ପୁଣି ବିବାଦରେ କେନ୍ଦ୍ରାପଡା ପୋଲିସ: ଥାନାରେ ଥାର୍ଡ ଡିଗ୍ରୀ!

0 610

କେନ୍ଦ୍ରାପଡା/ଭୁବନେଶ୍ୱର, (ରିପୋଟର୍ସ ପେନ୍‌): କେନ୍ଦ୍ରାପଡା ପୋଲିସ ପୁଣି ଥରେ ବିବାଦ ଘେରକୁ ଆସିଛି । ଏଥର ମଧ୍ୟ ସେଇ ଇନ୍ସପେକ୍ଟର ଜ୍ୟୋତି ରଂଜନ ସାମନ୍ତରାୟଙ୍କ ଲାଗି ପୋଲିସ ବିବାଦରେ ଛନ୍ଦି ହୋଇଛି । ପୂର୍ବରୁ ଲୋକଙ୍କୁ ଦୁର୍ବ୍ୟବହାର, ସାମ୍ବାଦିକଙ୍କ ଉପରେ ଆକ୍ରୋଶ ଓ ଅଭିଯୋଗକାରୀଙ୍କୁ ଗାଳିଗୁଲଜ ଭଳି ଘଟଣାକୁ ନେଇ ଜ୍ୟୋତି ସାମନ୍ତରାୟ କେନ୍ଦ୍ରାପଡା ପୋଲିସକୁ ବଦନାମ କରିଥିବା ବେଳେ ଏବେ ତାଙ୍କ ବିରୋଧରେ ଥାନା ଭିତରେ ଥାର୍ଡଡ୍ରିଗ୍ରୀ କରିବା ଭଳି ସଙ୍ଗୀନ ଅଭିଯୋଗ ଆସିଛି । ଯାହା କେନ୍ଦ୍ରାପଡା ପୋଲିସକୁ କାଠଗଡାକୁ ଟାଣି ନେଇଛି ।

ଅଭିଯୋଗ ଅନୁସାରେ, କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଆଶ୍ରମ ବାଲିକୁଦା ଗାଁର ଆକାଶ ମିଶ୍ରଙ୍କ ବିରୋଧରେ ତାଙ୍କ ପତ୍ନୀ ଥାନାରେ ଅଭିଯୋଗ କରିଥିଲେ । ପାରିବାରିକ ବିବାଦକୁ ନେଇ ପତ୍ନୀଙ୍କ ଏତଲାକୁ ନେଇ ଗତ ରବିବାର ଥାନା ଏସଆଇ ଅଜୟ ସାହୁ ତାଙ୍କୁ ଥାନାକୁ ଡାକିଥିଲେ । ଜେରା ବେଳେ ସେ ତାଙ୍କୁ ଥାନା ଭିତରେ ମାଡ ମାରି ଘାଇଲ କରିଥିଲେ । ପରେ ତାଙ୍କୁ ଛାଡି ଦେଇଥିଲେ ।

ହେଲେ ପରେ ପୁଣି ଥରେ ମାମଲାର ଆପୋଷ ବୁଝାମଣା ଲାଗି ଆକାଶଙ୍କୁ ଥାନା ଡକାଯାଇଥିଲା । ଏଥର ଥାନା ଅଧିକାରୀ ତଥା ଡିଏସପି ଜ୍ୟୋତିରଞ୍ଜନ ତାଙ୍କୁ ଥାନା ଭିତରେ ନିର୍ଧୂମ ମାଡ ମାରିଥିଲେ । ଏପରିକି ଥାନା ଭିତରେ ଗୋଇଠା ବିଧା ମାରିଥିଲେ । ଫଳରେ ସେ ଅସୁସ୍ଥ ହୋଇପଡିଥିଲେ । ପରେ ପରିବାର ଲୋକେ ତାଙ୍କୁ ହସପିଟାଲରେ ଭର୍ତ୍ତି କରିଥିଲେ ବୋଲି ଆକାଶଙ୍କ ବାପା ଅଭିଯୋଗ କରିଛନ୍ତି ।

ତେବେ ଇଏ ପ୍ରଥମ ଘଟଣା ନୁହେଁ, ଡିଏସପି ଜ୍ୟୋତିରଞ୍ଜନଙ୍କ ନାଁରେ ପୂର୍ବରୁ ମଧ୍ୟ ଅଭିଯୋଗ ରହିଛି । ମାର୍ଶାଘାଇର ବିଜେଡି ନେତା ମୁନା ଦଳାଇଙ୍କୁ ମଧ୍ୟ ଅତର୍କିତ ମାଡ଼ ମାରି ଗୁରୁତର କରିଥିବା ନେଇ ଅଭିଯୋଗ ହୋଇଥିଲା । ଏସବୁ ସତ୍ତ୍ୱେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଥାନାରେ ଅଭିଯୋଗକାରୀଙ୍କୁ ଚା-କଫି ଦେଇ ଅଭ୍ୟର୍ଥନା କରିବା, ଲୋକଙ୍କ ସହ ଭଲ ବ୍ୟବହାର କରିବା ଓ ଲୋକଙ୍କ ନିକଟତର ହେବାକୁ ମୁଖ୍ୟମନ୍ତ୍ରୀ ସବୁବେଳେ ପୋଲିସକୁ ଉପଦେଶ ଦେଉଥିବା ବେଳେ କେନ୍ଦ୍ରାପଡା ପୋଲିସର ଏଭଳି ମନୋଭାବ ଚିନ୍ତାର କାରଣ ପାଲଟିଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy