ପୋଲିସକୁ ଆକ୍ରମଣ ଉଦ୍ୟମ ଘଟଣା, ୪ ଗିରଫ

0 301

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଚଢାଉ ବେଳେ ପୋଲିସକୁ ପନିକି ଧରି ହାଣିବାକୁ ଗୋଡାଇବା ଘଟଣାରେ ମଞ୍ଚେଶ୍ୱର ଥାନା ପୋଲିସ ୪ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ନୟାଗଡ ଖଣ୍ଡପଡାର ଅମୀୟ ନାୟକ, କଟକ ନରସିଂହପୁରର ରମାକାନ୍ତ ନାୟକ, ନୟାଗଡର ଜିତେନ୍ଦ୍ର ସାମନ୍ତରାୟ ଓରଫ ସନ୍ତୁ ଓ ଯାଜପୁରର ମୁକେଶ ପାତ୍ର ଓରଫ ଚିଣ୍ଟୁ । ଏମାନେ ସମସ୍ତେ ଶହୀଦନଗର ପଥରବନ୍ଧ ବସ୍ତିରେ ରହୁଥିଲେ । ଅଭିଯୁକ୍ତମାନେ ଏକ ରାଜନୈତିକ ଦଳର ଛତ୍ରଛାୟାରେ ରହି ଅପରାଧିକ କାର୍ଯ୍ୟ କରୁଥିବା ଜଣାପଡିଛି ।

ସୂଚନା ଅନୁସାରେ, ଶୁକ୍ରବାର ରାତି ପ୍ରାୟ ୧୨ଟା ବେଳେ କଟକରୁ ଆସିଥିବା ହୋଚିମିନ ଦେବତା ଓ ତାଙ୍କ ଭାଇ କାର ଯୋଗେ ଘରକୁ ଫେରୁଥିଲେ । ଭୋକ ହେବାରୁ ସେମାନେ ମଞ୍ଚେଶ୍ୱର ଥାନା ନିକଟସ୍ଥ ତୃପ୍ତି ହୋଟେଲକୁ ଖାଇବାକୁ ଯାଇଥିଲେ । ଏହି ସମୟରେ ୩/୪ଜଣ ଯୁବକ ଆସି ହୋଟେଲ ସମ୍ମୁଖରେ ପାର୍କିଂ ହୋଇଥିବା ତାଙ୍କ କାରକୁ ପିଟିଥିଲେ । ଏହା ଜାଣିବା ପରେ ଦୁଇଭାଇ ସେମାନଙ୍କୁ ପ୍ରତିବାଦ କରିଥିଲେ । ଫଳରେ ନିଶାସକ୍ତ ଥିବା ଯୁବକମାନେ ଦୁଇ ଭାଇଙ୍କୁ ଆକ୍ରମଣ କରିଥିଲେ । ନିସ୍ତୁକ ମାଡ ମାରୁଥିବା ଦେଖି ହୋଟେଲ ମାଲିକ ଓ କର୍ମଚାରୀ ଦୌଡି ଆସିବାରୁ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ ।

ଏନେଇ ଆକ୍ରମଣର ଶୀକାର ହୋଇଥିବା ଯୁବକ ତୁରନ୍ତ ମଞ୍ଚେଶଜ୍ୱର ଥାନାରେ ଏତଲା ଦେଇଥିଲେ । ପୋଲିସ ତୁରନ୍ତ ଆକ୍ସନ ମୁଡକୁ ଆସିଥିଲେ । ଥାନା ଅଧିକାରୀ ସଦଳବଳେ ଅଭିଯୁକ୍ତଙ୍କୁ ଧରିବାକୁ ଚଢାଉ କରିଥିଲେ । ଅଭିଯୁକ୍ତଙ୍କ ମୋବାଇଲ ଟ୍ରାକ କରି ପିଛା କରିଥିଲେ । ପୁରୀ ବାଇପାସ ରୋଡରେ ଥିବା ଏକ ଢାବାରେ ଚଢାଉ କରିବା ପୂର୍ବରୁ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ । ପୁଣି ପୋଲିସ ସେମାନଙ୍କୁ ପିଛା କରି ପଥରବନ୍ଧ ବସ୍ତିରେ ଚଢାଉ କରିଥିଲେ । ଚଢାଉ ବେଳେ ପୋଲିସ ଦୁଇ ଜଣଙ୍କୁ କାବୁ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଖସି ପଳାଇଥିଲା । ତାକୁ ପିଛା କରିବାରୁ ସେ ପୋଲିସ ଟିମକୁ ପନିକି ଧରି ହାଣିବାକୁ ଗୋଡାଇଥିଲା । ଭୟରେ ପୋଲିସ ସେଠାରୁ ଛତ୍ରଭଙ୍ଗ ଦେଇଥିଲା । ପରେ ତାକୁ କାବୁ କରିବା ସହ ପନିକି ଜବତ କରିଥିଲା ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy