ଅଯୋଗ୍ୟଙ୍କ ହାତରେ କମିଶନରେଟ ବ୍ୟବସ୍ଥା, ବଢୁଛି ଅପରାଧ!

0 2,088

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଦିନ ଥିଲା କମିଶନରେଟ ପୋଲିସ ନାଁ ଶୁଣିଲେ ଅପରାଧୀ ଜଗତରେ ଛନକା ପଶି ଯାଉଥିଲା । କମିଶନରେଟ ଏରିୟାକୁ ପଶିବାକୁ ଗ୍ୟାଙ୍ଗଷ୍ଟରମାନେ ମଧ୍ୟ ୧୦ଥର ଚିନ୍ତା କରୁଥିଲେ । ଏବେ କିନ୍ତୁ ସମୟ ସମ୍ପୂର୍ଣ୍ଣ ବଦଳି ଯାଇଛି । ଛୋଟମୋଟ ଅପରାଧୀ ଓ ଲୁଟେରାମାନେ ମଧ୍ୟ କମିଶନରେଟ୍ ଏରିୟାକୁ ଏବେ ନିଜର ସୁରକ୍ଷିତ ସ୍ଥାନ ଭାବେ ବାଛି ନେଇଛନ୍ତି । ଫଳରେ ଦୈନିକ ରାଜଧାନୀରେ ଚୋରି, ଲୁଟ୍ ଓ ଆତଙ୍କରାଜ ଭଳି ଅପରାଧ ବଢିବାରେ ଲାଗିଛି । ନୂଆ ତଥା ଅପରିପକ୍ୱ ଓ ଅଯୋଗ୍ୟ ଅଫିସରଙ୍କ ଯୋଗୁଁ ଏଭଳି ଅପରାଧ ବଢୁଥିବା ସହରବାସୀ ଅଭିଯୋଗ କରିଛନ୍ତି । ରାଜଧାନୀକୁ ଏବେ କିଛି ପୁରୁଣା ମୁହଁ (ପୁରୁଣା ଅଫିସର)ର ଆବଶ୍ୟକତା ରହିଥିବା ଲୋକେ ଦାବି କରିଛନ୍ତି ।

ସୂଚନା ଅନୁସାରେ, ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସରେ ଇନ୍ସପେକ୍ଟର ଓ ଏସିପିସ୍ତରରେ ଅଦଳବଦଳ କରାଯାଇଛି । ଆଗକୁ ଆହୁରି ବଦଳି ହେବାର ସମ୍ଭାବନା ମଧ୍ୟ ରହିଛି । ଏହି ଅଦଳବଦଳ ଫଳରେ ଭୁବନେଶ୍ୱରକୁ ଅନେକ ନୂଆ ଅଫିସର ଆସିଛନ୍ତି । ଯେଉଁମାନଙ୍କର ଭୁବନେଶ୍ୱର ବା କମିଶନରେଟରେ କାମ କରିବାର ଅଭିଜ୍ଞତା ନାହିଁ । ଏପରିକି ରାଜଧାନୀର କ୍ରାଇମ ଓ କ୍ରିମିନାଲଙ୍କ ସମ୍ପର୍କରେ ସାମ୍ୟକ୍ ଧାରଣା ମଧ୍ୟ ନାହିଁ । ଅନେକ ଥାନା ଅଧିକାରୀ ଏବେ ବି ନିଜ ଅଞ୍ଚଳର ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ଜାଣିପାରୁନାହାନ୍ତି । ସେମାନଙ୍କର ଲୋକସମ୍ପର୍କ ନାହିଁ କିମ୍ବା ସେମାନେ ଲୋକଙ୍କ ସହ ରହିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି । ସାମ୍ବାଦିକମାନଙ୍କ ସହ ଯୋଗାଯୋଗ ରଖିବାକୁ ମଧ୍ୟ କୁଣ୍ଠାବୋଧ କରୁଛନ୍ତି । ଫଳସ୍ୱରୂପ ଅପରାଧୀମାନେ ଏହାର ଫାଇଦା ନେଉଛନ୍ତି ।

