କୂଆଖାଇରେ ପୁଣି ଅଘଟଣ, ଭାସିଗଲେ ୪ ଯୁବକ

0 409

ବାଲିଅନ୍ତା/ଭୁବନେଶ୍ୱର, (ରିପୋଟର୍ସ ପେନ୍‌): କୂଆଖାଇ ନଦୀର ବାଲିଅନ୍ତା ନିକଟରେ ପୁଣି ଅଘଟଣ ଘଟିଛି । ଗାଧୋଇବାକୁ ଯାଇଥିବା ବେଳେ ୪ଜଣ ଯୁବକ ପାଣି ସୂଅରେ ଭାସିଯାଇଛନ୍ତି । ଦୁଇଜଣଙ୍କ ମୃତ ଦେହ ମିଳିଥିବା ବେଳେ ଅନ୍ୟ ଦୁଇଜଣ ନିଖୋଜ ଅଛନ୍ତି । ଅଗ୍ନିଶମ ବିଭାଗ ପକ୍ଷରୁ ଅପରେସନ ଜାରି ରହିଛି । ତେବେ କୂଆନଦୀର ବାଲିଅନ୍ତା ନିକଟରେ ବାରମ୍ବାର ଏଭଳି ଅଘଟଣ ଲାଗି ଲୋକେ ବାଲିଘାଟକୁ ଦାୟୀ କରିଛନ୍ତି । ଯଦିଓ ଏବେ ବାଲିଘାଟ ବନ୍ଦ ରହିଛି, ତଥାପି ବେଆଇନ ଭାବେ ବାଲି ଖୋଲା ଯୋଗୁଁ କୂଆଖାଇ ମୁଣ୍ଡ ଖାଉଛି ବୋଲି ଚର୍ଚ୍ଚା ହେଉଛି ।

ସୂଚନା ଅନୁସାରେ, ରାଜଧାନୀ ଉପକଣ୍ଠ ଅଟଳା ନିକଟରେ ଥିବା ଆସ୍ଥା କଲେଜର ୯ ଜଣ ଛାତ୍ର ୪ଟି ବାଇକ ଧରି ମଙ୍ଗଳବାର ସକାଳ ୧୧ଟା ବେଳେ ବଇଁଚୁଆ ଧବଳାହାଟକୁ ଭୋଜି ପାଇଁ ଆସିଥିଲେ । ଦିନ ପ୍ରାୟ ୨ଟା ୩୦ ମିନିଟ ସମୟରେ ସମସ୍ତେ ବଇଁଚୁଆ ଧବଳାହାଟକୁ ଗାଧୋଇବାକୁ ଯାଇଥିଲେ । ସମସ୍ତ କୂଳ ଉପରେ ନିଜର ଜିନିଷପତ୍ର ରଖି ଗାଧୋଇବାକୁ ନଦୀ ଭିତରେ ପଶିଥିଲେ । ଏତିକି ବେଳେ ୪ ଜଣ ସାଙ୍ଗ ପ୍ରଖର ସ୍ରୋତରେ ଭାସିଯାଇ ଚିତ୍କାର କରିଥିଲେ ।
ଅନ୍ୟ ସାଙ୍ଗମାନେ ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଠା କରି ବିଫଳ ହେବା ପରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ତେବେ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ଦୁଇଜଣଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ନିଖୋଜ ଅଛନ୍ତି । ମୃତ ଦୁଇ ଛାତ୍ର ହେଲେ କଟକର କୁମାର ଅଭିନାଶ ଓ ଜାମସେଦପୁରର ଆରିୟାନ ଏବଂ ଦୁଇ ନିଖୋଜ ଛାତ୍ର ହେଲେ ବାଲେଶ୍ୱର ଜିଲ୍ଲା କଣ୍ଟାପଡାର ରୋହିତ ଓ କଟକ ଜିଲ୍ଲା ବାଲିକୁଦାର ପ୍ରତିକ ବୋଲି ଜଣାପଡିଛି । ସମସ୍ତ ଛାତ୍ରମାନେ ଆସ୍ଥା କଲେଜର ବୋଲି ଜଣାପଡିଛି ।

ଉଲ୍ଲେଖଥାଉକି, ବାଲିଅନ୍ତା ନିକଟସ୍ଥ କୂଆଖାଇ ନଦୀରେ ପ୍ରାୟ ପ୍ରତିବର୍ଷ ଏକାଧିକ ଅଘଟଣ ଘଟି ଅକାଳରେ ଲୋକଙ୍କ ଜୀବନ ଯାଉଛି । ଏହାର ମୁଖ୍ୟ କାରଣ ହେଉଛି, ବାଲିଘାଟ । ବାଲିଘାଟ ନିଲାମ ନେଉଥିବା ବ୍ୟକ୍ତି ବେଆଇନ ଭାବେ ନଦୀପଠାକୁ ଖୋଲି ଅତ୍ୟଧିକ ଖାଲ କରିଦେଉଥିବାରୁ ଗାଧୋଇବା ଲୋକ ପାଣି କେଉଁଠି କେତେ ଅଛି, ଜାଣି ପାରୁନାହାଁନ୍ତି । ଫଳରେ ଗାଧୋଉଥିବା ବେଳେ ଅଧିକାଂଶ ଲୋକେ ପାଣି ଭାସିଯାଇ ମୃତ୍ୟୁବରଣ କରୁଛନ୍ତି ।
ତେବେ ଗତ ମେ’ ମାସ ୨୭ ତାରିଖରେ ବାଳକାଟୀ ଫାଣ୍ଡି ତଥା ଭୁବନେଶ୍ୱର ଇନ୍ଦ୍ରପାଲ ନିକଟ କୁଆଖାଇ ନଦୀରେ ଅଘଟଣ ଘଟିଥିଲା । ଗାଧୋଇବାକୁ ଆସିଥିବାବେଳେ ନଦୀରେ ବୁଡି ଦୁଇ ଯୁବକଙ୍କ ମୃତ୍ୟୁ ହୋଇଥିଲା । ମୃତକ ଦ୍ୱୟ ତମାଣ୍ଡୋ ଅଞ୍ଚଳର ସ୍ମୃତି ସୌରଭ ପ୍ରଧାନ ଓ ଅନଗୁଳ ରେଙ୍ଗାଲିର ସତ୍ୟଜିତ ଦାସ ।
ସେହିପରି ମେ’ ୧୬ ତାରିଖରେ ବାଲିଅନ୍ତା ଥାନା ନିକଟସ୍ଥ କୁଆଖାଇ ନଦୀରୁ ଜଣେ ବୃଦ୍ଧଙ୍କ ମୃତଦେହ ଜବତ କରାଯାଇଛି । ମୃତକ ହେଲେ ମଞ୍ଚେଶ୍ୱର ଥାନା ଅଧୀନ ପାଣ୍ଡରା ଗ୍ରାମର ଅପର୍ତ୍ତି ମହାରଣା(୮୫) । ସେ ମେ’ ୧୫ ତାରିଖ ସନ୍ଧ୍ୟାରେ ବାଲିଅନ୍ତା ସାପ୍ତାହିକ ହାଟରୁ ପରିବା ବ୍ୟାଗ ଧରି ନଈ ଭିତରେ ଚାଲିଚାଲି ଅପରପାର୍ଶ୍ୱରେ ଥିବା ପାଣ୍ଡରା ଗ୍ରାମକୁ ଫେରୁଥିଲେ । ହେଲେ ନଈ ଭିତରେ ଥିବା ପାଣି ଧାରରେ ପଶି ଯିବା ବେଳେ ଭାସି ଯାଇଥିଲେ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy