crime news: ଚାନ୍ଦା ମାଗିବା ମହଙ୍ଗା ପଡିଲା, ପୂର୍ବତନ କର୍ପୋରେଟରଙ୍କ ସ୍ୱାମୀ ସହ ୯ ଗିରଫ

Reporterspen

crime news: ଭୁବନେଶ୍ୱର (ରିପୋଟର୍ସ ପେନ୍‌): ପୂଜା ଚାନ୍ଦା ନଦେବାରୁ ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଥିବା ଗୋଟିଏ କମ୍ପାନୀର ପାଚେରୀ ଭାଙ୍ଗିବା ଓ ଅନ୍ୟ ଏକ ସଂସ୍ଥା ସାମ୍ନାରେ ଗାତ ଖୋଳିବା ଘଟଣାରେ ମଞ୍ଚେଶ୍ୱର ପୋଲିସ ୯ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଭୋଟପଡାର ସଂଗ୍ରାମ ଭୋଇ, ସାଗର ଭୋଇ, ଦାଶରଥି ନାୟକ ଓରଫ ଦଶୁ, ମାନସ ବେହେରା, ଟୁଲୁ ଭୋଇ, ପ୍ରକାଶ ବେହେରା, କାହ୍ନା ଭୋଇ, ଧିରୀକୂଟି ବସ୍ତିର କମଳେଶ ବେହେରା ଓ ଦାଶରଥି ବେହେରା । ଏମାନଙ୍କ ମଧ୍ୟରୁ ଦାଶରଥି ନାୟକ ପୂର୍ବତନ କର୍ପୋରେଟରଙ୍କ ସ୍ୱାମୀ ବୋଲି ଜଣାପଡିଛି ।

ଅଭିଯୋଗ ଅନୁସାରେ, ଭୋଟପଡାରେ ଅନୁଷ୍ଠିତ ହେଉଥିବା ଗଜଲକ୍ଷ୍ମୀ ପୂଜା ଲାଗି ଅଭିଯୁକ୍ତମାନେ ମଞ୍ଚେଶ୍ୱର ଶିଳ୍ପାଞ୍ଚଳରୁ ଚାନ୍ଦା ଅସୁଲ କରୁଥିଲେ । ଏହି କ୍ରମରେ ସେମାନେ ଶିଳ୍ପାଞ୍ଚଳରେ ଥିବା ଇଣ୍ଡଷ୍ଟ୍ରିଆଲ ଗ୍ୟାସ କୋଃକୁ ୫୦ ହଜାର ଓ ହିଟାଚୀ ୱାର୍କସପ୍‌ର ମ୍ୟାନେଜର ସଂଜୟ ନାୟକଙ୍କୁ ୧୦ ହଜାର ଟଙ୍କା ଚାନ୍ଦା ମାଗିଥିଲେ । ହେଲେ ସେମାନେ ଏତେ ଟଙ୍କା ଚାନ୍ଦା ଦେବାକୁ ମନା କରିଦେଇଥିଲେ । ଏଥିରେ ଅଭିଯୁକ୍ତମାନେ ପ୍ରତିଶୋଧ ପରାୟଣ ହୋଇପଡିଥିଲେ ।

ଗତ ୨ ତାରିଖ ଦିନ ଅଭିଯୁକ୍ତମାନେ ଏକ ଜେସିବି ଦ୍ୱାରା ଗ୍ୟାସ କମ୍ପାନୀର ପାଚେରୀଓ ସିକ୍ୟୁରିଟି ରୁମ ଭାଙ୍ଗିବା ସହ ହିଟାଚୀ ସଂସ୍ଥା ସାମ୍ନାରେ ଏକ ଗାଡ ଖୋଳିଦେଇଥିଲେ । ଏନେଇ ଉଭୟ ସଂସ୍ଥା ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା । ଉକ୍ତ ଅଭିଯୋଗକୁ ଆଧାର କରି ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ପରେ ସ୍ପେଶାଲ ସ୍କ୍ୱାର୍ଡ ଏହି ଘଟଣାରେ ପୂର୍ବତନ କର୍ପୋରେଟର ସହ ୯ଜଣଙ୍କୁ ଗିରଫ କରିଥିଲା । ତେବେ ଏଭଳି ଜୁଲମକୁ କୌଣସିମତେ ହଜମ କରାଯିବ ନାହିଁ ବୋଲି କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।


Reporterspen