ରାଜଧାନୀରେ ମାତିଛି ଲୁଟେରା, ପୋଲିସ ଜଳକା

0 439

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ରାଜଧାନୀରେ ମାତିଛନ୍ତି ଚୋର ଓ ଲୁଟେରା । କମିଶନରେଟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଗୋଟିକ ପରେ ଗୋଟିଏ ଲୁଟପାଟ ଚଳାଇଛନ୍ତି । ଗତ କିଛିଦିନ ହେଲା ରାଜଧାନୀ ଓ ଉପକଣ୍ଠରୁ ବାରମ୍ବାର ଚୋରି ଓ ଲୁଟ୍ ହେଉଛି । କିନ୍ତୁ କମିଶନରେଟ ପୋଲିସ ନା ଲୁଟେରାଙ୍କୁ ଧରିପାରୁଛି ନା ଚୋରିରେ ବ୍ରେକ୍ ଲଗାଇ ପାରୁଛି । ଏହି କ୍ରମରେ ଗତକାଲି ରାତିରେ ପାହାଳ ଓ ନନ୍ଦନକାନନ ଅଞ୍ଚଳରୁ ଚୋରି ହେବା ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ପାହାଳ ଥାନା ଜଇପୁର ଅଞ୍ଚଳର ଶରତ ମହାନ୍ତିଙ୍କ ଘରୁ ଗୁରୁବାର ରାତିରେ ଚୋରି ହୋଇଛି । ପରିବାର ଲୋକେ ସମସ୍ତେ ଶୋଇଥିବା ବେଳେ ବାହାର ପଟୁ ତାଲା ପକାଇ ଲୁଟେରାମାନେ ପ୍ରାୟ ୩ଲକ୍ଷ ଟଙ୍କାର ଗହଣା ଲୁଟି ନେଇଛନ୍ତି । ସେହିପରି ନନ୍ଦନକାନନ ଥାନା ରଘୁନାଥପୁର ସ୍ପ୍ରିଙ୍ଗ ଲିଫ୍ ଆପାର୍ଟମେଣ୍ଟର ଗୋଟିଏ ଘରେ ପଶି ଦୁର୍ବୃତ୍ତମାନେ ଲୁଟପାଟ କରିଛନ୍ତି । ଉକ୍ତ ଆପାଟମେଣ୍ଟରୁ ଲୁଟେରାମାନେ ପ୍ରାୟ୧୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଚୋରି କରିନେଇଛନ୍ତି । ଘଟଣାସ୍ଥଳରେ ନନ୍ଦନକାନନ ଥାନା ପୋଲିସ ଓ ସାଇଣ୍ଟିଫିକ ଟିମ୍ ତଦନ୍ତ ଆରମ୍ଭ କରିଛି ।

ଗତ କିଛିଦିନ ତଳେ କମିଶନରେଟ୍ ପୋଲିସର ସୁରକ୍ଷା ବ୍ୟବସ୍ଥାକୁ ଖୋଲା ଚାଲେଞ୍ଜ ଦେଇ ଲୁଟେରା ଗ୍ୟାଙ୍ଗ ଏକ ବଡ ଧରଣର ଲୁଟ୍ କରିଛନ୍ତି । ଭୁବନେଶ୍ୱର ପାହାଳା ଥାନା ଅଞ୍ଚଳର ମେଟ୍ରୋ ସାଟେଲାଇଟ ସିଟିର ତିନି ତିନିଟି ଫ୍ଲାଟରୁ ଲୁଟ୍ ହୋଇଛି । ମାତ୍ର ୪୦ ମିନିଟ୍ ମଧ୍ୟରେ ବ୍ଲକ-’ବି’ର ୩୦୩, ବ୍ଲକ-’ସି’ର ୩୦୮ ଏବଂ ବ୍ଲକ-’ଡି’ର ୩୦୮ ଫ୍ଲାଟରୁ ସୁନା ଅଳଙ୍କାର ସହ ଟଙ୍କା ଧରି ଚମ୍ପଟ ମାରିଛନ୍ତି । ସେହିପରି ଇନଫୋସିଟି ଥାନା ପଥରଗାଡିଆରେ ଥିବା ରାଜବାଟିକା ଆପାର୍ଟମେଣ୍ଟରୁ ମଧ୍ୟ ଲୁଟପାଟ ହୋଇଥିଲା । ୨୦୨୩ ଅକ୍ଟୋବର ୧୦ରେ ରାଜବାଟିକା ଆପାର୍ଟମେଣ୍ଟରୁ ଲୁଟ୍ ହୋଇଥିଲା ।

ଗତ ୬ ମାସ ମଧ୍ୟରେ ଭୁବନେଶ୍ୱରର ପ୍ରାୟ ୧୦ଟି ଆପାର୍ଟମେଣ୍ଟର ୨୫ଟି ଫ୍ଲାଟରୁ ଲୁଟପାଟ ହେଲାଣି । ହେଲେ ଢିଲା ପୋଲିସ ପାଟ୍ରୋଲିଂ ଓ ସୁରକ୍ଷା ବ୍ୟବସ୍ଥା ଯୋଗୁଁ ଏଭଳି ଲୁଟପାଟ ହେଉଥିବା ଲୋକେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ପୋଲିସ ଅଧିକାରୀମାନେ ପାଟ୍ରୋଲିଂ ନକରି କେବଳ ଥାନା ଜମି ବସୁଛନ୍ତି ବୋଲି କୁହାଯାଉଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy