commissionrate police: ସାରା ଦେଶରେ ଭୁବନେଶ୍ୱର ପୋଲିସକୁ ଛି… ଛି…

Reporterspen

(Commissionrate police) ଭୁବନେଶ୍ୱର (ରିପୋଟର୍ସ ପେନ୍‌): ଦିନଥିଲା ଓଡ଼ିଶା ପୋଲିସର ‘ଆଇନା’ ଭାବେ ପରିଚିତ ଭୁବନେଶ୍ୱର-କଟକ କମିଶନରେଟ ପୋଲିସ ସାରା ଦେଶରେ ରୋଲମଡେଲ ପାଲଟିଥିଲା । ବିଭିନ୍ନ ରାଜ୍ୟର ପୋଲିସ ଓଡ଼ିଶା ଆସି ଭୁବନେଶ୍ୱର-କଟକ କମିଶନରେଟ ପୋଲିସ ବ୍ୟବସ୍ଥା ଓ କାର୍ଯ୍ୟଶୈଳୀକୁ ଅନୁଧ୍ୟାନ କରିବା ସହ ଏହାକୁ ଅନୁକରଣ କରୁଥିଲେ । ସେତେବେଳେ କମିଶନରେଟ ପୋଲିସର କାର୍ଯ୍ୟଶୈଳୀ ଓ ଅପରାଧ ନିୟନ୍ତ୍ରଣକୁ ସାରାଦେଶ ପ୍ରସଂଶା କରୁଥିଲା । ଏବେ କିନ୍ତୁ ସବୁକିଛି ବଦଳି ଯାଇଛି । ଗତ କିଛିଦିନ ହେଲା ସାରାଦେଶରେ କମିଶନରେଟ ପୋଲିସକୁ ନିନ୍ଦା କରାଯିବା ସହ ଲୋକେ ଛି… ଛି… ବୋଲି କହୁଛନ୍ତି ।

ଭରତପୁର ଥାନାରେ ସେନା ଅଧିକାରୀ ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀଙ୍କୁ ର୍ଦୁବ୍ୟବହାର ଓ ନିର୍ଯାତନା ମାମଲାକୁ ନେଇ ଯେତିକି ଚର୍ଚ୍ଚା ହେଉଥିଲା, ଗତକାଲି ପୀଡିତାଙ୍କ ବୟାନ ଶୁଣିବା ପରେ ଦିଲ୍ଲୀ ଠାରୁ ପଲ୍ଲୀ ଯାଏ, ସବୁଠି ପୋଲିସକୁ ନିନ୍ଦା କରାଯାଉଛି । ଯଦି ପୀଡିତାଙ୍କ ବୟାନରେ ସତ୍ୟତା ଥାଏ, ତାହା ନିଶ୍ଚିତପକ୍ଷେ ଏକ ଜଘଂନ୍ୟକାଣ୍ଡ । ଏଥିପାଇଁ ପୋଲିସକୁ ଯେତେ ନିନ୍ଦାକଲେ ମଧ୍ୟ ତାହା କମ ହେବ । ଯଦି ବି ତାଙ୍କ ବୟାନ ମିଛ ହୋଇଥାଏ, ତେବେ ପୋଲିସ ତାହାକୁ ମିଥ୍ୟା ପ୍ରମାଣିତ କରିପାରିବନାହିଁ । କାରଣ ପୋଲିସ ପାଖରେ ସିସିଟିଭି ନାହିଁ । ଆଇନ ଅନୁସାରେ, ପୀଡିତାଙ୍କ ବୟାନ ହିଁ ଜଣକୁ ଦୋଷୀ ସଜେଇବା ପାଇଁ ଯଥେଷ୍ଟ । ତେବେ ଏକ ହାଇବଜେଟ ମଡେଲ ଥାନାରେ ପୋଲିସ କାହିଁକି ସିସିଟିଭି ଲଗାଇନଥିଲା? ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଭରତପୁର ଘଟଣାକୁ ସାରାଦେଶ ନିନ୍ଦା କରିବା ପରେ ପୋଲିସ ଏବେ ଆତ୍ମରକ୍ଷା ପାଇଁ ଉଦ୍ୟମ ଆରମ୍ଭ କରିଛି । ପୀଡିତାଙ୍କ ବୟାନକୁ ମିଛ ପ୍ରମାଣିତ କରିବା ଲାଗି ପୋଲିସ ବାର, ରେଣ୍ଟୁରାଣ୍ଟ ଓ ରାସ୍ତାରେ ଲାଗିଥିବା ସିସିଟିଭି ଫୁଟେଜ ସଂଗ୍ରହ କରି ମିଡିଆକୁ ଦେଉଛି । ଯଦିଓ ଏଥିରୁ ଥାନାରେ ସେଦିନ କ’ଣ ଘଟିଲା ଜଣାପଡିବ ନାହିଁ, ଯଥାପି ପୀଡିତାଙ୍କ ଭାବମୂର୍ତ୍ତୀକୁ ଲୋକଲୋଚନକୁ ଆଣିବା ଓ ନିଜକୁ ସ୍ୱଚ୍ଛ ବୋଲି ଦାବି କରିବା ପାଇଁ ଏହା କିଛି ମାତ୍ରାରେ ସହଯୋଗ କରିବ ବୋଲି ପୋଲିସ ଆଶା କରୁଛି । ଏପରିକି ଯେଉଁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦିନ ଅଣଦେଖା କରୁଥିଲା, ଏବେ ତାଙ୍କୁ ପୋଲିସ ସପକ୍ଷରେ ଖବର ପ୍ରସାରଣ କରିବାକୁ ଅନୁରୋଧ କରୁଛି ।

ଅପରପକ୍ଷରେ ଚର୍ଚ୍ଚା ହେଉଛି, ଏହି ଘଟଣା ପାଇଁ ପୋଲିସ କମିଶନର ସଂଜୀବ ପଣ୍ଡାଙ୍କ ଅଂହଙ୍କାର ମଧ୍ୟ ଅନେକାଂଶରେ ଦାୟୀ । ତାଙ୍କର ଏହି ଅହଂକାର ଯୋଗୁଁ ଡିଜିଙ୍କ ସହ ଶୀତଳ ଯୁଦ୍ଧ, ମିଡିଆ ସହ ଦୂରତା ବଢିବାରେ ଲାଗିଛି । ଏଥିସହିତ ନିଜ କର୍ମଚାରଙ୍କ ମଧ୍ୟରେ ଭୟ ସଂଚାର ହେଉଛି । ଫଳରେ ତାଙ୍କ ଚାରିପାଖରେ କ’ଣ ଘଟୁଛି, ସେ ତାହା ଜାଣି ପାରୁନାହାନ୍ତି । ଭରତପୁର ଘଟଣା ଏହାର ଏକ ଜ୍ୱଳନ୍ତ ଉଦାହରଣ । କେବଳ ଏହି ଅହଂକାର ଯୋଗୁଁ ସାରାଦେଶରେ ରୋଲମଡେଲ ପାଲଟିଥିବା କମିଶନରେଟ ପୋଲିସ ସହ ରାଜ୍ୟ ସରକାର ମଧ୍ୟ ଆଜି ନିନ୍ଦିତ ହେଉଛନ୍ତି ।

ଉଲ୍ଲେଖଥାଉ କି, ପୀଡ଼ିତା କହିଛନ୍ତି, ଘଟଣାଦିନ ରାତି ଗୋଟାଏ ବେଳେ ନିଜର ରେସ୍ତୁରାଣ୍ଟ ବନ୍ଦ କରି ଘରକୁ ଫେରୁଥିଲୁ । ତେବେ ଅଧା ରାସ୍ତାରେ କିଛି ବ୍ୟକ୍ତି ଗାଡ଼ି ଅଟକାଇ ଯୁକ୍ତିତର୍କ କରିଥିଲେ । ସେମାନଙ୍କ କବଳରୁ ବାହାରି ଅଭିଯୋଗ କରିବା ପାଇଁ ଭରତପୁର ଥାନାକୁ ଯାଇଥିଲୁ । ଥାନାରେ ଆମ ଏତଲା ନରଖି ଗାଳିଗୁଲଜ କରିଥିଲେ । ଏହାକୁ ନେଇ ସେଠାରେ ଯୁକ୍ତିତର୍କ ହୋଇଥିଲା । ପରେ ମତେ ମାଡ ମାରି ହାଜତରେ ପୁରାଇ ଦେଇଥିଲେ ।

କିଛି ସମୟ ପରେ ଜଣେ ପୁରୁଷ ଅଫିସର ଆସିଥିଲେ । ସେ ମୋ ଅନ୍ତବସ୍ତ୍ର ଖୋଲି ମୋ ପ୍ରାଇଭେଟ ପାର୍ଟକୁ ଗୋଇଠା ପରେ ଗୋଇଠା ମାରି ଚାଲିଥିଲେ । କିଛି ସମୟ ପରେ ଆଇଆଇସି ଆସି ମୋ’ ପ୍ୟାଂଟ ଖସାଇ ଦେଇଥିଲେ । ତା’ପରେ ସେ ନିଜର ଗୁପ୍ତାଙ୍ଗ ଦେଖାଇ କେତେ ଥର ନେଲା ପରେ ଚୁପ୍ ରହିବୁ ବୋଲି କହିଥିଲେ । ସେତେବେଳେ ମୁଁ କେବଳ ବଡ଼ ପାଟିରେ ଚିତ୍କାର କରୁଥିଲି । ଏହି ଘଟଣାକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ନିନ୍ଦା କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।


Reporterspen