୪୧ ଲକ୍ଷ ଟଙ୍କାର ଜାଲ ନୋଟ୍ ଜବତ, ଜଣେ ଗିରଫ

0 226

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): କ୍ରାଇମବ୍ରାଞ୍ଚର ଏସଟିଏଫ ଟିମ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡାରେ ଚଢାଉ କରି ବିପୁଳ ପରିମାଣର ଜାଲ ନୋଟ ଜବତ କରିଛି । ଏହି ମାମଲାରେ ଏସଟିଏଫ ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ନାଁ ଦୀପକ ମେହେର । ତାଙ୍କ ଘର ଉଲୁଣ୍ଡାର ମାଟିଖାଇ ନୂଆବସ୍ତିରେ ବୋଲି ଜଣାପଡିଛି । ଏସଟିଏଫ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ଏଥିରେ ଏକାଧିକଙ୍କ ସଂପୃକ୍ତି ଥିବା ଜଣାପଡିଛି ।

ସୂଚନା ଅନୁସାରେ, ଓଡ଼ିଶାରେ ଜାଲ ନୋଟ ରାକେଟ ସକ୍ରିୟ ହୋଇଥିବା ନେଇ ଏସଟିଏଫକୁ ସୂଚନା ମିଳିଥିଲା । ବେଶ କିଛିଦିନ ହେଲା ଏସଟିଏଫ ଟିମ ଏହା ଉପରେ ନଜର ରଖିଥିଲା । ଗତ ଶୁକ୍ରବାର ଦିନ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡାରେ ଜଣେ ଯୁବକ ପାଖରେ ବିପୁଳ ପରିମାଣର ଜାଲ ନୋଟ ଥିବା ଏସଟିଏଫକୁ ସୂଚନା ମିଳିଥିଲା । ପରେ ଏକ ସ୍ୱତନ୍ତ୍ର ଟିମ ସେଠାରେ ଚଢାଉ କରିଥିଲା । ଚଢାଉ ବେଳେ ୪୧.୧୬ଲକ୍ଷ ଟଙ୍କାର ଜାଲ ନୋଟ ଜବତ ହୋଇଥିଲା । ଜବତ ହୋଇଥିବା ସମସ୍ତ ଜାଲ୍ ନୋଟ୍ ହେଉଛି ୫୦୦ ଟଙ୍କିଆ । ସେଗୁଡିକ ପୁରା ଅସଲି ୫୦୦ ଟଙ୍କିଆ ନୋଟ୍ ଭଳି ଦେଖାଯାଉଛି । ଭଲ ଭାବେ ନ ଦେଖିଲେ ଯେ କେହିବି ଧୋକା ଖାଇଯିବେ । ଏହି ଘଟଣାରେ ସଂପୃକ୍ତ ଯୁବକଙ୍କୁ ହେପାଜତକୁ ନେଇ ପଚରାଉଚରା କରୁଛି ।

ଏହି ଜାଲ ନୋଟଗୁଡିକ ଛତିଶଗଡରୁ ଆସିଥିବା ଏସ୍‌ଟିଏଫ୍ ସନ୍ଦେହ କରୁଛି । ଆଉ ଏଥିରେ ଆହୁରି କିଛି ଲୋକଙ୍କ ସମ୍ପୃକ୍ତି ଥିବା ଏସ୍‌ଟିଏଫ୍ କହିଛି । ଏନେଇ ଏସ୍‌ଟିଏଫ୍‌କୁ କିଛି ସୂଚନା ମିଳିଛି ଓ ତା’ ଆଧାରରେ ଅଧିକ ତଦନ୍ତ କରୁଛି । ତେବେ ଜବତ ନକଲି ନୋଟ୍‌ଗୁଡିକୁ ପଶ୍ଚିମବଙ୍ଗର ପଶ୍ଚିମ ମେଦିନପୁରରେ ଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ ନୋଟ୍ ମୁଦ୍ରଣ ପ୍ରାଇଭେଟ ଲିମିଟେଡ୍ ପଠାଯିବ । ସେଠାରେ ଏହି ନୋଟଗୁଡିକର ଯାଞ୍ଚ କରାଯିବ । ଯାଞ୍ଚ ପରେ ଏନେଇ ଅଧିକ ତଥ୍ୟ ମିଳିପାରିବ ବୋଲି ଏସଟିଏଫ ଆଶା ରଖିଛି । ବର୍ତ୍ତମାନ ସୁଦ୍ଧା ଏସ୍‌ଟିଏଫ୍ ପକ୍ଷରୁ ଏହାକୁ ମିଶାଇ ୧ କୋଟି ୧୯ ଲକ୍ଷ ଟଙ୍କାର ଜାଲ୍ ନୋଟ୍ ଜବତ କରାଯାଇଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy