Crime news: ଯୁବକଙ୍କୁ ଗୋଡ଼ାଇ ହାଣିବା ଘଟଣା: ୪ଗିରଫ, ୪ ଫେରାର

Reporterspen

Crime news: ଭୁବନେଶ୍ୱର (ରିପୋଟର୍ସ ପେନ୍‌) : ସମାଜସେବୀ ଶିବପ୍ରସାଦ ଶ୍ରୀଚନ୍ଦନଙ୍କୁ ମରଣାନ୍ତକ ଆକ୍ରମଣ କରିବା ଘଟଣାରେ କମିଶନରେଟ ପୋଲିସ ୪ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଦେବଶିଷ ନାୟକ ଓରଫ ସାଲୁ, ସଂଜୟ ବାରିକ ଓରଫ ସଂଜୁ, ପ୍ରମୋଦ ମହାପାତ୍ର ଓରଫ ଗଣେଷ ଓ ବିକି ନାୟକ । ଏମାନେ ସମସ୍ତେ ଭୁବନେଶ୍ୱରରେ ରୁହନ୍ତି । ଏମାନଙ୍କ ଠାରୁ ଦୁଇଟି ବାଇକ ଓ ଦୁଇଟି ମାରଣାସ୍ତ୍ର ଜବତ କରାଯାଇଛି । ଏମାନଙ୍କ ମଧ୍ୟରୁ ସାଲୁ ଓ ବିକି ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି ।

ଡିସିପି ପିନାକ ମିଶ୍ରଙ୍କ ସୂଚନା ଅନୁସାରେ, ଗତ କିଛିଦିନ ତଳେ ଅଭିଯୁକ୍ତ ପ୍ରମୋଦ ମହାପାତ୍ରଙ୍କୁ ବାଲିଅନ୍ତା ଥାନା ଅଞ୍ଚଳରେ ଆକ୍ରମଣ ହୋଇଥିଲା । ଏନେଇ ଥାନାରେ ଏତଲା ଦାୟର ହୋଇଥିଲେ ମଧ୍ୟ ଆକ୍ରମଣକାରୀଙ୍କୁ ପୋଲିସ ଖୋଜି ପାଇବାରେ ବିଫଳ ହୋଇଥିଲା । ତେବେ ଏହି ଘଟଣା ପଛରେ ଶିବପ୍ରସାଦ ଶ୍ରୀଚନ୍ଦନଙ୍କର ହାତ ଥିବା ନେଇ ପ୍ରମୋଦ ସନ୍ଦେହ କରିଥିଲା । ଏହାକୁ ନେଇ ସେ ତାଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲା ।

ଘଟଣାଦିନ ଅଭିଯୁକ୍ତ ପ୍ରମୋଦ ଓ ଅନ୍ୟ ୭ଜଣ ସହଯୋଗୀଙ୍କ ସହ ଶିବପ୍ରସାଦକୁ ଆକ୍ରମଣ କରିବାକୁ ଆସିଥିଲେ । ରାତି ପ୍ରାୟ ୧୦ଟା ବେଳେ ସେ ପଳାସପଲ୍ଲୀ ଛକରୁ ସ୍କୁଟି ଯୋଗେ ନବୀନ ନିବାସ ରାସ୍ତାରେ ଯାଉଥିଲେ । ଏହି ସମୟରେ ଦୁଇଟି ବାଇକ୍ ତାଙ୍କ ଆଗରେ ଛିଡ଼ା ହୋଇଥିଲା । ଶିବ ସ୍କୁଟି ଅଟକାଇବାରୁ ହଠାତ୍ ଦୁର୍ବୃତ୍ତମାନେ ଖଣ୍ଡା ବାହାର କରି ତାଙ୍କୁ ହାଣି ପକାଇଥିଲେ । ଫଳରେ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା ।

ଶିବ ପ୍ରସାଦ ତଳେ ପଡ଼ି ଛଟପଟ ହେବାରୁ ଦୁର୍ବୃର୍ତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ । ଗୁରୁତର ଶିବଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ପହଞ୍ଚି ତାଙ୍କୁ ପ୍ରଥମେ କ୍ୟାପିଟାଲ୍ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ । । ପରେ ତାଙ୍କୁ ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ ଆରମ୍ଭ କରିଛି । ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ ଅଭିଯୁକ୍ତଙ୍କୁ ଚିହ୍ନ କରିଥିଲା । ପରେ ୪ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ୪ଜଣ ଫେରାର ହୋଇଯାଇଛନ୍ତି । ଖୁବଶୀଘ୍ର ଅନ୍ୟମାନଙ୍କୁ ଗିରଫ କରାଯିବ ବୋଲି ଡିସିପି କହିଛନ୍ତି ।


Reporterspen