ଖଣ୍ଡଗିରିରେ ଲୁଟେରାଙ୍କ ମେଳି, ମେଳାରୁ ଝାମ୍ପି ନେଉଛନ୍ତି ଚେନ୍ ଓ ମୋବାଇଲ

0 1,409

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଖଣ୍ଡଗିରି ଥାନା ଅଞ୍ଚଳରେ ଜମୁଛି ଏବେ ଲୁଟେରାଙ୍କ ମେଳି । ଦଳବଳ ସହ ଲୁଟେରା ଗ୍ୟାଙ୍ଗ ଥାନା ଚାରିପାଖରେ ପଇଁନ୍ତରା ମାରୁଛନ୍ତି । ସୁଯୋଗ ଦେଖି ଏହି ଗ୍ୟାଙ୍ଗ ଝାମ୍ପି ନେଉଛନ୍ତି ଚେନ୍ ଓ ମୋବାଇଲ ଫୋନ୍ । ଗତ ୪ଦିନ ଭିତରେ ଖଣ୍ଡଗିରି ଅଞ୍ଚଳରୁ ଡର୍ଜନେରୁ ଅଧିକ ଚେନ୍ ଓ ୨୦ରୁ ଅଧିକ ମୋବାଇଲ ଫୋନ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ପୋଲିସ ଲୁଟେରା ଗ୍ୟାଙ୍ଗକୁ ଠାବ କରିବା ପରିବର୍ତ୍ତେ ଯାତ୍ରା ଦେଖି ମଉଜ କରୁଛି । ଯାହା ଏବେ ରାଜଧାନୀରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି ।

ସୂଚନା ଅନୁସାରେ, ମାଘ ସପ୍ତମୀ ଠାରୁ ଖଣ୍ଡଗିରି ପାହାଡ ତଳେ ମହାକୁମ୍ଭ ମେଳା ଅନୁଷ୍ଠିତ ହେଉଛି । ଏହି ଅବସରରେ ଖଣ୍ଡଗିରି ଏକ ସଙ୍ଗେ ୪ରୁ ଅଧିକ ଯାତ୍ରା ପାର୍ଟି ମଧ୍ୟ ନାଚ ପରିବେଷଣ କରୁଛି । ପ୍ରସିଦ୍ଧ ଖଣ୍ଡଗିରି ମେଳାକୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ହଜାର ହଜାର ଲୋକେ ଆସୁଛନ୍ତି । ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ମାତ୍ର ଅପରିପକ୍ୱ ଓ ଅନଭିଜ୍ଞ ପୋଲିସ ଅଧିକାରୀଙ୍କ ଯୋଗୁଁ ଚଳିତବର୍ଷ ମେଳାରେ ଲୁଟେରା ଗ୍ୟାଙ୍ଗ ମେଳି ଜମାଇଛନ୍ତି । ଅପରିପକ୍ୱ ପୋଲିସ ସୁରକ୍ଷାକୁ ମାତ୍ ଦେଇ ପ୍ରାୟ ପ୍ରତିଦିନ ଲୁଟ୍‌ପାଟ ଚଳାଇଛନ୍ତି ।

ଲୋକଙ୍କ ଅଭିଯୋଗ ଶୁଣିବା ଲାଗି ମେଳାରେ ଏକ ପୋଲିସ କ୍ୟାମ୍ପ ପଡିଥିଲେ ମଧ୍ୟ ସେଠାରୁ କାହାରିକୁ ଦେଖିବାକୁ ମିଳୁଛି । ପୋଲିସ କ୍ୟାମ୍ପ ଖୋଲା ଅଛି, ହେଲେ ସେଠାରେ କାହାରିକୁ ଦେଖିବାକୁ ମିଳୁନଥିବାରୁ ଲୋକେ ଅଭିଯୋଗ କରିନପାରି ନିରାଶ ହେଉଛନ୍ତି । ଖାଲି ଏତିକି ନୁହେଁ, ଡ୍ୟୁଟିରେ ଥିବା ପୋଲିସ ଅଫିସର ଓ କର୍ମଚାରୀ ମେଳା ମଉଜ କରୁଥିବା ଦେଖିବାକୁ ମିଳୁଛି । ଥାନାକୁ ମିଳିଥିବା ୨୦୦ ପାସ୍‌କୁ ଅଫିସର ଓ କର୍ମଚାରୀମାନେ ନିଜ ଭିତରେ ଭାଗ କରି ପରିବାର ଏବଂ ସମ୍ପର୍କୀୟଙ୍କ ସହ ଯାତ୍ରା ଦେଖି ମନୋରଂଜନ କରୁଥିବା ଅଭିଯୋଗ ହେଉଛି । ଏପରିକି କେତେକ ପୋଲିସ କର୍ମଚାରୀ ପାସ୍‌କୁ ବ୍ଲାକ କରି ବିକ୍ରି କରୁଥିବା ମଧ୍ୟ ଅଭିଯୋଗ ହେଉଛି । ଯାହା ଏକ ନିନ୍ଦନୀୟ ଘଟଣା । ଏଦିଗରେ ପୋଲିସ କମିଶନର ଓ ଡିସିପି ଦୃଷ୍ଟି ଦେଇ ତୁରନ୍ତ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବାକୁ ସାଧାରଣରେ ଦାବି ହେଉଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy