CM Odisha: ଭୁବନେଶ୍ୱର (ରିପୋଟର୍ସ ପେନ୍): ଦାରିଙ୍ଗବାଡ଼ି ଆମ୍ବ ଟାକୁଆ ଜାଉ ଖାଇ ମୃତ୍ୟୁ ଘଟଣାରେ ହସ୍ତକ୍ଷେପ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆର୍ଡିସି ସ୍ତରୀୟ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆମ୍ବ ଟାକୁଆ ଜାଉ ଖାଇବା କାରଣରୁ ୨ ମହିଳାଙ୍କ ମୃତ୍ୟୁ ଘଟିଛି ବୋଲି ଅଭିଯୋଗ ଆସିଥିଲା ଏବଂ ଅନ୍ୟ ୬ ଜଣ ଅସୁସ୍ଥ ହୋଇ ଚିକିତ୍ସାଧିନ ଅଛନ୍ତି । ୬ ଅସୁସ୍ଥଙ୍କ ମଧ୍ୟରୁ ୨ ଜଣ କଟକ ଏସ୍ସିବିକୁ ଚିକିତ୍ସା ପାଇଁ ସ୍ଥାନାନ୍ତରଣ କରାଯାଇଥିଲା ।
ସୂଚନାଯୋଗ୍ୟ, ଦାରିଙ୍ଗବାଡ଼ି ମାଣ୍ଡିପଙ୍କା ଗାଁରେ ଆମ୍ବ ଟାକୁଆ ଜାଉ ଖାଇ ୨ଜଣ ମୃତ୍ୟୁବରଣ କରିବା ଘଟଣାରେ ସୂଚନା ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରେସ୍ ରିଲିଜ୍ ଜାରି କରାଯାଇଥିଲା । ମୃତକଙ୍କ ପରିବାର ସହ ଗାଁର ସମସ୍ତେ ଚାଉଳ ପାଇଛନ୍ତି ବୋଲି ସରକାରୀ ସୁତ୍ରରୁ କୁହାଯାଇଛି । ଘଟଣା ସାମ୍ନାକୁ ଆସିବା ପରେ ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅନୁସନ୍ଧାନ କରାଯାଇଥିଲା । ସମସ୍ତେ ନିୟମିତ ଅଭ୍ୟାସ ଭାବେ ପଖାଳ ସହ ଆମ୍ବ ଟାକୁଆ ଜାଉ ଖାଉଥିଲେ । ଫୁଡ୍ ପଏଜନିଂ କାରଣରୁ ସେମାନେ ଅସୁସ୍ଥ ହୋଇଥିଲେ ଏବଂ ୨ ଜଣଙ୍କ ମୃତ୍ୟୁ ଘଟିଥିଲା । ସରକାରୀ ସୁତ୍ରରୁ ପ୍ରକାଶ ଯେ, ଆକ୍ରାନ୍ତଙ୍କ ସହ ଗାଁର ସମସ୍ତ ୬୯ ପରିବାରଙ୍କୁ ସରକାରୀ ଚାଉଳ ପ୍ରଦାନ କରାଯାଉଛି । ଜୁଲାଇ ମାସରୁ ସେପ୍ଚେମ୍ୱର ପର୍ଯ୍ୟନ୍ତ ମୃତକଙ୍କ ପରିବାର ମଧ୍ୟ ଚାଉଳ ଉଠାଇଛନ୍ତି । ଅକ୍ଟୋବରରୁ ଡିସେମ୍ବର ଯାଏ ଚାଉଳ ଏବେ ବଣ୍ଟାଯାଉଛି । ଘଟଣାରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଏ ସମ୍ପର୍କରେ ଜିଲ୍ଲାପାଳଙ୍କ ସହ କଥା କରାଯାଇଛି । ଚାଉଳର କୌଣସି ଅଭାବୀ ନାହିଁ । ପର୍ଯ୍ୟାପ୍ତ ଚାଉଳ ରହିଥିବା କାରଣରୁ ପରିବାର ଚାଉଳ ଉଠାଇ ନାହାନ୍ତି । ଆମ୍ବ ଟାକୁଆ ତାଙ୍କର ପାରମ୍ପରିକ ଖାଦ୍ୟ ଏବଂ ବାସି ଖାଦ୍ୟ ଯୋଗୁଁ ମୃତ୍ୟୁ ହୋଇଛି ବୋଲି ମନ୍ତ୍ରୀ କହିଥିଲେ ।
ପ୍ରଥମେ ୮ ଜଣ ମହିଳା ଅସୁସ୍ଥ ହେବାରୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ଜଣା ପଡ଼ିଛି । ମୃତକଙ୍କ ମଧ୍ୟରେ ଅଛନ୍ତି ରମୀତା ପାଟ ମାଝୀ (୨୮) ଏବଂ ରୁନୁ ମାଝୀ (୨୮) । ଖବର ଅନୁଯାୟୀ ଗତ ଗତ ୨୩ ତାରିଖ ଦିନ ପାରମ୍ପାରିକ ଖାଦ୍ୟ ଭାବେ ଆମ୍ବ ଟାକୁଆରୁ କୋଇଲି ବାହାର କରିବା ପରେ ସେଥିରେ ଯାଉ ପ୍ରସ୍ତୁତ କରାଯାଇଥିଲା । ଗ୍ରାମର ପ୍ରାୟ ୨୦ ପରିବାରର ୩୦ରୁ ଉର୍ଦ୍ଧ୍ବ ଲୋକେ ଏହି ଯାଉକୁ ବାଣ୍ଟି ଖୁଣ୍ଟି ଖାଇଥିଲେ । ସେଥିରୁ ବଳକା ଥିବା ଆମ୍ୱ ଟାକୁଆ କୋଇଲିକୁ ଗଚ୍ଛିତ ରଖି ଗତ ମଙ୍ଗଳବାର ଦିନ ପୁଣି ଥରେ ଯାଉ ପ୍ରସ୍ତୁତ କରି କିଛି ମହିଳା ଖାଇଥିଲେ । ତାପରେ ହଠାତ ରମିତା ନାମକ ଜଣେ ମହିଳାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡ଼ିକାଲକୁ ନିଆ ଯାଇଥିଲା । ସେଠାରେ ଚିକିତ୍ସିତ ଅବସ୍ଥାରେ ରମିତାଙ୍କର ମୃତ୍ୟୁ ଘଟିଥିଲା ।
ଶୁକ୍ରବାର ଦିନ ପୁଣି ଅଚାନକ ଭାବେ ଆଉ ୭ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ପ୍ରଥମେ ବ୍ରାହ୍ମଣୀଗାଁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ବ୍ରହ୍ମପୁର ବଡ ମେଡ଼ିକାଲ ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ । ବ୍ରହ୍ମପୁର ନେବା ବାଟରେ ଅନ୍ୟ ଜଣେ ମହିଳା ରୁନୁ ମାଝୀଙ୍କ ମୃତ୍ୟୁ ଘଟିଥିଲା । ଆଉ ୬ ଜଣ ବର୍ତ୍ତମାନ ଚିକିତ୍ସାଧୀନ ଅବସ୍ଥାରେ ଥିବା ଜଣାପଡ଼ିଛି । ସେମାନଙ୍କ ମଧ୍ୟରେ ରହିଛନ୍ତି ପ୍ରଭାତୀ ପାଟ ମାଝୀ (୩୨) , ଡ୍ରାଙ୍ଗାଲୁ ପାଟ ମାଝୀ (୫୫) , ଟୁନି ମାଝୀ (୪୫) ,ସୁଷମା ପାଟ ମାଝୀ (2୨୫), ଜିତା ମାଝୀ (୩୦), ଜିବନ୍ତି ମାଝୀ (୪୫) । ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ତହସିଲଦାର ଶରତ ଶବର, ବିଡ଼ିଓ ପ୍ରୀତି ରଞ୍ଜନ ରଥ ଘଟଣା ସ୍ଥଳରେ ପହଞ୍ଚି ଘଟଣା ସମ୍ପର୍କରେ ଅନୁଧ୍ୟାନ କରୁଥିବା ଜଣାପଡିଛି ।