commissionerate police: ହତ୍ୟା ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

Reporterspen

commissionerate police: ଭୁବନେଶ୍ୱର (ରିପୋଟର୍ସ ପେନ୍‌) : ଆଜି ଭୁବନେଶ୍ୱର ଜିଲ୍ଲା ସେସନ୍ସ ଜଜର ବିଚାରପତି, ୨୦୨୨ ମସିହାରେ ସହୀଦନଗର ଥାନା ଅଂଚଳରେ ଘଟିଯାଇଥିବା ଏକ ହତ୍ୟା ମାମଲାର ବିଚାର କରି ଆସାମୀ କାବୁ ଓରଫ ଅଶୋକ ଦାସ ଓ ପପୁନି ଓରଫ ମନୋଜ ଦାସଙ୍କୁ ସଜା ଶୁଣାଇଛନ୍ତି ।

ଘଟଣାର ଅନ୍ତରାଳେ: ଅଭିଯୋଗକାରୀ ସାଗର କୁମାର କୁଣ୍ଡା ମୃତ ସୌମ୍ୟ ରଞ୍ଜନ କୁଣ୍ଡାଙ୍କ ସାନ ଭାଇ । ମୃତ ସୌମ୍ୟ ରଞ୍ଜନ ବାଣୀବିହାର ଛକ ନିକଟସ୍ଥ ମେଟ୍ରୋ ବିଲ୍ଡିଂ ଏବଂ କଲ୍ୟାଣ ଜୁଏଲାରୀ ମଧ୍ୟବର୍ତ୍ତୀ ସ୍ଥାନରେ ଏକ ପାନ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିଲେ । ସାନ ଭାଇ ସାଗର ମଧ୍ୟ ବଡ ଭାଇଙ୍କ ପାନ ଦୋକାନ ନିକଟରେ ଏକ ହୋଟେଲ ବ୍ୟବସାୟ କରୁଥିଲେ । ବଡ ଭାଇ ରାତିରେ ଉକ୍ତ ପାନ ଦୋକାନରେ ଶୋଇଥାନ୍ତି ଏବଂ ବାପା ତାଙ୍କ ହୋଟେଲରେ ରାତିରେ ଶୋଇଥାନ୍ତି । ସବୁଦିନ ଭଳି ଘଟଣା ଦିନ ରାତିରେ ମଧ୍ୟ ତାଙ୍କ ବଡଭାଇ ଉକ୍ତ ପାନ ଦୋକାନରେ ଶୋଇଥିଲେ ।

ଗତ ତା.୩୧.୦୮.୨୦୨୨ ରିଖ ରାତି ୨ଟା ସମୟରେ, ବଡ ଭାଇ ସୌମ୍ୟ ରଞ୍ଜନଙ୍କୁ, କାବୁ ଓ ପପୁନି ନାମକ ଦୁଇ ଯୁବକ ମରଣାନ୍ତକ ଆକ୍ରମଣ କରିବା ହେତୁ ସେ ଗୁରୁତର ଆହତ ହୋଇଥିବା ଏବଂ ତାଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରି ପିସିଆର ଭ୍ୟାନରେ କ୍ୟାପିଟାଲ ହସ୍ପିଟାଲକୁ ନେଉଥିବା ବିଷୟରେ ଶୁଭ ମଣ୍ଡଳ ନାମକ ଜଣେ ବ୍ୟକ୍ତିଙ୍କ ନିକଟରୁ ସାଗର ଫୋନ ଯୋଗେ ଖବର ପାଇଥିଲେ । ଖବର ପାଇବା ପରେ ଅଭିଯୋଗକାରୀ ସାଗର ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଯାଇ ପହଂଚିଥିବା ବେଳେ, ବଡ ଭାଇ ସୌମ୍ୟଙ୍କ ଶରୀରର ଏକାଧିକ ସ୍ଥାନରେ ଗଭୀର କ୍ଷତ ହୋଇଥିବା ଦେଖିବାକୁ ପାଇଥିଲେ । କ୍ୟାପିଟାଲ ହସ୍ପିଟାଲରେ ସୌମ୍ୟଙ୍କ ସ୍ୱାସ୍ଥ୍ୟାବସ୍ଥା ଜଟିଳ ହେବାରୁ ତାଙ୍କୁ ତୁରନ୍ତ ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା, ଏବଂ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ସେହିଦିନ ସକାଳ ୬.୩୦ ସମୟରେ ସୌମ୍ୟଙ୍କ ମୃତ୍ୟୁୃହୋଇଯାଇଥିଲା । ଏନେଇ ଅଭିଯୋଗକାରୀ ସାଗର ଶହୀଦନଗର ଥାନାରେ ହତ୍ୟା ଅଭିଯୋଗ କରିଥିଲେ ।

ଏହି ଘଟଣାକୁ କେନ୍ଦ୍ର କରି ଅଭିଯୋଗକାରୀଙ୍କ ଅଭିଯୋଗ ଆଧାରରେ ସହୀଦନଗର ଥାନା କେସ ନଂ-୪୧୮/୨୦୨୨, ଦଫା-୩୦୨/୩୪ ରେ ଏକ ହତ୍ୟା ମାମଲା ରୁଜୁ କରାଯାଇଥିବା ବେଳେ, ଥାନାର ତତ୍କାଳୀନ ଭରପ୍ରାପ୍ତ ଅଧିକାରୀ ହିମାଂଶୁ ଭୂଷଣ ସ୍ୱାଇଁ ଏହାର ତଦନ୍ତ ଭାର ନେଇଥିଲେ । ଶ୍ରୀ ସ୍ୱାଇଁ ଏହି ମାମଲାକୁ ସମସ୍ତ ଦିଗରୁ ସଠିକ ଭାବରେ ତଦନ୍ତ କରିବା ସହିତ ସୌମ୍ୟ ରଞ୍ଜନ ହତ୍ୟା ମାମଲାରେ ସଂପୃକ୍ତ ଦୁଇ ଅଭିଯୁକ୍ତ କାବୁ ଓରଫ ଅଶୋକ ଦାସ ଓ ପପୁନି ଓରଫ ମନୋଜ ଦାସଙ୍କୁ ଖୁବ ଶୀଘ୍ର ଗିରଫ କରିବାରେ ସକ୍ଷମ ହୋଇଥିବା ବେଳେ, ନିର୍ଦ୍ଧାରିତ ସମୟ ପୂର୍ବରୁ ଦୁଇ ଅଭିଯୁକ୍ତଙ୍କ ବିରୋଧରେ ଅଦାଲତରେ ଚାର୍ଜସିଟ ଦାଖଲ କରିଥିଲେ ।

ଉପରୋକ୍ତ ମାମଲାର ବିଚାର କରି ମାନ୍ୟବର ଅଦାଲତ ୧୮ ଜଣ ସାକ୍ଷୀଙ୍କ ବୟାନ ଓ ବିଭିନ୍ନ ଦସ୍ତାବିଜକୁ ଆଧାର କରି ଅଭିଯୁକ୍ତ କାବୁ ଓରଫ ଅଶୋକ ଦାସ ଓ ପପୁନି ଓରଫ ମନୋଜ ଦାସଙ୍କୁ ଦଫା-୩୦୨/୩୪ ଆଧାରରେ ଆଜୀବନ କାରାଦଣ୍ଡାଦେଶ ସହ ୧୦,୦୦୦ ଟଙ୍କା ଲେଖାଏଁ ଜୋରିମାନା ଆଦେଶ ଦେଇଛନ୍ତି ଓ ଜୋରିମନା ଅନାଦେୟ କ୍ଷେତ୍ରରେ ୧ ବର୍ଷ ଅଧିକ କାରାଦଣ୍ଡାଦେଶ ଲାଗି ମଧ୍ୟ ଆଦେଶ ଶୁଣାଇଛନ୍ତି । ଏହି ମାମଲାକୁ ସରକାରଙ୍କ ପକ୍ଷରୁ ପବ୍ଲିକ ପ୍ରୋସିକ୍ୟୁଟର ଶରଦ ଚନ୍ଦ୍ର ସାମନ୍ତ (ଓଏସପିଏସ-୧) ଓ ସ୍ୱତନ୍ତ୍ର ପବ୍ଲିକ ପ୍ରୋସିକ୍ୟୁଟର  ରଶ୍ମୀ ରଞ୍ଜନ ବ୍ରହ୍ମ ପ୍ରମୁଖ ପରିଚାଳନା କରିଥିଲେ ।

ସୂଚନାଯୋଗ୍ୟ ଯେ, ଗତବର୍ଷ ସମୁଦାୟ ୯୨ଟି ମାମଲାରେ ଦୋଷୀ ମାନଙ୍କୁ ସଜା ଦିଆଯାଇ ସାରିଥିବା ବେଳେ, ଭୁବନେଶ୍ୱର ସହରାଂଚଳ ଜିଲ୍ଲା ତରଫରୁ ଦୋଷୀଙ୍କୁ ସଜା ହୋଇଥିବା ଚଳିତ ବର୍ଷର ଏହା ହେଉଛି ସପ୍ତମ ମାମଲା ।


Reporterspen