Child rescued: ଭୁବନେଶ୍ୱର (ରିପୋଟର୍ସ ପେନ୍) : ରାଜଧାନୀ ଭୁବନେଶ୍ୱରର ରାମମନ୍ଦିର ସମ୍ମୁଖରୁ ଚୋରି ହୋଇଥିବା ଶିଶୁକୁ କମିଶନରେଟ ପୋଲିସ ବାଲେଶ୍ୱରରୁ ଉଦ୍ଧାର କରିଛି । ଏହି ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସହ ଦୁଇ ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତଦ୍ୱୟ ହେଲେ ଯାଜପୁର ଗଙ୍ଗାଧରପୁର ଅଞ୍ଚଳର କେଦାରସନ ପଣ୍ଡା (୨୭) ଓ ଛୁଆକୁ ରଖିଥିବା ମହିଳା ଜୁଲାମରାଣୀ ପଣ୍ଡା । ତେବେ ବନ୍ଧୁ ପତ୍ନୀଙ୍କ ଲାଗି ଅଭିଯୁକ୍ତ ଛୁଆ ଚୋରି କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।
ପୋଲିସ ସୂଚନା ଅନୁସାରେ, ଲକ୍ଷ୍ମୀ ନାମକ ଜଣେ ଅନ୍ଧୁଣୀ ମହିଳା ଦୁଇ ଛୁଆଙ୍କୁ ନେଇ ଚନ୍ଦ୍ରଶେଖପୁରରେ ଥିବା ଏକ କନ୍ୟାଶ୍ରମରେ ରହୁଛନ୍ତି । ସେ ସବୁଦିନ ସକାଳୁ ଦୁଇ ଛୁଆଙ୍କୁ ନେଇ ରାମନ୍ଦିରକୁ ଭିକ୍ଷ୍ୟ ବୃତ୍ତି କରିବାକୁ ଆସନ୍ତି ଓ ସନ୍ଧ୍ୟାରେ ଫେରିଯାଆନ୍ତି । ଗତ ହନୁମାନ ଜୟନ୍ତୀ ଦିନ ସନ୍ଧ୍ୟାରେ ପ୍ରବଳ ବର୍ଷା ହେବାରୁ ସେ ଆଉ କନ୍ୟାଶ୍ରମକୁ ଫେରିପାରିନଥିଲେ । ରାମମନ୍ଦିର ପାଖରେ ଶୋଇଥିବା ବେଳେ କେହି ତାଙ୍କ ୨ବର୍ଷର ପୁଅକୁ ଚୋରି କରି ନେଇଥିଲେ । ଏନେଇ ସେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ଖୋଳତାଡ ଆରମ୍ଭ କରିଥିଲ । ପିଲା ଚୋରି ଘଟଣାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁତ୍ୱର ସହ ନେଇ ପୋଲିସକୁ ତ୍ୱରିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ପରେ କମିଶନରେଟ ପୋଲିସ ୪ଟି ସ୍ୱତନ୍ତ୍ର ଟିମ ଗଠନ କରି ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥିଲା । ସହରରେ ଲାଗିଥିବା ସମସ୍ତ ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ ଆଗକୁ ବଢିଥିଲା । ତଦନ୍ତ ବେଳେ ଶିଶୁଟିକୁ ବାଲେଶ୍ୱର ଜିଲ୍ଲା ଖନ୍ତାପଡା ଅଞ୍ଚଳରୁ ଉଦ୍ଧାର କରାଯାଇଥିଲା ।
ପୋଲିସ କମିସନର ଏସ୍. ଦେବଦତ୍ତ କହିଛନ୍ତି ଯେ, ଘଟଣାର ମାଷ୍ଟର ମାଇଣ୍ଡ କେଦାରସନ ରାମମନ୍ଦିର ସାମ୍ନାରୁ ମା’ କୋଳରୁ ଛୁଆକୁ ଚୋରାଇ ନେଇଥିଲା । ଛୁଆକୁ ଚୋରି ପରେ ସିଧା ଭୁବନେଶ୍ୱର ଷ୍ଟେସନ ଯାଇ ସେଠାରେ ଟ୍ରେନ ଯୋଗେ ବାଲେଶ୍ୱରରେ ପହଂଚିଥିଲା । ପରେ ସେଠାରୁ ଷ୍ଟେସନରୁ ଓହ୍ଲାଇ ଜଣେ ମହିଳା ସହ ଷ୍ଟେସନରୁ ବାହାରି ଏକ ଅଟୋ ଜରିଆରେ ଦୁହେଁ ସୋର ଅଂଚଳକୁ ନେଇଥିଲେ । ପରେ ବାଟରେ ଓହ୍ଲାଇ ଏକ ସ୍ଥାନରେ ଦୁଇ ଜଣ ବାଇକ ଚାଳକଙ୍କୁ ଲିଫ୍ଟ ମାଗି ଛୁଆ ଦେହ ଖରାପ ଅଛି କହି ବାଲେଶ୍ୱର ଝୋଳଝୋଳିଆ ଗୋପାଳପୁର ଅଂଚଳକୁ ନେଇଥିଲେ । ସେଠାରେ ମହିଳା ଜଣଙ୍କ ଛୁଆକୁ ରଖିଥିଲା । ଯାହାକୁ ଉଦ୍ଧାର କରାଯାଇଛି ।
