Bharatpur Case ଭୁବନେଶ୍ୱର (ରିପୋଟର୍ସ ପେନ୍): ବିଜେପି ସରକାରକୁ କାଠଗଡାକୁ ଟାଣିବାକୁ ବିରୋଧୀ ବିଜେଡି ଓ କଂଗ୍ରେସ ଜୋରଦାର ବିରୋଧ ଆରମ୍ଭ କରିଛନ୍ତି । ଘଟଣା ଏବେ ରାଜନୈତିକ ମୋଡ ନେଇଥିବା ବେଳେ ଭୁବନେଶ୍ୱର ପୋଲିସ ବିରୋଧୀ ଦଳ କଥାରେ ସରକାରଙ୍କୁ ଘେରିବାକୁ ଚେଷ୍ଠା କରୁଥିବା ଜଣାପଡିଛି । ଗତକାଲି ରିର୍ଜଭ ପଡିଆରେ ପୋଲିସ ଅଫିସର ଓ କର୍ମଚାରୀମାନେ ଏକଜୁଟ ହୋଇ ଡିଜିଙ୍କ ନିଷ୍ପତ୍ତିକୁୁ ଚାଲେଞ୍ଜ କରିବା ପଛରେ ବିରୋଧୀ ଦଳର ହାତ ଥିବା ଅଭିଯୋଗ ହେଉଛି । ଯଦି ଏହା ସତ ହୁଏ, ତେବେ ସରକାରଙ୍କ ଅଧିନରେ ଥିବା ପୋଲିସ ବିରୋଧୀଙ୍କ କଥାରେ ଉଠବସ୍ ହେବା ନିଶ୍ଚିତପକ୍ଷେ ଚିନ୍ତାର ବିଷୟ ।
କୁହାଯାଉଛି, କମିଶନରେଟ ପୋଲିସରେ କାର୍ଯ୍ୟରତ ଥିବା ପୋଲିସ କମିଶନର, ଡିସିପିଙ୍କ ଠାରୁ ଆରମ୍ଭ କରି ଇନ୍ସପେକ୍ଟରମାନେ ବିଜେଡି ସରକାର ବେଳେ ଅବସ୍ଥାପିତ ହୋଇଥିଲେ । ସାଧାରଣତଃ ସରକାରକୁ ଆନୁଗତ୍ୟ ଦେଖାଉଥିବା ଅଫିସରଙ୍କୁ ଭୁବନେଶ୍ୱର ଭଳି ଏକ ସମ୍ଭେଦନଶୀଳ ସ୍ଥାନରେ ଅବସ୍ଥାପିତ କରାଯାଇଥାଏ । ଏହିକ୍ରମରେ ପ୍ରାୟ ସବୁ ଅଫିସର ସେତେବେଳର ବିଜେଡି ସରକାରଙ୍କ ଆନୁଗତ୍ୟ ଲାଭ କରିଥିଲେ । ଏବେ ସରକାର ବଦଳିଥିଲେ ମଧ୍ୟ ସେମାନେ ପୂର୍ବ ଆନୁଗତ୍ୟକୁ ଭୁଲି ପାରୁନାହାନ୍ତ । ଫଳସ୍ୱରୂପ ସେମାନେ ବିରୋଧୀଙ୍କ କଥାରେ ପରିଚାଳିତ ହେଉଛନ୍ତି ।
ଭରତପୁର ଘଟଣା ସାରାଦେଶରେ ଚହଳ ସୃଷ୍ଟି କରିଥିବା ବେଳେ ମାମଲାକୁ ଥଣ୍ଡା କରିବା ଲାଗି ପୋଲିସ ଡିଜି କିଛି କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି । ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ମଧ୍ୟ ଚାଲିଛି । ଘଟଣାକୁ ନେଇ ବିରୋଧୀ ହୋହଲ୍ଲା କରୁଥିବା ବେଳେ ଏବେ କମିଶନରେଟ ପୋଲିସରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ଡିଜି ତଥା ସରକାରଙ୍କ ବିରୋଧରେ ଲଗାଇଦେଇଛନ୍ତି । ବିରୋଧୀଙ୍କ କଥାରେ ପୋଲିସ କର୍ମଚାରୀମାନେ ମଧ୍ୟ ଏକଜୁଟ ହୋଇ ଡିଜିଙ୍କ ନିଷ୍ପତ୍ତିକୁ ଚାଲେଞ୍ଜ କରିଛନ୍ତି । ସେପଟେ ପୋଲିସ ସଂଘର ସଙ୍ଗଠନ ସମ୍ପାଦକ ଉମେଶ ସାହୁ ମଧ୍ୟ ସରକାରଙ୍କୁ ସିଧାସଳକ ଧମକ ଦେଉଛନ୍ତି ।
ତେବେ ସରକାରଙ୍କ ଅଧିନରେ ରହି ପୋଲିସ କର୍ମଚାରୀମାନେ ଡିଜିଙ୍କୁ କିପରି ଚାଲେଞ୍ଜ କରୁଛନ୍ତି? ଯେଉଁମାନେ ଡିଜିଙ୍କ ବିରୋଧରେ ଏକଜୁଟ୍ ହୋଇଥିଲେ ସେମାନଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନେବେ ସରକାର? ସରକାର କ’ଣ ପୋଲିସ କର୍ମଚାରୀଙ୍କୁ ଡରୁଛି କି? ଡିଜିଙ୍କ ବିନା ଅନୁମତିରେ ସାମ୍ବାଦିକ ସମ୍ମିଳନୀ କରିଥିବା ସଂଘର ସଙ୍ଗଠନ ସମ୍ପାଦକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ କି?
ଏନେଇ ଅବସରପ୍ରାପ୍ତ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, ଭରତପୁର ଥାନା ଘଟଣାକୁ ନେଇ ଯେଉଁ ତୁମ୍ବିତୋଫାନ ଚାଲିଛି, ସରକାର ଚାହିଁଲେ ତାହା ଗୋଟିଏ ଦିନରେ ବନ୍ଦ ହୋଇଯିବ । ମୋ ମତରେ ପ୍ରଥମିକତା ଦୃଷ୍ଟିରୁ ପ୍ରଥମେ ପୋଲିସ କମିଶନର ଓ ଡିସିପିଙ୍କୁ ବଦଳି କରାଯାଉ । ପରେ ଅତିରିକ୍ତ ଡିସିପିଙ୍କ ଠାରୁ ଆରମ୍ଭ କରି ଇନ୍ସପେକ୍ଟର ପର୍ଯ୍ୟନ୍ତ ସବୁ ଅଫିସରଙ୍କୁ ଭୁବନେଶ୍ୱରରୁ ବଦଳି କରିବା ଆବଶ୍ୟକ । ଏଥିସହିତ ପୋଲିସ କମିଶନର ପଦବୀଟି ଜଣେ ଆଇଜି ପାହ୍ୟା ଅଫିସର ଲାଗି ଉର୍ଦ୍ଦିଷ୍ଟ । ସେହି ପଦରେ ଅତିରିକ୍ତ ଡିଜି ପାହ୍ୟା ଅଫିସରଙ୍କୁ ଦିଆଗଲେ, ଡିଜିଙ୍କ ସହ ମତାନ୍ତର ରହିବା ସ୍ୱାଭାବିକ । ତେଣୁ ଏହାକୁ ମଧ୍ୟ ଦୃଷ୍ଟି ଦିଆଯିବା ଦରକାର । ଏସବୁ କାମ କରାଗଲେ, ମାମଲା ଥଣ୍ଡା ପଡିବ ବୋଲି ମୋର ଆଶା ।