ଭୁବନେଶ୍ୱର (ରିପୋଟର୍ସ ପେନ୍): Bharatpur PS case: ଭରତପୁର ଥାନାରେ ସେନା ଅଧିକାରୀ ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀଙ୍କୁ ର୍ଦୁବ୍ୟବହାର ଓ ନିର୍ଯାତନା ମାମଲା ଏବେ ସାରାଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । କମିଶନରେଟ ପୋଲିସର ଏଭଳି ଅମାନବୀୟ କାହାଣୀ ଜାତୀୟ ଗଣମାଧ୍ୟମରେ ମଧ୍ୟ ଶିରୋନାମା ପାଲଟିଛି । ଏହି ଘଟଣା ଏତେ ବ୍ୟାପକ ହେବା ଓ ମିଡ଼ିଆରେ ତୁମ୍ବିତୋଫାନ ହେବା ପଛରେ ମୁଖ୍ୟତଃ ଦୁଇଟି କାରଣ ରହିଥିବା ଚର୍ଚ୍ଚା ହେଉଛି । କୁୁହାଯାଉଛି, ଗୋଟିଏ ହେଉଛି ଆଇପିଏସ୍ ବିବାଦ ଓ ଅନ୍ୟଟି ପୋଲିସର ଲୋକସମ୍ପର୍କ ତଥା ମିଡ଼ିଆ ମ୍ୟାନେଜମେଣ୍ଟ ଫେଲ୍ ।
ଗତ ୧୬ତାରିଖ ସକାଳେ କିଛି ଗଣମାଧ୍ୟମରେ ଭରତପୁର ଥାନାରେ ‘ମେଜରଙ୍କ ଉନ୍ମତକାଣ୍ଡ, ପୋଲିସକୁ ପିଟିଲେ’ ଶୀର୍ଷକ ଖବର ପ୍ରକାଶ ପାଇଥିଲା । ହେଲେ ପରଦିନ ଅର୍ଥାତ ୧୭ ତାରିଖରେ ଏହି ଘଟଣାକୁ ନେଇ ପୋଲିସ ଡିଜି ହଠାତ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ହେବା ପରେ ସେହିଦିନ ରାତିରେ ପୋଲିସ କମିଶନର ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ର, ଏଏସଆଇ ସଲିଳମୟୀ ସାହୁ ଓ କନଷ୍ଟେବଲ ବଳରାମ ହାଂସଦାଙ୍କୁ ବଦଳି କରିଥିଲେ । ପରଦିନ ଅର୍ଥାତ ୧୮ ତାରିଖ ସକାଳେ ପୋଲିସ ଡିଜି ଥାନା ଅଧିକାରୀ ସମେତ ୫ଜଣଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିଲେ । ଏହି ଘଟଣାକୁ ଅନୁଧ୍ୟାନ କଲେ ବରିଷ୍ଠ ପୋଲିସ ଅଧିକାରୀ ତଥା ଆଇପିଏସ୍ ବିବାଦ ସ୍ପଷ୍ଟ ବାରି ହୋଇପଡୁଛି ।
କାରଣ, ଯଦି ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ର୍ଦୁବ୍ୟବହାର ନେଇ ଡିଜିପିଙ୍କୁ ଅଭିଯୋଗ କରାଗଲା, ତେବେ ଡିଜିପି ପୋଲିସ କମିଶନରଙ୍କୁ ଏନେଇ ଅବଗତ କରିବା କଥା । ପୋଲିସ କମିଶନର ଜଣେ ଅତିରିକ୍ତ ଡିସିପି ପାହ୍ୟାର ଅଧିକାରୀଙ୍କ ମାଧ୍ୟମରେ ଘଟଣାର ତଦନ୍ତ କରିପାରିଥାନ୍ତେ । ମାତ୍ର ଏହା ନକରି ଡିଜିପି ସିଧା କ୍ରାଇମବ୍ରାଞ୍ଚକୁ ଭର୍ତ୍ତି କରି କମିଶନରେଟ ପୋଲିସକୁ ଚେକ୍ ଦେଇଥିଲେ । ସେହିପରି