ଅପରାଧ ସମ୍ପର୍କରେ ପୋଲିସକୁ ଖବର ମିଳିବାର କୌଣସି ରାସ୍ତା ନଥିବାରୁ ଅପରାଧୀମାନେ ପୁରା ମାତ୍ରାରେ ସକ୍ରିୟ ହୋଇଉଠିଛନ୍ତି । ପୋଲିସ ଆଖିରେ ଆଙ୍ଗୁଠି ଗେଞ୍ଜି ଗୋଟିକ ଗୋଟିଏ ଅପରାଧ ଘଟାଇ ଚାଲିଛନ୍ତି । ଗତ କିଛିଦିନର ଅପରାଧ ରେକର୍ଡକୁ ଅନୁଧ୍ୟାନ କଲେ, ଏହା ସ୍ପଷ୍ଟ ଭାବେ ବାରି ହୋଇପଡୁଛି । ନିକଟରେ ଖଣ୍ଡଗିରି ଜାଗମରାରେ ବିଚ୍ ରାସ୍ତା ଆତଙ୍କରାଜ ହେଉ ଅବା ଚନ୍ଦ୍ରଶେଖରପୁର ଅଞ୍ଚଳରେ ସ୍କୁଟିକୁ ରାସ୍ତା ଏକ କାର ଘୋଷାରି ନେବାର ଛାତିଥରା ଦୃଶ୍ୟ ହେଉ, ଏହାର ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଛି ।

ଖାଲି ଏତିକି ନୁହେଁ, ରାଜଧାନୀରେ ଘନଘନ ଲୁଟ୍‌, ଆପାର୍ଟମେଣ୍ଟ ଚୋରି ଏବେ ପୋଲିସର ନିଦ ହଜାଇ ଦେଇଛି । ଗତ ମାସକ ମଧ୍ୟରୁ ରାଜଧାନୀରୁ ପ୍ରାୟ ୧୦୦ରୁ ଅଧିକ ଚୋରି, ଲୁଟ୍ ଓ ଛିନତାଇ ଭଳି ଅପରାଧ ଘଟାଇ ଖସିଯାଇଛନ୍ତି । ପୋଲିସ ଅପରାଧୀଙ୍କୁ ଦମନ କରିବା ଲାଗି କୁଖ୍ୟାତ ଅପରାଧୀ ରଘୁ ବିଶ୍ୱାଳକୁ ଏନକାଉଣ୍ଟର କରିଥିଲା । ଭାବିଥିଲା ଏହି ଏନ୍‌କାଉଣ୍ଟର ପରେ ସହରରରୁ ଅପରାଧ କମିବ । ମାତ୍ର ତାହା ହେଲା ନାହିଁ । ଏହା ପରେ ଅପରାଧୀମାନେ ଅଧିକ ସକ୍ରିୟ ହୋଇଉଠିଛନ୍ତି । ଯାହାର ନମୁନା ନିକଟରେ ଦେଖିବାକୁ ମିଳିଛି ।

ଅପରପକ୍ଷରେ ରାଜଧାନୀର ବିଭିନ୍ନ ଥାନାରେ ଯୋଗ ଦେଇଥିବା ଇନ୍ସପେକ୍ଟରମାନଙ୍କୁ ଥାନରେ ଖୋଜିଲେ ମିଳୁନାହାଁନ୍ତି । ପଚାରିଲେ ଉତ୍ତର ମିଳୁଛି, ରାଜଧାନୀ ଭଳି ଥାନାରେ ଆମେ ବସିବୁ କ’ଣ ପାଟ୍ରୋଲିଂ କରି ଅପରାଧ ରୋକୁଛୁ । ତେବେ ଏମାନେ କିଭଳି ପାଟ୍ରୋଲିଂ କରୁଛନ୍ତି ଓ ଅପରାଧ ନିୟନ୍ତ୍ରଣ କରୁଛନ୍ତି, ତାହା ବେଶ ଅନୁମାନ କରାଯାଇପାରେ । ପୋଲିସ ଡିଜି ଓ କମିଶନର ଏଦିଗରେ ବିଶେଷ ଧ୍ୟାନ ନଦେଲେ, କିଛି ଅଯୋଗ୍ୟ ଅଫିସରଙ୍କ ଲାଗି ପୁରା ପୋଲିସ ବିଭାଗ ବଦନାମ ହେବ, ଏଥିରେ ସନ୍ଦେହ ନାହିଁ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy