commissionerate police: ବଦଳି ପରେ ବି ଜାଗା ମାଡି ବସିଛନ୍ତି ୫୦ରୁ ଅଧିକ କର୍ମଚାରୀ

Reporterspen

commissionerate police: ଭୁବନେଶ୍ୱର (ରିପୋଟର୍ସ ପେନ୍‌): ୫୦ରୁ ଅଧିକ କର୍ମଚାରୀ ପୋଲିସ କମିଶନର ଓ ଡିସିପିଙ୍କ ନିର୍ଦ୍ଦେଶକୁ ଫୁ’ କରିଦେଇଛନ୍ତି । ବଦଳି ନିର୍ଦ୍ଦେଶ ପରେ ବି ନିଜ ସ୍ୱାର୍ଥ ପାଇଁ ସେମାନେ ନିଜ ଜାଗା ଛାଡୁନାହାନ୍ତି । ଏପରିକି ମାସ ମାସ ଧରି ବଦଳି ଜାଗାକୁ ନଯାଇ, ପୂର୍ବ ସ୍ଥାନରେ ଗାଦି ମାଡି ବସିଛନ୍ତି । ଯାହାକୁ ନେଇ ପୋଲିସ ମହଲରେ ଭିନ୍ନ ଚର୍ଚ୍ଚା ହେଉଛି ।

ନିୟମ ଅନୁସାରେ ଗୋଟିଏ ଜାଗାରେ ୩ବର୍ଷରୁ ଅଧିକ ଥିବା ପୋଲିସ କର୍ମଚାରୀଙ୍କୁ ବଦଳି କରାଯିବାର ନିୟମ ରହିଛି । ଏହିକ୍ରମରେ କମିଶନରେଟର ବିଭିନ୍ନ ଥାନା ଓ ଅଫିସରେ କାର୍ଯ୍ୟରତ କନଷ୍ଟେବଲ, ହାବିଲଦାର ଓ ଅଫିସରଙ୍କୁ ବଦଳି କରାଯାଇଥିଲା । ୨୦୨୪ ଓ ୨୫ରେ ଭିନ୍ନ ଭିନ୍ନ ବିଜ୍ଞପ୍ତି ମାଧ୍ୟମରେ ୪୮୭ଜଣ କନଷ୍ଟେବଲ ଓ ୫୦ରୁ ଅଧିକ ଅଫିସରଙ୍କୁ ବଦଳି କରାଯାଇଥିଲା । ବଦଳି ନିର୍ଦ୍ଦେଶ ପରେ ଅଧିକାଂଶ ଅଫିସର ଓ କର୍ମଚାରୀ ନିଜନିଜ ବଦଳି ସ୍ଥାନରେ ଯୋଗ ଦେଇଥିଲେ ।

ମାତ୍ର ୩୫ରୁ ଅଧିକ କନଷ୍ଟେବଲ/ହାବିଲଦାର ଓ ୨୦ରୁ ଅଧିକ ଅଫିସର ନିଜ ସ୍ୱାର୍ଥ ହାସଲ ଲାଗି ଜାଗା ଛାଡି ନଥିଲେ । ଇତି ମଧ୍ୟରେ ଡିସିପିଙ୍କ ବଦଳି ସେମାନଙ୍କୁ ବେଶ ସୁହାଇଥିଲା । ନୂଆ ଡିସିପି ବଦଳି ସମ୍ପର୍କରେ ଜାଣିନଥିବାରୁ ସେମାନେ ଆଉ ଜାଗା ଛାଡିବାକୁ ଇଚ୍ଛା କରିନଥିଲେ । ବଦଳି ପରେ ବି ମାସ ମାସ ଧରି ପୁରୁଣା ଜାଗାରେ ରହି ସ୍ୱାର୍ଥ ହାସଲ କରିବାରେ ଲାଗିଛନ୍ତି । ତେଣୁ ଏମାନଙ୍କୁ ତୁରନ୍ତ ନିଜ ବଦଳି ସ୍ଥାନରେ ଯୋଗ ଦେବାକୁ ନୂଆ ଡିସିପି ନିର୍ଦ୍ଦେଶ ଦେବାର ଆବଶ୍ୟକତା ରହିଛି । ଏପରିକି ପୋଲିସ କମିଶନର ଓ ଡିସିପିଙ୍କ ପକ୍ଷରୁ ଜାରି ବଦଳି ନିର୍ଦ୍ଦେଶକୁ ଅବମାନନା କରିବା ଅଭିଯୋଗରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁ୍‌ଷ୍ଠାନ କରାଯିବା ଦରକାର ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

ଅନ୍ୟପକ୍ଷରେ ଏହାକୁ ନେଇ ପୋଲିସ ମହଲରେ ଭିନ୍ନ ଚର୍ଚ୍ଚା ହେଉଛି । କୁହାଯାଉଛି, ଯେଉଁମାନେ ଗାଦି ଛାଡୁ ନାହାନ୍ତି, ସେମାନଙ୍କ ପଛରେ ସେହି ଜାଗାର ବଡ ବାବୁଙ୍କ ହାତ ରହିଛି । ସେମାନଙ୍କ ମାଧ୍ୟମରେ ବଡବାବୁମାନେ ମଧ୍ୟ ସ୍ୱାର୍ଥ ହାସଲ କରୁଛନ୍ତି । ଏପରିକି ପୋଲିସକୁ ଦୁର୍ନୀତିଗ୍ରସ୍ତ କରିବାରେ ଏହି ଗାଦିମଡାଙ୍କ ହାତ ରହିଛି । ତେବେ ଡିସିପି ଏହାକୁ ଗମ୍ଭୀରତାର ସହ ନେବାର ଆବଶ୍ୟକତା ରହିିଛି ।


Reporterspen
!-- afp header code starts here -->