ସଂପୃକ୍ତ ମହିଳାଙ୍କୁ ଗିରଫ କରାଯାଇଥିବା ବେଳେ ତାର ଦୁଇଟି ଝିଅ ଓ ଗୋଟିଏ ପୁଅ ଥିବା ପୋଲିସ ଜାଣିବାକୁ ପାଇଛି । ମହିଳାଙ୍କ ସ୍ୱାମୀ ବାଙ୍ଗାଲୋରରେ କାମ କରୁଥିବା ବେଳେ ମହିଳା ଜଣଙ୍କ ଏକ ଯାତ୍ରା ପାର୍ଟିରେ କାମ କରୁଛି । ତାଙ୍କ ଘରେ ଛୁଆକୁ ରଖି ତା’ର ଚୁଟିକୁ କାଟି ଛୋଟ ଛୋଟ କରି ଦେଇଥିଲେ । ପରେ ତାକୁ କେହି ଚିହ୍ନି ଦେବା ଭୟ କରି ସେ ଛୁଆଟିକୁ ଝିଅ ପିଲା ଡ୍ରେସ ପିନ୍ଧଇ ରଖିଥିଲା । ପରେ ଛୋଟ ଛୁଆକୁ ପୋଲିସ ସେଠାରୁ ଉଦ୍ଧାର କରିଥିଲା ।
ମା’କୁ ଦେଖି କାନ୍ଦି ପକାଇଲା ଛୁଆ
ଏନେଇ ଛୋଟ ଛୁଆଟିର ମା’ ଅର୍ଥାତ୍ ଅଭିଯୋଗକାରିଣୀ ଏବେ ଛୁଆକୁ କୋଳକୁ ନେଇଥିଲେ । ଅତି ଭାବପ୍ରବଣ ହୋଇ ଛୁଆକୁ ଧରିବା ପରେ ଦିବ୍ୟାଙ୍ଗ ମା’ ଛୁଆଟିକୁ ହାତରେ ଆଉଁସି ଦେଇ ଛୁଆର ଅନୁପସ୍ଥିତିକୁ ଅନୁଭବ କରିପାରିଥିଲେ । ସେ କହିଛନ୍ତି ‘ମୋ ଛୁଆ ମୋତେ ଦେଖୁ ଦେଖୁ କାନ୍ଦି ପକାଇଥିଲା । ମୋ ପୁଅକୁ ଛୁଇଁଲା ପରେ ମୋ’ ପୁଅ ଯେମିତି ଅଛି ସେମିତି ଅଛି । ତାର ଯେଉଁ ଚୁଟି ଥିଲା ତାକୁ କାଟାଯାଇଛାି । ତାର ମୁହଁ ଛୁଇଛି ଆଉ ଆଖି ଛୁଇଁଛି ତାର ବେକରେ ଗୋଟେ ଲକେଟ୍ ଲଗେଇଥିଲି । ସେଇଟା ମଧ୍ୟ ଅଛି ମୋ ଛୁଆକୁ ଫେରାଇ ଆଣିଥିବାରୁ କମିସନରେଟ ପୋଲିସକୁ ଅଶେଷ ଅଶେଷ ଧନ୍ୟବାଦ୍ ଦେବି’ । ଏହି ଅଘଟଣ ପରେ ଆଉ କେବେ ରାମ ମନ୍ଦିର ସାମ୍ନାରେ ବସିବେ ନାହି ବୋଲି ନିଜେ ଅଭିଯୋଗକାରିଣୀ ମା’ କହିଛନ୍ତି ।
ପାପର ପ୍ରାୟଶ୍ଚିତ ପାଇଁ ଅଭିଯୁକ୍ତ ପୁରୀ ଯାଇଥିଲା
ଛୁଆ ଚୋରି ଘଟଣାରେ ମୁଖ୍ୟ ଅଭିଯୁକ୍ତ କେଦାରସନ ପଣ୍ଡା ନିଜ ପାପର ପ୍ରାୟଶ୍ଚିତ କରିବା ପାଇଁ ବାଲେଶ୍ୱରରୁ ସିଧା ଟ୍ରେନ ଯୋଗେ ପୁରୀ ଯାଇଥିଲା । ସେଠାରେ ଷ୍ଟେସନରୁ ଓହ୍ଲାଇ ଶ୍ରୀମନ୍ଦିର ଯାଇଥିଲା । ତାକୁ ପିଛା କରୁଥିବା ପୋଲିସ ଟିମ ସିସିଟିଭି ଫୁଟେଜକୁ ଆଧାର କରି ପୁରୀ ମନ୍ଦିର ପାଖକୁ ଯାଇଥିଲା । ଅଭିଯୁକ୍ତ ଠାକୁର ଦର୍ଶନ କରି ଯେତେବେଳେ ବାହାରକୁ ଆସିଥିଲା, ସେତେବେଳେ ପୋଲିସ ତାକୁ କାବୁ କରିଥିଲା । ଜେରୋ ବେଳେ ପୋଲିସ ଆଗରେ ସତ ମାନିଯାଇଥିଲା ଏବଂ ମା’ କୋଳରୁ ଚୋରି କରିଥିବାରୁ ସେହି ପାପର ପ୍ରାୟଶ୍ଚିତ ପାଇଁ ସେ ଶ୍ରୀମନ୍ଦିର ଯାଇଥିବା ମଧ୍ୟ କହିଛି ।
ବନ୍ଧୁ ପତ୍ନୀଙ୍କ ପାଇଁ ପିଲା ଚୋରି!
ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି ଯେ, ଅଭିଯୁକ୍ତ ଜଣକ ବାଙ୍ଗାଲୁରରେ ଜୋମାଟ ଓ ସୁଗିର ଡେଲିଭରି ବଏ ଭାବେ କାମ କରୁଥିଲା । ଶିଶୁକୁ ରଖିଥିବା ମହିଳାଙ୍କ ସ୍ୱାମୀ ମଧ୍ୟ ସେଠାରେ ଏକ କମ୍ପାନୀରେ ସିକ୍ୟୁରିଟ ଗାର୍ଡ ଭାବେ କାମ କରିଥିଲେ । ଏହି ସମୟରେ ମହିଳାଙ୍କ ସହ ଅଭିଯୁକ୍ତ କେଦାରସନଙ୍କର ସମ୍ପର୍କ ଗଢି ଉଠିଥିଲା । ଦୁହେଁ ଫୋନରେ କଥା ହେଉଥିଲେ । ପରେ ସମ୍ପର୍କ ନିବିଡତା ଆଡକୁ ଯିବାରୁ ସେ ବାଙ୍ଗାଲୁର ଛାଡି ଓଡ଼ିଶା ଚାଲିଆସିଥିଲେ । ମହିଳାଙ୍କ ସହ କଥା ହେବା ଅଭିଯୁକ୍ତ ଜଣକ ଜାଣିବାକୁ ପାଇଥିଲା ଯେ, ମହିଳାଙ୍କର ଦୁଇଟି ଝିଅ ଓ ଗୋଟିଏ ପୁଅ ଅଛି । ହେଲେ ପୁଅର କିଡନିରେ ସମସ୍ୟା ଥିବାରୁ ମହିଳା ଜଣଙ୍କ ଅନେକ ସମୟରେ ଚିନ୍ତିତ ରହୁଥିଲେ । ଫଳରେ ମହିଳା ଜଣକ ଏକ ପୁତ୍ର ସନ୍ତାନ ପାଇଁ ଚିନ୍ତାରେ ରହୁଥିଲେ । ସେହି ମହିଳାଙ୍କ ପାଇଁ ଛୁଆ ଚୋରି ପାଇଁ ସେ ଛ’ ମାସ ହେବ ରାମ ମନ୍ଦିର ପାଖରେ ବସୁଥିବା ଦିବ୍ୟାଙ୍ଗ ମହିଳାଙ୍କର ଛୁଆ ଉପରେ ନଜର ରଖିଥିଲା । ପରେ ସୁବିଧା ଦେଖି ଘଟଣା ଦିନ ରାତିରେ ଅଭିଯୁକ୍ତ ଛୁଆକୁ ତା ମା’ କୋଳରୁ ବିସ୍କୁଟ ଦେଇ ଅପହରଣ କରିଥିଲା ।
ଏନେଇ ପୋଲିସ କମିସନର କହିଛନ୍ତି ‘ଏହା ପଛରେ ତ ଅନେକ ସନ୍ଦେହ ରହିଛି । ଯେହେତୁ ମୁଖ୍ୟ ଅଭିଯୁକ୍ତ ନାଁରେ ଯାଜପୁରରେ ଦୁଇଟି ମାମଲା ରହିଛି । ପାହାଳ ଥାନାରେ ମଧ୍ୟ ଗୋଟିଏ ବାଇକ ଚୋରି ସଂପର୍କିତ ମାମଲା ରହିଛି । ତେଣୁ ଅନେକ ସନ୍ଦେହ ରହିଛି ସେ ଦିଗରେ ବାକି ତଦନ୍ତ ହେବ ପଚରା ଉଚରା ପରେ ଅନ୍ୟ କାରଣ ସ୍ପଷ୍ଟ ହେବ’ ।