BMC News: ଭେଣ୍ଡିଂ ଜୋନରେ ଘର ଆବଣ୍ଟନରେ ହେରାଫେରି!

Reporterspen

BMC News: ଭୁବନେଶ୍ୱର (ରିପୋଟର୍ସ ପେନ୍‌): ରାଜଧାନୀରେ ଥିବା ଏକାଧିକ ଭେଣ୍ଡିଂ ଜୋନରେ ଘର ଆବଣ୍ଟନରେ ହେରାଫେରି ହୋଇଥିବା ନେଇ ଅଭିଯୋଗ ହୋଇଛି । ବାପୁଜୀନଗର ସ୍ଥିତ ଝରଣା ସାହି ଭେଣ୍ଡିଂ ଜୋନରେ ଯୋଗ୍ୟ ହିତାଧିକାରୀଙ୍କୁ ଘର ମିଳିନଥିବା ବେଳେ ସେଠାରେ ପ୍ରିୟାପ୍ରୀତି ତୋଷଣ କରାଯାଇଥିବା ନେଇ ଲୋକେ ବିଏମସି ଡେପୁଟି କମିଶନଙ୍କୁ ଭେଟି ଅଭିଯୋଗ କରିଛନ୍ତି ।

ଅଭିଯୋଗ ଅନୁସାରେ, ଶିଶୁଭବନ ଛକ ନିକଟରେ ଉଠାଦୋକାନ କରିଥିବା ବ୍ୟବସାୟୀଙ୍କ ପାଇଁ ବିଏମସି ପକ୍ଷରୁ ଝରଣାସାହିରେ ଏକ ଭେଣ୍ଡିଂ ଜୋନ ନିର୍ମାଣ କରାଯାଇଥିଲା । ଉଠା ଦେକାନୀଙ୍କୁ ଚିହ୍ନଟ କରାଯିବା ସହ ଉପଯୁକ୍ତ ଲୋକଙ୍କ ଘର ଯୋଗାଇବାର ନିୟମ ରହିଛି । ମାତ୍ର ଉକ୍ତ ଅଞ୍ଚଳର କିଛି ବିଜେଡି ନେତା ତଥା କର୍ପୋରେଟର ଏହି ଭେଣ୍ଡିଂ ଜୋନ ଆବଣ୍ଟନରେ ହେରାଫେରି କରିଛନ୍ତି । ଉପଯୁକ୍ତ ଲୋକଙ୍କୁ ଘର ନଦେଇ ପ୍ରିୟାପ୍ରୀତି ତୋଷଣରେ ଆବଣ୍ଟନ କରିଛନ୍ତି ।

ଏହା ଜଣାପଡିବା ପରେ ସ୍ଥାନୀୟ ବ୍ୟବସାୟୀ ଓ ନେତାମାନେ ବିଏମସି ଡେପୁଟି କମିଶନରଙ୍କୁ ଭେଟି ଅଭିଯୋଗ କରିଛନ୍ତି । ଏହାର ପୁଙ୍ଖାନପୁଙ୍ଖ ତଦନ୍ତ କରାଯାଇ ଉପଯୁକ୍ତ ବ୍ୟକ୍ତିଙ୍କୁ ଘର ଆବଣ୍ଟନ କରାଯାଉ ବୋଲି ସେମାନେ ଦାବି କରିଛନ୍ତି । ଯଦି ବିଏମସି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରେ, ତେବେ ଆଗାମୀ ଦିନରେ ସ୍ଥାନୀୟ ଲୋକେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ।


Reporterspen