BMC News: ଡ୍ରେନ କାମ ବେଳେ ଶ୍ରମିକ ମୃତ୍ୟୁ ଘଟଣା : ବିଏମ୍‌ସି ଇଞ୍ଜିନିୟର ଓ ଠିକାଦାରଙ୍କୁ ଖସାଇବାକୁ ମସୁଧା?

Reporterspen

BMC News: ଭୁବନେଶ୍ୱର (ରିପୋଟର୍ସ ପେନ୍‌): ବିଏମ୍‌ସିର ଡ୍ରେନ କାମ ଚାଲୁଥିବା ବେଳେ ଏକ ପାଚେରୀ ଭୁଷୁଡି ପଡିବାରୁ ଜଣେ ଶ୍ରମିକର ମୃତ୍ୟୁ ଘଟିବା ସହ ଅନ୍ୟ ଜଣେ ଗୁରୁତର ଅହତ ହୋଇଛନ୍ତି । ଏହି ଘଟଣାକୁ ବିଏମ୍‌ସି ଓ ସଂପୃକ୍ତ ଠିକାଦାର ଚାପି ଦେବାକୁ ଉଦ୍ୟମ କରିଛନ୍ତି । ଶ୍ରମିକଙ୍କ ପରିବାରକୁ ଭୟଭୀତ କରିବା ସହ ଧମକ ଦେଇ ମାମଲାକୁ ରଫାଦଫା କରିବାକୁ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି । ପୋଲିସ ମଧ୍ୟ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଚୁପ୍ ବସିଯାଇଛି ।

ସୂଚନା ଅନୁସାରେ, ଗତ ୫ ତାରିଖରେ ଡୁମୁଡୁମା ରଘୁନାଥନଗରରେ ଏକ ଡ୍ରେନକାମ ଚାଲିଥିଲା । ଗାର୍ଡ ୱାଲ ନିର୍ମାଣ ପାଇଁ ଖୋଳା ଚାଲିଥିବା ବେଳେ କଡ଼ରେ ଥିବା ଏକ ପାଚେରି ଭୁଶୁଡ଼ି ପଡ଼ିଥିଲା । ଫଳରେ ଦୁଇଜଣ ଶ୍ରମିକ ପାଚେରୀ ତଳେ ଚାପି ହୋଇରହି ଯାଇଥିଲେ । ତାଙ୍କୁ ଉଦ୍ଧାର କରାଯାଇ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ୭ତାରିଖ ଦିନ ଶ୍ରମିକ ଗଞ୍ଜାମ ଗଞ୍ଜାମ ଶେରଗଡ଼ର ଥୁରୁବୁରାଇର କୋରା ସ୍ୱାଇଁଙ୍କର ମୃତ୍ୟୁ ଘଟିଥିଲା । ଅନ୍ୟଜଣେ ଶ୍ରମିକ ସୁସ୍ଥ ହୋଇଫେରିଥିଲେ ।

ବିଏମସି ଇଞ୍ଜିନିୟରଙ୍କ ଓ କାମ ବେଳେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇନଥିବାରୁ ଏଭଳି ଅଘଟଣ ଘଟିଥିବା ସ୍ପଷ୍ଟ ହୋଇଥିଲା । ଘଟଣା ପ୍ରଘଟ ହେଲେ ଠିକାଦାର ଓ ବିଏମସି ଇଞ୍ଜିନିୟର ଫଶିବା ସମ୍ଭାବନା ଥିବାରୁ ମାମଲାକୁ ରଫାଦଫା କରିବାକୁ ଉଦ୍ୟମ ହୋଇଥିଲା । ଭୟରେ ପରିବାରବର୍ଗଙ୍କୁ କିଛି ଟଙ୍କା ଦେବା ସହ ଭୟଭୀତ କରି ଅଭିଯୋଗ ନ କରିବାକୁ କହିଥିଲେ । ପରିବାର ଲୋକେ ଭୟଭୀତ ହୋଇ ଥାନାରେ ଅଭିଯୋଗ କରିନଥିଲେ । ଏପରି କି ତାଙ୍କ ପରିବାରକୁ ଭୁବନେଶ୍ୱରରୁ ଗଞ୍ଜାମକୁ ପଠାଇଦେଇଥିଲେ ।

ହେଲେ ଘଟଣା ଏବେ ପ୍ରଘଟ ହେବା ସହ ଘଟଣାଦିନର ଭିଡ଼ିଓ ସାମ୍ନାକୁ ଆସିଛି । ଭିଡ଼ିଓ ସାମ୍ନାକୁ ଆସିବା ପରେ ମାନବାଧିକାର କର୍ମୀ ରାଜ୍ୟ ମାନବାଧିକରୀ କମିଶନଙ୍କ ଦ୍ୱାରସ୍ଥ ହେବାକୁ ପ୍ରସ୍ତୁତ ହେଉଛନ୍ତି । ଅନ୍ୟପକ୍ଷରେ ମେଡିକାଲ୍‌ରୁ ଖବର ପାଇ ଖଣ୍ଡଗିରି ପୋଲିସ ଏକ ଅପମୃତ୍ୟୁ ମାମଲା(୨୨୬/୨୪)ରୁଜୁ କରି ଘଟଣାର ତଦନ୍ତ କରୁଛି ।

ହେଲେ ଏଠାରେ ପ୍ରଶ୍ନ ଉଠୁଛି, କେଉଁ ପରିସ୍ଥିତିରେ ଠିକାଦାର ଖସିଗଲେ? ଶ୍ରମିକଙ୍କର ବୀମା କାହିଁକି ହୋଇନଥିଲା? କାମ ବେଳେ ସୁରକ୍ଷା ବ୍ୟବସ୍ଥା କାହିଁକି ଗ୍ରହଣ କରାଯାଇନଥିଲା? ପୋଲିସ ସବୁ ଜାଣି ଅପମୃତ୍ୟୁ ମାମଲା ରୁଜୁକରି ଚୁପ୍ ବସିଲା କେମିତି? ଯଦି ପରିବାରବର୍ଗ ଚାପରେ ଅଭିଯୋଗ କଲେ ନାହିଁ ତେବେ ପୋଲିସ ନିଜ ଆଡ଼ୁ ମାମଲା ରୁଜୁ କଲା ନାହିଁ କାହିଁକି? ଏହା ପଛରେ କାହାର ସଂପୃକ୍ତି ରହିଛି?

ଏଭଳି ଅନେକ ପ୍ରଶ୍ନ ଉଠୁଥିବା ବେଳେ ପୋଲିସ, ବିଏମସି ଓ ଠିକାଦାରଙ୍କ ଭୂମିକା ସନ୍ଦେହ ଘେରକୁ ଆସିଛି । ଏହାର ନିରପେକ୍ଷ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି ।


Reporterspen