ବିଜେପିର ମୁଳ ମନ୍ତ୍ର ହେଉଛି “ସେବା ହିଁ ସଂଗଠନ” ଏବଂ ସଂଗଠନର ଆତ୍ମା ହେଉଛି “ପ୍ରାଥମିକ ସଦସ୍ୟତା”: ମନମୋହନ ସାମଲ

Reporterspen

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଭାରତୀୟ ଜନତା ପାର୍ଟ ଏକ ରାଷ୍ଟ୍ରୀୟ ପାର୍ଟି । ଏହି ଦଳ ରାଷ୍ଟ୍ରର ଚିନ୍ତାଧାରା ଉପରେ ପର୍ଯ୍ୟବେଷିତ । ଜାତୀୟତାବାଦ, ଦେଶ ଭକ୍ତି, ରାଷ୍ଟ୍ରୀୟ ଚେତନାକୁ ଜାଗ୍ରତ କରୁଥିବା ଏହି ଦଳର ବିଚାରଧାରା ହିଁ ଅନ୍ୟ ରାଜନୈତିକ ଦଳଠାରୁ ଭିନ୍ନ ପରିଚୟ ଦେଇଥାଏ । ସଂପୂର୍ଣ୍ଣ ଗଣତାନ୍ତ୍ରିକ ବ୍ୟବସ୍ଥାରେ ବିଶ୍ୱାସ କରୁଥିବା ଭାରତୀୟ ଜନତା ପାର୍ଟିର ମୁଳ ମନ୍ତ୍ର ହେଉଛି “ସେବା ହିଁ ସଂଗଠନ” ଏବଂ ସଂଗଠନର ଆତ୍ମା ହେଉଛି ପ୍ରାଥମିକ ସଦସ୍ୟତା । ସଂଗଠନକୁ ସୁଦୃଢ କରିବା ପାଇଁ ପ୍ରତି ୬ ବର୍ଷରେ ଥରେ ପ୍ରାଥମିକ ସଦସ୍ୟତା ଅଭିଯାନ ହୋଇଥାଏ ।

ସଦସ୍ୟତା ଅଭିଯାନ -୨୦୨୪ ପାଇଁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଛି । ଆଜି ରାଷ୍ଟ୍ରୀୟ ସ୍ତରରେ ଏହି ଅଭିଯାନର ଶୁଭାରମ୍ଭ ହୋଇଛି ଏବଂ ଦିଲ୍ଲୀ କାର୍ଯ୍ୟାଳୟଠାରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ସଭାପତି ଜଗତ ପ୍ରକାଶ ନଡ୍ଡା ସଦସ୍ୟତା ଗ୍ରହଣ କରିବା ପରେ ଦେଶବ୍ୟାପୀ ଏହି ଅଭିଯାନ ଶୁଭାରମ୍ଭ ହୋଇଛି । ସେହିପରି ଆସନ୍ତା କାଲି ୩ ତାରିଖ ମଙ୍ଗଳବାର ରାଜ୍ୟ କାର୍ଯ୍ୟାଳୟରେ ମାନନୀୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ସଭାପତି ଶ୍ରୀ ସାମଲ ସଦସ୍ୟତା ଅଭିଯାନର ଶୁଭାରମ୍ଭ କରିବେ । ଏହି ଅବସରରେ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟ ମନ୍ତ୍ରୀମଣ୍ଡଳର ସମସ୍ତ ସଦସ୍ୟ, ସାଂସଦ, ବିଧାୟକ ଏବଂ ରାଜ୍ୟ ପଦାଧିକାରୀ ଯୋଗ ଦେବେ ।

ଶୁଭାରମ୍ଭ କାର୍ଯ୍ୟକ୍ରମରେ ସମାଜର ବିଭିନ୍ନ ବର୍ଗର ପ୍ରତିନିଧିମାନଙ୍କୁ ସାମିଲ କରାଯିବ । ଏହାପରେ ଏହି ଅଭିଯାନ ଅଧିକ ବ୍ୟାପକ କରାଯିବ । ଅନ୍ ଲାଇନ: ମିସ୍ କଲ (୮୮୦୦୦୦୨୦୨୪), ନମୋ ଆପ୍‌, କ୍ୟୁଆର କୋର୍ଡ ଏବଂ ଅଫଲାଇନ ମାଧ୍ୟମରେ ସଦସ୍ୟତା ଗ୍ରହଣ କରାଯିବ । ଏହି ଅଭିଯାନରେ ସମାଜର ସବୁବର୍ଗର ଓ ସବୁସ୍ତରର ଲୋକ ଏଥିରେ ସାମିଲ ହୋଇପାରିବେ । ସହଜ ଓ ସୁବିଧାରେ କିପରି ସଦସ୍ୟତା ଗ୍ରହଣ କରାଯାଇପାରିବ ସେନେଇ ବ୍ୟବସ୍ଥା କରାଯାଇଛି । ଏହି ଅଭିଯାନ ପାଇଁ ଏକ ରାଜ୍ୟଠାରୁ ଆରମ୍ଭ କରି ପ୍ରତ୍ୟେକ ଜିଲ୍ଲା, ମଣ୍ଡଳ ଓ ବୁଥସ୍ତରରେ ଟିମ ଗଠନ କରାଯାଇଛି । ପ୍ରତ୍ୟେକ କାର୍ଯ୍ୟକର୍ତା ଘରକୁ ଘର ଯାଇ ସଦସ୍ୟତା ଅଭିଯାନକୁ ସଫଳ କରିବେ ବୋଲି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ।

ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି ଯେ, ସଦସ୍ୟତା ଅଭିଯାନ – ୨୦୨୪ ପାଇଁ ରାଜ୍ୟରେ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଛି । ଗତ ମାସ ୨୦ ତାରିଖରେ ରାଜ୍ୟ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହେବା ପରେ ଜିଲ୍ଲା ଓ ମଣ୍ଡଳସ୍ତରରେ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟେକ କାର୍ଯ୍ୟକର୍ତା ଘର ଘର ଯାଇ ସଦସ୍ୟତା ଅଭିଯାନରେ ସାମିଲ ହେବେ । ଗତ ସାଧାରଣ ନିର୍ବାଚନରେ ଓଡ଼ିଶାବାସୀ ଆସ୍ଥାପ୍ରକଟ କରିଥିôବାରୁ ବିଜେପି ଏଥର ରାଜ୍ୟରେ ଏକାକୀ ସରକାର ଗଠନ କରିବାରେ ସକ୍ଷମ ହୋଇଛି । ବିଶ୍ୱର ସର୍ବବୃହତ ରାଜନୈତିକ ଦଳର ସଦସ୍ୟ ହେବା ପାଇଁ ଏହି ମହା ଅଭିଯାନରେ ସାମିଲ ହୋଇ ସଦସ୍ୟ ହେବାକୁ ରାଜ୍ୟ ସଭାପତି ଶ୍ରୀ ସାମଲ ଓଡିଶାବାସୀଙ୍କୁ ଆହ୍ୱାନ କରିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ସଦସ୍ୟତା ଅଭିଯାନର ରାଜ୍ୟ ସଂଯୋଜକ ରଞ୍ଜନ ପଟେଲ, ସହ ସଂଯୋଜକ ଅଶୋକ କୁମାର ମିଶ୍ର ଏବଂ ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।


Reporterspen