁ ମାଡ ମାରିଥିଲା । ଯାହାକୁ ନେଇ ସେ ମର୍ମହତ ହୋଇପଡିଥିଲା । ସାରା ଅଞ୍ଚଳରେ ତାଙ୍କର ସମ୍ମାନହାନୀ ଘଟିଥିଲା । ଏହାର ପ୍ରତିଶୋଧ ନେବାକୁ ସେ ପ୍ରତିଜ୍ଞା କରିଥିଲା । ଆଜି ଦୋଳ ପୂର୍ଣ୍ଣିମା ଦିନ ଘଟଣାକୁ ବାସ୍ତବ ରୂପ ଦେବାକୁ ସେ ଚେଷ୍ଠା କରି ସଫଳ ହୋଇଛି । ପୋଲିସ ତା’ ବୟାନକୁ ଆଧାର କରି ତଦନ୍ତ ଚଳାଇଥିବା ବେଳେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିିଛି ।


Reporterspen
!-- afp header code starts here -->