ପୋଲିସ କମିଶନର କାର୍ଯ୍ୟରେ ଅବହେଳା ଯୋଗୁଁ ୩ଜଣଙ୍କୁ ବଦଳି କରିଥିବା ବେଳେ ଡିଜିପି ୫ଜଣଙ୍କୁ କାର୍ଯ୍ୟରୁ ନିଲମ୍ବିତ କଲେ । ଏହାକୁ ଦେଖିଲେ ଜଣାପଡୁଛି, ଡିଜିପି ଓ ପୋଲିସ କମିଶନର ମଧ୍ୟରେ କିଛି ଠିକ୍ ଚାଲିନାହିଁ, ଦୁହିଁଙ୍କ ମଧ୍ୟରେ ଠିକ୍ରେ ସମନ୍ୱୟ ରହୁନାହିଁ ।
ଯଦି ଏହା ସତ ହୁଏ, ତେବେ ଡିଜିପି ଓ ପୋଲିସ କମିଶନରଙ୍କ ମଧ୍ୟରେ ଏହି ଶୀତଳ ଯୁଦ୍ଧ ପଛରେ ‘ସଲାମୀ’ ଅବହେଲା ବୋଲି କୁହାଯାଉଛି । ଦାୟିତ୍ୱ ଗ୍ରହଣ କରିବା ପରେ ଡିଜିପି ଯେତେବେଳେ କ୍ୟାମ୍ପ ଅଫିସ ଆସନ୍ତି, ସେତେବେଳେ କମିଶନରେଟ ପୋଲିସ ପକ୍ଷରୁ ତାଙ୍କୁ ଲାଲ୍ କାରପେଟ୍ରେ ସ୍ୱାଗତ କରିବା ସହ ‘ସଲାମୀ’ ଦେବାର ନିୟମ ରହିଛି । ମାତ୍ର ଡିଜିପି ଶ୍ରୀ ଖୁରାନିଆ ଦାୟିତ୍ୱ ନେବା ପରେ ତାଙ୍କୁ ‘ସଲାମୀ’ ଦିଆଯାଇନଥିଲା । ଯାହାକୁ ନେଇ ଡିଜିପି ଖପ୍ପା ଥିବା ଜଣାପଡିଛି । ଏହା ସହିତ ଡିଜିପି ଓ ପୋଲିସ କମିଶନରଙ୍କ ମଧ୍ୟରେ ଇଗୋ କ୍ଲାସ ମଧ୍ୟ ହେଉଛି । ଯଦି ଏହା ସତ ହୁଏ, ତେବେ ଏହି ଘଟଣାକୁ ବଡ ଆକାର ଦେବା ପଛରେ ଆଇପିଏସ୍ ବିବାଦ ମୁଖ୍ୟତଃ ଦାୟୀ ବୋଲି ଚର୍ଚ୍ଚା ହେଉଛି ।
ଅନ୍ୟପକ୍ଷରେ କମିଶନରେଟ ପୋଲିସର ମିଡ଼ିଆ ମ୍ୟାନେଜମେଣ୍ଟ ଓ ଲୋକସମ୍ପର୍କ ଫେଲ ଯୋଗୁଁ ଗଣମାଧ୍ୟମ ଏବେ ପୋଲିସର ଧଜ୍ଜିଆ ଉଡାଉଥିବା ମଧ୍ୟ କୁହାଯାଉଛି । କାରଣ, ପୋଲିସ କମିଶନରଙ୍କ ଠାରୁ ଆରମ୍ଭ କରି ଥାନା ଅଧିକାରୀଙ୍କ ପର୍ଯ୍ୟନ୍ତ କେହି ସାମ୍ବାଦିକଙ୍କୁ ସମ୍ମାନ ଦେଉନାହାନ୍ତି କିମ୍ବା ସମ୍ପର୍କ ରଖିବାକୁ ପ୍ରସ୍ତୁତ ନୁହଁନ୍ତି । ଏପରିକି ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କଦର୍ଯ୍ୟ ବ୍ୟବହାର କରୁଛନ୍ତି । ଫଳସ୍ୱରୂପ ‘ନଇଁ ପଡିଥିବ ଯେତିକି ବେଳେ, ବିଧାଏ ମାରିବ ସେତିକି ବେଳେ’ ନ୍ୟାୟରେ ସାମ୍ବାଦିକମାନେ ଏବେ ପୋଲିସର ଧଜ୍ଜିଆ ଉଡାଉଥିବା କୁହାଯାଉଛି । ଯଦି ପୋଲିସର ମିଡ଼ିଆ ମ୍ୟାନେଜମେଣ୍ଟ ଠିକ୍ ଥାନ୍ତା, ତେବେ ଏହି ଘଟଣାକୁ ନେଇ ପୋଲିସ ବିରୋଧରେ ପ୍ରସାର-ପ୍ରଚାର ପ୍ରାୟ ୫୦ ଭାଗ କମିଯାଇଥାନ୍ତା ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ ମତପ୍ରକାଶ କରିଛନ୍ତି ।