ଭୁବନେଶ୍ୱର, (ରିପୋଟର୍ସ ପେନ୍): ରାଜଧାନୀରେ ଛତିଶଗଡ ମହିଳା ଲୁଟେରା ଗ୍ୟାଙ୍ଗ ସକ୍ରିୟ ହୋଇଉଠିଛନ୍ତି । ମୋ ବସରୁ ଚୋରି କରି ରାଜଧାନୀରେ ଆତଙ୍କ ସୃଷ୍ଟି କରିଥିବା ମହିଳା ଲୁଟେରା ଗ୍ୟାଙ୍ଗର ୩ ଜଣଙ୍କୁ ନୂଆପଲ୍ଳୀ ଥାନା ପୁଲିସ ଗିରଫ କରିଛି । ଗିରଫ ମହିଳାମାନେ ହେଲେ ଛତିଶଗଡର ରାୟପୁରର ଚିୟା ପାତ୍ର(୪୫), ଲତା କେଣ୍ଡି(୫୦) ଓ ଉଜାଲା ପାତ୍ର(୨୦) । ଗିରଫ ୩ ମହିଳାଙ୍କ ଠାରୁ ପୁଲିସ ନଗଦ ୨୨ ହଜାର ୫ଶହ ଟଙ୍କା ଓ ଆଧାରକାର୍ଡ ଜବତ କରିଛି । ଏହି ଗ୍ୟାଙ୍ଗ ରାଜଧାନୀର ବିଭିନ୍ନ ମୋ ବସ ଯାତ୍ରୀଙ୍କ ଠାରୁ ସୁନାଚେନ, ମୋବାଇଲ ଫୋନ, ଭ୍ୟାନିଟ ଆଦି ଲୁଟି ନେଇ ପଳାଥିଲେ । ଏନେଇ ନୂଆପଲ୍ଳୀ ଥାନାରେ ଅଭିଯୋଗ ହେବା ପରେ ପୁଲିସ ବସରେ ଲାଗିଥିବା ସିସିଫୁଟେଜକୁ ଜବତ କରି ୩ ଜଣ ମହିଳାଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଗିରଫ ମହିଳାମାନଙ୍କ ନାମରେ ଛତିଶଗଡ ସମେତ କମିଶନରେଟ ପୁଲିସର ଅନେକ ଲୁଟପାଟ ଭଳି ମାମଲା ଥିବା ଜଣାପଡିଛି ।
ସୂଚନା ଯୋଗ୍ୟ ଯେ, ଅଭିଯୋଗକାରିଣୀ ଗତ ତା.୨୭.୦୭.୨୦୨୪ ରିଖରେ ନିଜ ମା’ଙ୍କ ସହିତ କଣ୍ଟିଲୋରୁ ଭୁବନେଶ୍ୱରକୁ ଏକ ବସ ଯୋଗେ ଫେରୁଥିଲେ । ସେହି ସମୟରେ ବସଟି ଭିଡ ଥିବାର ଫାଇଦା ଉଠାଇ ତିନି ଅଭିଯୁକ୍ତ ଏକ ୪ବର୍ଷର ଶିଶୁ କନ୍ୟାକୁ ଧରି ଅଭିଯୋଗକାରିଣୀଙ୍କ ମା’ଙ୍କ ଭ୍ୟାନିଟକୁ କୌଶଳକ୍ରମେ ଚୋରାଇ ନେଇଥିଲେ । ବ୍ୟାଗଟିରେ ୨୫,୦୦୦ ଟଙ୍କା ଏବଂ ଟଙ୍କା ପ୍ରମାଣପତ୍ର ରହିଥିଲା । ଏନେଇ ଅଭିଯୋଗକାରିଣୀଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲାର ତଦନ୍ତ କରିବା ସହିତ ଏକ ବିଶେଷ ସୂତ୍ରରୁ ଖବରପାଇ ଆଜି ତିନି ଅଭିଯୁକ୍ତଙ୍କୁ ନାବାର୍ଡ ଛକ ନିକଟରୁ କାବୁ କରିଥିବା ବେଳେ ସେମାନଙ୍କ ନିକଟରୁ ଚୋରି ଯାଇଥିବା ପ୍ରମାଣପତ୍ର ଏବଂ ୨୨,୫୦୦ ଟଙ୍କା ଜବତ କରିଛନ୍ତି । ପଚରାଉଚରା ବେଳେ ଅଭିଯୁକ୍ତମାନେ ନିଜ ଦୋଷ ସ୍ୱିକାର କରିଥିଲେ ।